କରୋନା ମୁକାବିଲା ରଣନୀତିରେ ନମ୍ବର ଓ୍ୱାନ୍‌ ଓଡ଼ିଶା: ଟପ୍‌ ଫାଇଭରେ ସୁସ୍ଥ ହାର, ମୃତ୍ୟୁ ହାର ସବୁଠାରୁ କମ୍‌…

ଭୁବନେଶ୍ୱର: ପୁଣି ଚର୍ଚ୍ଚାରେ ଓଡ଼ିଶା ସରକାରଙ୍କ କରୋନା ମୁକାବିଲା ଷ୍ଟ୍ର।ଟେଜି । କରୋନା ମୁକାବିଲାରେ ସବୁଠାରୁ ଓଡ଼ିଶା ଆଗରେ ରହିଛି । ଓଡ଼ିଶାର ଟେଷ୍ଟ ହାର ଦେଶରେ ତୃତୀୟ ସ୍ଥାନରେ ରହିଛି । ପ୍ରତି ମିଲିୟନରେ ହେଉଛି ୩୩୮୫ ଟେଷ୍ଟ । ଟପ୍‌ ଫାଇଭରେ ରହିଛି ରାଜ୍ୟର ସୁସ୍ଥ ବ୍ୟକ୍ତିଙ୍କ ହାର । ଓଡ଼ିଶାରେ କରୋନାର ମୃତ୍ୟୁ ହାର ମଧ୍ୟ ସବୁଠୁ କମ୍‌ ରହିଛି ।

କରୋନା ମୁକାବିଲା କ୍ଷେତ୍ରରେ ସାରା ବିଶ୍ୱରେ ଓଡ଼ିଶା ସରକାରଙ୍କ କାର୍ଯ୍ୟ ପୁଣିଥରେ ଚର୍ଚ୍ଚାକୁ ଆସିଛି । ଦେଶରେ ଟପ୍‌ ଥ୍ରୀରେ ରହିଛି ରାଜ୍ୟର ଟେଷ୍ଟ ହାର । ଦିଲ୍ଲୀ, ଗୁଜରାଟ, ରାଜସ୍ଥାନ, ତାମିଲନାଡୁ ଭଳି ଉନ୍ନତ ରାଜ୍ୟକୁ ପଛରେ ପକାଇ ଓଡ଼ିଶାରେ ପ୍ରତି ମିଲିୟନରେ ଟେଷ୍ଟ ହେଉଛି ୩୩୮୫ ମାମଲା । ହରିୟାଣାରେ ସର୍ବାଧିକ ୪୧୮୪ ଥିବା ବେଳେ ଦ୍ୱିତୀୟରେ ରହିଛି ଆନ୍ଧ୍ରପ୍ରଦେଶ । କରୋନାର ଶହେ ମାମଲାରୁ ୨ ହଜାର ହେବା ପାଇଁ ଓଡ଼ିଶାରେ ୩୭ ଦିନ ଲାଗିଥିବା ବେଳେ, ମହାରାଷ୍ଟ୍ରରେ ୨୧, ଦିଲ୍ଲୀରେ ୧୯, ଗୁଜରାଟରେ ୧୮, ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ୨୩, ତାମିଲନାଡୁରେ ୨୮ ଦିନ ସମୟ ଲାଗିଥିଲା ।

ଓଡ଼ିଶାରେ ପ୍ରତି ୭୪ ଟେଷ୍ଟରୁ ଜଣେ ପଜିଟିଭ୍‌ ଚିହ୍ନଟ ହେଉଥିବା ବେଳେ ପଶ୍ଚିମବଙ୍ଗରେ ୨୩, ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ରରେ ୧୮, ଗୁଜରାଟରେ ୧୬ ଏବଂ ଦିଲ୍ଲୀରେ ପ୍ରତି ୧୨ ଜଣଙ୍କ ଟେଷ୍ଟରେ ଜଣେ ପଜିଟିଭ୍‌ ଚିହ୍ନଟ ହେଉଛନ୍ତି । ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ୱିଗୁଣିତ ହେବାର ହାର ୧୨.୭୫ ରହିଛି । କିଛିଦିନ ମଧ୍ୟରେ ରାଜ୍ୟକୁ ବହୁ ସଂଖ୍ୟକ ପ୍ରବାସୀ ଆସିଥିବାରୁ ସଂଖ୍ୟା ବଢ଼ିଥିବା ଜଣାପଡ଼ିଛି । ଜୁନ୍‌ ୧ ତାରିଖ ସୁଦ୍ଧା ଓଡ଼ିଶାରେ ସୁସ୍ଥ ବ୍ୟକ୍ତିଙ୍କ ହାର ୫୩.୫୨ ପ୍ରତିଶତ ରହିଛି । ପଞ୍ଜାବ, ତେଲେଙ୍ଗାନା ଓ ତାମିଲନାଡୁ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟରେ ଅଛନ୍ତି । ଓଡ଼ିଶା ଚତୁର୍ଥ ସ୍ଥାନରେ ରହିଛି ।

ବିଶ୍ୱର ୬ ପ୍ରମୁଖ ଦେଶରେ କରୋନା ସଂକ୍ରମଣ ୨ ହଜାର ପହଞ୍ଚିବାକୁ ଯେତେ ଶୀଘ୍ର ସମୟ ଲାଗିଥିଲା ସେ ତୁଳନାରେ ଓଡ଼ିଶା ବେଶ୍‌ ଭଲ ସ୍ଥିତିରେ ଥିବା ରିପୋର୍ଟ କହୁଛି । ଦକ୍ଷିଣ କୋରିଆ ଏବଂ ଇଟାଲୀରେ ୯ ଦିନରେ ଶହେରୁ ୨୦୦୦ ସଂଖ୍ୟା ହୋଇଥିବା ବେଳେ, ସ୍ପେନରେ ୧୦ ଦିନ, ଫ୍ରାନ୍ସ ଓ ଜର୍ମାନୀରେ ୧୨ଦିନ ଏବଂ ଇଂଲଣ୍ଡରେ ୧୪ଦିନରେ ସଂଖ୍ୟା ୨ ହଜାର ପହଞ୍ଚିଥିଲା ।

ଓଡ଼ିଶାରେ ଏବେସୁଦ୍ଧା ୧ ଲକ୍ଷ ୫୫ହଜାର ୬୯୦ ଟେଷ୍ଟ ହୋଇଥିବା ବେଳେ ଦକ୍ଷିଣ କୋରିଆ ଦେଶରେ ୫୦ ହଜାର ୯୩୦ ଟେଷ୍ଟ ହୋଇପାରିଛି । ଜର୍ମାନୀରେ ୩ ଦିନ, ଇଂଲଣ୍ଡରେ ୨.୭୯, ଫ୍ରାନ୍ସରେ ୨.୩୩, ଇଟାଲୀରେ ୨.୨୨ ଦିନରେ ସଂଖ୍ୟା ଦ୍ୱିଗୁଣିତ ହୋଇଥିବା ବେଳେ ଓଡ଼ିଶାରେ ପାଖାପାଖି ୧୩ ଦିନରେ ସଂଖ୍ୟା ଦ୍ୱିଗୁଣିତ ହେଉଛି । ଏ ସବୁ ତଥ୍ୟକୁ ଦେଖି ଯେକେହିବି କହିବ ରାଜ୍ୟରେ କିଭଳି ରହିଛି ମୁକାବିଲା ରଣନୀତି।

Leave a Reply