କଂଗ୍ରେସ ବିଧାୟକ ଓ ବରିଷ୍ଠ ନେତା ମୁହାଁମୁହିଁ: ପିସିସି ଚୌକିରେ ବସିବ କିଏ ?

ଭୁବନେଶ୍ବର: ଓଡ଼ିଶା କଂଗ୍ରେସରେ ତେଜିଲା ପରିବର୍ତ୍ତନ ସ୍ବର । ପିସିସି ଚୌକିରେ ବସିବ କିଏ ? ଦଳରେ ବିଧାୟକ ଓ ବରିଷ୍ଠ ନେତାଙ୍କ ମଧ୍ୟରେ ଆରମ୍ଭ ହୋଇଛି ଟଣାଓଟରା । ଦିଲ୍ଲୀରେ ବରିଷ୍ଠ ନେତାଙ୍କୁ ଦାୟିତ୍ବ ଦେବା ପାଇଁ ନେତା ଡେରା ପକାଇଛନ୍ତି । ସେପଟେ ଦିଲ୍ଲୀ ଯିବା ପାଇଁ ସଜବାଜ ହେଉଛନ୍ତି ବିଧାୟକ । ଯାହାକୁ ନେଇ ହାତ ଶିବିର ସରଗରମ ହୋଇଛି ।

ପିସିସି ପରିବର୍ତ୍ତନ ପାଇଁ ଚାଲିଛି ଟଣାଓଟରା । ବିଧାୟକ ଓ ବରିଷ୍ଠ ନେତା ମୁହାଁମୁହିଁ । ରାଜଧାନୀରୁ ଦିଲ୍ଲୀ ଯାଏଁ ଲବି ଜୋରଦାର । ଚର୍ଚ୍ଚାରେ ଶରତ, ଜୟଦେବ, ମୋକିମ, ତାରା । ହଟିବେ ନିରଞ୍ଜନ, ଆସିବ ନୂଆ ନେତୃତ୍ବ । କିଏ ଧରିବ ରାଜ୍ୟ କଂଗ୍ରେସ ମଙ୍ଗ ? ବିଧାୟକ ନା ଦଳର ଅଭିଜ୍ଞ ରାଜନେତା ? ତାକୁ ନେଇ ସରଗରମ କଂଗ୍ରେସ ରାଜନୀତି ।

ପିସିସି ଚୌକି ପାଇଁ ମୁହାମୁହିଁ ହେଲେଣି କଂଗ୍ରେସ ବିଧାୟକ ଦଳ ଓ ବରିଷ୍ଠ ନେତା । ଦଳର ନିର୍ବାଚିତ ୯ ବିଧାୟକଙ୍କ ମଧ୍ୟରୁ ଜଣଙ୍କୁ ପିସିସି ସଭାପତି ପଦ ପାଇଁ ହାଇକମାଣ୍ଡ ବାଛିବାକୁ ଜଣକ ପରେ ଜଣେ ବିଧାୟକ ଦାବି କରିଛନ୍ତି । ୧୦ ଦିନ ଭିତରେ ସବୁ ବିଧାୟକ ଏକାଠି ଦିଲ୍ଲୀ ଯାଇ ହାଇକମାଣ୍ଡଙ୍କ ପାଖରେ ଏହି ପ୍ରସ୍ତାବ ରଖିବେ । ପଞ୍ଜାବ ଢାଞ୍ଚାରେ ଓଡ଼ିଶାରେ ନିର୍ବାଚିତ ପ୍ରତିନିଧିଙ୍କୁ ଦାୟିତ୍ବ ଦେବା ପାଇଁ ବିଧାୟକ ଦାବି କରିଛନ୍ତି । ରେସରେ ମହମ୍ମଦ ମୋକିମ, ତାରାପ୍ରସାଦ ବାହୀନିପତି ଓ ସନ୍ତୋଷ ସିଂହ ସାଜୁଲାଙ୍କ ପରି ବିଧାୟକଙ୍କ ନାଁ ରହିଛି।

ପିସିସି ସଭାପତି ରେସରେ ଦଳର ଦୁଇ ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକ ଓ ଜୟଦେବ ଜେନା ବି ଅଛନ୍ତି । ନିକଟରେ ବରିଷ୍ଠ କଂଗ୍ରେସ ନେତା ଶରତ ପଟ୍ଟନାୟକ ଓ ଶରତ ରାଉତ ଦିଲ୍ଲୀରେ ଦଳର କେନ୍ଦ୍ରୀୟ ନେତାଙ୍କ ସହ ଆଲୋଚନା କରିଛନ୍ତି। ଦଳର ପୂର୍ବତନ ପିସିସି ସଭାପତିଙ୍କୁ ପୁଣି ଦାୟିତ୍ବ ଦେବା ପାଇଁ ସେମାନଙ୍କ ଗୋଷ୍ଠୀର ନେତା ଦିଲ୍ଲୀରେ ଡେରା ପକାଇଛନ୍ତି ।

ଏବେ କଂଗ୍ରେସ ଟାର୍ଗେଟରେ ୨୦୨୪ । ହାଇକମାଣ୍ଡ ଦୁର୍ବଳ ସଂଗଠନ ଥିବା ରାଜ୍ୟ ଗୁଡ଼ିକରେ ସଂଗଠନ ମଜଭୁତ ପାଇଁ ପିସିସି ସଭାପତି ପରିବର୍ତ୍ତନ କରିବା ସହ ତୃଣମୂଳସ୍ତରରୁ ନେତୃତ୍ବ ସଜାଡୁଛନ୍ତି । ଏହି ଧାରାରେ ଖୁବଶୀଘ୍ର ଓଡ଼ିଶା କଂଗ୍ରେସ ନୂଆ ମଙ୍ଗୁଆଳ ପାଇବ ବୋଲି ଦଳର ଅନ୍ଦର ମହଲରେ ଜୋରଦାର ଚର୍ଚ୍ଚା ହେଉଛି ।