କରୋନା ଯୋଦ୍ଧା ସଂକ୍ରମିତ, ଗାଁ ଲୋକ କଲେ ଟାହି ଟାପରା…

1 min read

ଦିଗପହଣ୍ଡି: ସାନଖେମୁଣ୍ଡି ବ୍ଳକ୍ ଦାୟାନିଧିପୁର ପଞ୍ଚାୟତରେ ନିନ୍ଦନୀୟ ଘଟଣା । ସାରା ଦେଶ ତଥା ରାଜ୍ୟ କରୋନା ସହ ଲଢ଼ୁଥିବା ବେଳେ ଯୁଦ୍ଧରେ ଆଗ ଧାଡ଼ିର ଯୋଦ୍ଧା ସାଜିଥିବା ସ୍ୱାସ୍ଥ୍ୟ କର୍ମୀ ଏବେ ବି ଅବହେଳିତ । କରୋନା ଆକ୍ରାନ୍ତଙ୍କ ସେବା କରିବା ପରେ ଯେତେବେଳେ ଜଣେ ଯୋଦ୍ଧା ନିଜେ ଆକ୍ରାନ୍ତ ହେଉଛି ସେତେବେଳେ ଲୋକମାନେ ତାଙ୍କୁ ଅଣଦେଖା କରିବା ଅତ୍ୟନ୍ତ ଦୁଃଖଦ ଘଟଣା ।

ଏଭଳି ଘଟଣା ସାମ୍ନାକୁ ଆସିଛି, ସାନଖେମୁଣ୍ଡି ବ୍ଳକ୍ ଦାୟାନିଧିପୁର ପଞ୍ଚାୟତରେ । ଜଣେ ଆଶା କର୍ମୀ କରୋନା ସଂକ୍ରମିତ ହେବା ପରେ ଗାଁ ଲୋକ ତାଙ୍କ ଘର ଆଗରେ ହୋ-ହଲ୍ଲା କରିଛନ୍ତି । ଗାଁ ଲୋକ ଏହି କରୋନା ଯୋଦ୍ଧାଙ୍କୁ ଗାଁରେ ରଖେଇ ଦେବେ ନାହିଁ ବୋଲି ଦାବି କରିଛନ୍ତି ।

ଭୂତାଣୁ ସଂକ୍ରମଣ ଆଶଙ୍କାରେ ଗାଁ ଲୋକ ଘର ସମ୍ମୁଖରେ ଭିଡ଼ ଜମାଇଥିଲେ । ଖାଲି ସେତିକି ନୁହେଁ ଯୋଦ୍ଧାଙ୍କୁ ଆମ୍ୱୁଲାନ୍ସ ନେବା ପାଇଁ ଆସିବାକୁ ଥିବା ବେଳେ ଆମ୍ୱୁଲାନ୍ସ ନିକଟରେ ଭିଡ଼ ଜମାଇଥିଲେ । ଆମ୍ବୁଲାନ୍ସକୁ ଗାଁ ଭିତରକୁ ଆସିବାକୁ ମଧ୍ୟ ନାକେଦମ୍‌ କରିଥିଲେ ।

ତେବେ ଏଭଳି ଆନ୍ଦୋଳନ କରୁଥିବା ବେଳେ ସେମାନେ ମାସ୍କ ପିନ୍ଧି ନଥିଲେ କିମ୍ବା ସେମାନଙ୍କ ମଧ୍ୟରେ ସାମାଜିକ ଦୂରତ୍ୱ ନଥିଲା । ଯାହାର ଭିଡ଼ିଓ ଏବେ ସୋସିଆଲ୍ ମିଡିଆରେ ଘୁରି ବୁଲିଛି । ତେବେ ପଜିଟିଭ୍ ଚିହ୍ନଟ ପରେ ଗାଁ ଲୋକଙ୍କ ଏଭଳି ଆଚରଣ ସଚେତନ ନାଗରିକଙ୍କୁ ବ୍ୟଥିତ କରିଛି ।

ଅପରପକ୍ଷରେ କରୋନା ମୁକାବିଲା ଦିଗରେ କରୋନା ଯୋଦ୍ଧାଙ୍କ ମନୋବଳ ଦୃଢ଼ କରିବା ପାଇଁ ରାଜ୍ୟ ସରକାର ଗୁରୁତ୍ୱ ଦେଉଥିବା ବେଳେ ଲୋକଙ୍କ ଏଭଳି ମାନସିକତା ଚିନ୍ତାର କାରଣ ପାଲଟିଛି । ତେବେ ସାନଖେମୁଣ୍ଡିରେ ଏବେ ସୁଦ୍ଧା ମୋଟ ୩୭୫ ଜଣ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ୩୦୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆଉ ୭୩ ଜଣ କୋଭିଡ୍‌ କେୟାର ସେଣ୍ଟରରେ ଅଛନ୍ତି । ଅନ୍ୟପଟେ ୧୬ ଜଣ ଯୋଦ୍ଧା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସେଥିରୁ ୧୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

Leave a Reply