ଲକ୍‌ଡାଉନ୍‌ରେ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ ଦିଆ ଯାଇଥିବା ଅର୍ଥ ଖର୍ଚ୍ଚ ବାବଦରେ ହିସାବ ଦେବେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ

1 min read
Odisha

ଭୁବନେଶ୍ୱର: ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ ଲକ୍‌ଡାଉନ୍‌ ସମୟରେ ସୁରକ୍ଷିତ ଭାବେ ଘରକୁ ପଠାଇଥିଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ । ସେମାନେ ଘରେ ଥିବା ସମୟରେ ବି ଏପ୍ରିଲ, ମେ’ ଓ ଜୁନ୍‌ ମାସ ଖର୍ଚ୍ଚ ବ୍ୟବସ୍ଥା କରିଥିଲେ ରାଜ୍ୟ ସରକାର । ରାଜ୍ୟ ସରକାରଙ୍କ ପକ୍ଷରୁ ସେମାନଙ୍କ ପରିବାର ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଖାଦ୍ୟ ବାବଦ ଖର୍ଚ୍ଚ ୧୨୪୫ ଟଙ୍କା ପଠାଯାଇଥିଲା । ହେଲେ ସେ ସବୁ ସଠିକ୍‌ ଭାବେ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ଖର୍ଚ୍ଚ ହୋଇଛି ନା ନାହିଁ, ସେ ନେଇ ତଦାରଖ କରୁଛନ୍ତି ରାଜ୍ୟ ସରକାର । ଟଙ୍କା କିପରି ଖର୍ଚ୍ଚ ହୋଇଛି, ତାହାର ତଦାରଖ କରି ବିଭାଗ ପାଖକୁ ତଥ୍ୟ ପଠାଇବାକୁ ୨୩ଟି ଜିଲ୍ଲାର ସାମାଜିକ ସୁରକ୍ଷା ଅଧିକାରୀମାନଙ୍କୁ ବିଭାଗ ପକ୍ଷରୁ ପତ୍ର ଲେଖାଯାଇଛି । ବିଭାଗ ପକ୍ଷରୁ ଏକ ଫର୍‌ମାଟ୍‌ ଦିଆଯାଇଛି, ଯେଉଁଥିରେ ପରିବାର ଲୋକେ ଖର୍ଚ୍ଚର ବିବରଣୀ ଦେବେ । ଏନେଇ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ସୂଚନା ଦେଇଛନ୍ତି ।

ଅନ୍ୟପଟେ ଚଳିତ ବର୍ଷ ସ୍କୁଲରେ କରୋନା କଟକଣାରେ ପାଳନ ହେବ ସ୍ୱାଧୀନତା ଦିବସ । ଏଥର ଯୋଗଦେବେନି ଛାତ୍ରଛାତ୍ରୀ । କେବଳ ପ୍ରଧାନ ଶିକ୍ଷକ, VEC ଓ ଶିକ୍ଷକ ଶିକ୍ଷୟିତ୍ରୀ ସ୍ୱାଧୀନତା ଦିବସ ପାଳନ କରିବେ । ଯେଉଁଠି VEC ନଥିବେ, ସେଠି ପ୍ରଧାନ ଶିକ୍ଷକ ପତାକା ଉତ୍ତୋଳନ କରିବେ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି ।

ସେହିଭଳି ଶୂନ୍ୟ ଫଳାଫଳ ହୋଇଥିବା ୧୫ଟି ଯୁକ୍ତ ଦୁଇ ବିଜ୍ଞାନ ସ୍କୁଲକୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି । ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଏହି ନୋଟିସ ପଠାଯାଇଛି । 7 ଦିନ ମଧ୍ୟରେ ଏହାର ଜବାବ ରଖିବାକୁ କଡ଼ା ନିର୍ଦ୍ଦେଶ ରହିଛି । ଅନ୍ୟଥା 7 ଦିନରେ ସ୍କୁଲର ସ୍ୱୀକୃତି ପ୍ରତ୍ୟାହାର ପାଇଁ ଚେତାବନୀ ଦେଇଛି ଉଚ୍ଚ ଶିକ୍ଷା ବିଭାଗ । ଯେଉଁ ସ୍କୁଲ ଗତ ବର୍ଷ ଓ ଚଳିତ ବର୍ଷ ଶୂନ୍ୟ ଫଳାଫଳ ଦେଇଛନ୍ତି, ସେମାନଙ୍କ ସ୍ୱୀକୃତି ତୁରନ୍ତ ପ୍ରତ୍ୟାହାର ହେବ । ୩୧ଟି ସ୍କୁଲ ଯେଉଁଠି ମାଟ୍ରିକ ଫଳ ଶୂନ୍ୟ ଆସିଛି, ସେମାନଙ୍କୁ ବି କାରଣ ଦର୍ଶାଓ ନୋଟିସ୍‌ ପଠାଯିବ ବୋଲି ସୂଚନା ଦିଆଯାଯାଇଛି ।

Leave a Reply