ମୁକେଶ ଅମ୍ବାନିଙ୍କ ଘରେ ସ୍ଥାନ ପାଇବ ଓଡ଼ିଶାର ତାଳ ଗଛ

ଭୁବନେଶ୍ବର: ଦେଶର ସବୁଠୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନିଙ୍କ ଘରେ ସ୍ଥାନ ପାଇବ ପୁରୀ ଜିଲ୍ଲା ସତ୍ଯବାଦୀ ଅଞ୍ଚଳର ତାଳ ଗଛ । ଏତେ ବଡ଼ ତାଳ ଗଛ କେମିତି ଘରେ ରଖିବେ ଅମ୍ବାନି ? ଏଠାରୁ କେମିତି ମୁମ୍ବାଇ ଯିବ ଏହି ତାଳ ଗଛ ? ଏହାର ବିଶେଷତ୍ବ କ’ଣ, ତାକୁ ନେଇ ଦେଖନ୍ତୁ ରିପୋର୍ଟ ।

ସୂଚନାଯୋଗ୍ୟ, ଅମ୍ବାନିଙ୍କ ଘରେ ସ୍ଥାନ ପାଇବାକୁ ଯାଉଥିବା ଓଡ଼ିଶାର ତାଳ ଗଛ ସତସତିକା ନୁହେଁ । କତା, ସୂତା ଓ ଅଠାରେ ତିଆରି କରାଯାଇଛି ଏହି ଆକର୍ଷଣୀୟ ତାଳ ଗଛ । ନିଜ ହାତରେ ଏହି ଆକର୍ଷଣୀୟ ତାଳ ଗଛ ତିଆରି କରିଛନ୍ତି ସତ୍ଯବାଦୀ ବ୍ଲକ ବିଶ୍ଵନାଥପୁର ଗାଁର ଡଲି ଦାସ । ନିଜର ସହଯୋଗୀଙ୍କ ସହିତ ମିଶି ସେ ଏହି ଯାଦୁ ଦେଖାଇ ପାରିଛନ୍ତି । ୬ ମାସ ହେଲା ଏହି କାମରେ ମାତିଛନ୍ତି ଡଲି । ନିଜର ସବୁ କାରିଗରୀ ଦକ୍ଷତା ଏହି ତାଳ ଗଛରେ ସେ ଢାଳି ଦେଇଛନ୍ତି । କାରଣ ଦେଶର ସବୁଠୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନିଙ୍କ ଡ୍ରଇଂ ରୁମରେ ଏହା ସ୍ଥାନ ପାଇବାକୁ ଯାଉଛି । ଏହି ତାଳ ଗଛ ପାଇଁ ଡଲିଙ୍କୁ ଅର୍ଡର ଦେଇଥିଲେ ମୁକେଶ ଅମ୍ବାନିଙ୍କ ପତ୍ନୀ ନୀତା ଅମ୍ବାନି । ତେଣୁ ଦିନ ରାତି ଏକ କରି ସେ କାମରେ ଲାଗିଛନ୍ତି । ଆଉ ଅଳ୍ପ ଦିନ ପରେ ତାଳ ଗଛଟି ସଂପୂର୍ଣ୍ଣ  ହୋଇଯିବ ।

୨୦୨୩ ଡିସେମ୍ବରରେ ଭୁବନେଶ୍ଵରର ତୋଷାଳି ମେଳାରେ ଡଲିଙ୍କ ଏକ କଳାକୃତି ଦେଖିଥିଲେ ନୀତା ଅମ୍ବାନି । ଡଲିଙ୍କ କାମ ତାଙ୍କୁ ଏତେ ଅବିଭୂତ କରିଥିଲା ଯେ, ତାଙ୍କ ପାଇଁ ତାଳ ଗଛ ନିର୍ମାଣ କରିବାକୁ ସେ ବରାଦ କରିଥିଲେ । ଏହି ଅର୍ଡର ପାଇ ଡଲିଙ୍କ ଖୁସି କହିଲେ ନ ସରେ । ଦେଶର ସବୁଠୁ ଧନୀ ବ୍ଯକ୍ତିଙ୍କ ଘରେ ସ୍ଥାନ ପାଇବ ତାଙ୍କ ହାତରେ ତିଆରି କତା, ସୂତାର ତାଳ ଗଛ । ଏଥିପାଇଁ ସେ ମନ ପ୍ରାଣ ଲଗାଇ କାମ କରୁଛନ୍ତି ।

ବହୁ ଦିନରୁ ଏପରି କତାରେ ଅନେକ ଆକର୍ଷଣୀୟ ସାମଗ୍ରୀ ତିଆରି କରୁଛନ୍ତି ଡଲି । କତା, ସୂତା, ଅଠାରେ କେମିତି ସୌକିନ ସାମଗ୍ରୀ ତିଆରି କରାଯାଇପାରିବ, ଅନ୍ଯମାନଙ୍କୁ ସେ ଏହି ବିଦ୍ଯା ବି ଶିଖାଉଛନ୍ତି । ତାଙ୍କର ଭଲ ରୋଜଗାର ବି ହେଉଛି । ମିଳୁଛି ଅନଲାଇନ୍ ଅର୍ଡର ।