ଦୁର୍ଦ୍ଦିନରେ ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପ ! ପୁଣି ସବୁଦିନ ପାଇଁ ବନ୍ଦ ହେଲା ଆଉ ଏକ ସିନେମା ହଲ

Odisha News: One More Cinema Hall Shutting Down In Cuttack

ଭୁବନେଶ୍ୱର: କଳା ଓ କଳାକାର ଉପରେ କରୋନା ପ୍ରଭାବ । ଦୀର୍ଘ ୩ ମାସରୁ ଉର୍ଦ୍ଧ୍ୱ ସମୟଧରି ଚଳଚ୍ଚିତ୍ର ଶିଳ୍ପ ବନ୍ଦ ରହିଛି । କଟକ ସହରର ଅନ୍ୟତମ ପୁରାତନ ଫିଲ୍ମ ହଲ ଜୟଶ୍ରୀକୁ ସବୁଦିନ ପାଇଁ ମାଲିକ ବନ୍ଦ କରିବା ନେଇ ଘୋଷଣା କରିଛନ୍ତି । ଯାହା ପ୍ରଯୋଜକମାନଙ୍କୁ ଚିନ୍ତାରେ ପକାଇଛି । ସେପଟେ ସରକାର ରାଜ୍ୟର ବିଭିନ୍ନ ସ୍ଥାନରେ ହଲ ନିର୍ମାଣ ପାଇଁ ଯୋଜନା କରୁଥିବା କହିଛନ୍ତି ଚଳଚ୍ଚିତ୍ର ନିଗମ କର୍ତ୍ତୃପକ୍ଷ ।

କଟକ ବାଦାମବାଡ଼ି ଛକରେ ଥିବା ରାଜ୍ୟର ଅନ୍ୟତମ ପୁରୁଣା ସିନେମା ହଲ ଜୟଶ୍ରୀ ଟକିଜ ସବୁଦିନ ପାଇଁ ବନ୍ଦ ହୋଇଛି । ୧୯୮୫ ମସିହାରେ ତିଆରି ହୋଇଥିବା ପ୍ରେକ୍ଷାଳୟ ଏବେ ଇତିହାସ ହେବାକୁ ବସିଛି । କରୋନା ସଙ୍କଟରେ ଆଶାନୁରୂପକ ବ୍ୟବସାୟ ହୋଇ ପାରିଲା ନାହିଁ । ରକ୍ଷଣାବେକ୍ଷଣ ଅଭାବରୁ ସିନେମା ହଲର ଅବସ୍ଥା ଶୋଚନୀୟ ହୋଇପଡିଛି । ହଲ ଚାଲିବା ନେଇ ଅନିଶ୍ଚିତତା ଲାଗି ରହିଥିବାବେଳେ ମାଲିକ ହଲ ବନ୍ଦ କରିବାକୁ ନିଷ୍ପତି ନେଇଥିବା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । 

ଓଡ଼ିଆ ଚଳଚ୍ଚିତ୍ର ଜଗତର ଏନ୍ତୁଡ଼ିଶାଳ । କଟକ ସହରରେ ପ୍ରାୟ ୧୫ଟି ଫିଲ୍ମ ହଲ ଥିଲା । ପୂର୍ବରୁ ପାର୍ବତୀ, ହିନ୍ଦ, ସୁରଜ, ରାଜତରଙ୍ଗିନୀ, ନିଶାମଣିଲଷ୍ମୀ, ଦେବୀ, ଦୁର୍ଗା ଭଳି ଫିଲ୍ମ ହଲ୍ ବନ୍ଦ ହୋଇସାରିଛି । ଏହା ଚଳଚ୍ଚିତ୍ର ଶିଳ୍ପ ପାଇଁ ଚିନ୍ତାଜନକ ସ୍ଥିତି ସୃଷ୍ଟି କରିଛି । ସେପଟେ ଖୁବଶୀଘ୍ର ସରକାର ରାଜ୍ୟରେ ଏହି ଶିଳ୍ପର ବିକାଶ ପାଇଁ ନୂତନ ହଲ ମାନ ନିର୍ମାଣ କରିବାକୁ ଯାଉଥିବା କହିଛନ୍ତି ଚଳଚିତ୍ର ନିଗମ ଅଧ୍ୟକ୍ଷ ।

Leave a Reply