ଉପଜିଲ୍ଲାପାଳଙ୍କ ଘରେ ଟଙ୍କାର ପାହାଡ଼ ; ଘରୁ ମିଳିଲା ୨ କୋଟି ୯୧ ଲକ୍ଷ ନଗଦ କ୍ୟାସ୍

ନବରଙ୍ଗପୁର :  ଭିଜିଲାନ୍ସ ଜାଲରେ ବଡ଼ ବାବୁ । ନବରଙ୍ଗପୁର ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତଙ୍କ ଘରେ ବିଡା ବିଡା ଟଙ୍କା । ପେଟି ଖୋଲୁଛି ଟଙ୍କା ବାହାରୁଛି । ବାବୁଙ୍କର ଏକାଧିକ ବେନାମି ଆକାଉଣ୍ଟ ଥିଲା । ଏଥିରେ ସେ ଅନେକ ଥର ଟଙ୍କା ଡିପୋଜିଟ କରିଛନ୍ତି ।

ଆଜି ଗୋଟିଏ ବ୍ୟାଙ୍କର ପାସବୁକ, ଏଟିମଏମ ଜବତ କରିଛି ଭିଜିଲାନ୍ସ । ସେହି ଆକାଉଣ୍ଟରେ ୨୦୧୯ରୁ ଏପର୍ଯ୍ୟନ୍ତ ୨୬ ଲକ୍ଷ ୨୭ ହଜାର ଟଙ୍କା ଡିପୋଜିଟ କରିଥିଲେ ପ୍ରଶାନ୍ତ ରାଉତ । ନବରଙ୍ଗପୁର ଏବଂ ଭୁବନେଶ୍ବରରେ ଚଢାଉ ବେଳେ ଜବତ ହୋଇଥିବା ଟଙ୍କାର ମୁଲ୍ୟ ୨ କୋଟି ୯୧ ଲକ୍ଷ ୯୩ ହଜାର ୮୦୦ ଟଙ୍କା ବୋଲି ଭିଜିଲାନ୍ସ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ଭୋରରୁ ୯ଟି ସ୍ଥାନରେ ରେଡ ହୋଇଥିଲା । ରାତି ୧୦ଟାରେ ବାହିରିଥିଲେ ୯ ଜଣିଆ ଟିମ । ଟିମରେ ଥିଲେ ୪୦ ଜଣ ଅଫିସର ।

ପୈତୃକ ବାସଭବନ ଭଦ୍ରକର ବାହୁଦରଡା ଓ ନବରଙ୍ଗପୁରର ଦୁଇଟି ସରକାରୀ ବାସବଭନରୁ ୯୦ ଲକ୍ଷ ଟଙ୍କା ମିଳିଛି । ଗୋଟିଏ ଘରୁ ୭୭ ଲକ୍ଷ ମିଳିଥିବା ବେଳେ ଆଉ ଗୋଟିଏ ଘରର ଲକରରୁ ପ୍ରାୟ ୧୩ ଲକ୍ଷ ଟଙ୍କା ମିଳିଛି । ସେଠି ବି ଟଙ୍କା ଗଣି ଗଣିଆ ହାଲିଆ ଅଧିକାରୀ । ବାବୁ ଜଣଙ୍କ ଅଭ୍ୟାସଗତ ଲାଞ୍ଚଖୋର । ଚାକିରି କଲା ଦିନରୁ ଦୁର୍ନିତିରେ ବୁଡି ରହିଛନ୍ତି । ୨୦୧୦ରେ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡିଥିଲେ । ୨୦୧୮ରେ ବି ସୁନ୍ଦରଗଡ ବିଶ୍ରା ବ୍ଳକରେ ବିଡିଓ ଥିବା ବେଳେ ଏକ ଲକ୍ଷ ଟଙ୍କା ଲାଞ୍ଚ ନେଇ ଜେଲ ଯାଇଥିଲେ । ତଥାପି ସୁଧୁରିନଥିଲେ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତ । ଭିଜିଲାନ୍ସ ଏବେ ତାଙ୍କ କ୍ୟାରିୟରର ଟ୍ରାକ ରେକର୍ଡକୁ ଯାଞ୍ଚ କରୁଛି ।