ବୈଜୟନ୍ତ ପଣ୍ଡାଙ୍କ କୁଶପୁତ୍ତଳିକା ଦାହ କଲା କଟକ ଛାତ୍ର ବିଜେଡି

3 min read

ଭୁବନେଶ୍ୱର: ବୈଜୟନ୍ତ ପଣ୍ଡାଙ୍କ ମନ୍ତବ୍ୟକୁ ଦୃଢ ନିନ୍ଦା, କୁଶପୁତ୍ତଳିକା ଦାହ । କଟକରେ ଛାତ୍ର ବିଜେଡି ତରଫରୁ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଓଡିଶା ପ୍ରତି ଅପମାନସୂଚକ ମନ୍ତବ୍ୟର ପ୍ରତିବାଦ କରାଯାଇଛି । ବାଦାମବାଡି ଛକରେ ଛାତ୍ର ବିଜେଡି ପକ୍ଷରୁ ବୈଜୟନ୍ତଙ୍କ ମନ୍ତବ୍ୟକୁ ନିନ୍ଦା କରାଯିବା ସହ ତୁରନ୍ତ କ୍ଷମା ପ୍ରାର୍ଥନା ପାଇଁ ଦାବି ହୋଇଛି । ଏନେଇ ବୈଜୟନ୍ତଙ୍କ କୁଶପୁତ୍ତଳିକା ଦାହ ମଧ୍ୟ କରିଛି ଛାତ୍ର ବିଜେଡି । ବୈଜୟନ୍ତ ଭୁଲ ନମାଗିଲେ ସାରା ରାଜ୍ୟରେ ପ୍ରତିବାଦକୁ ଜୋରଦାର କରାଯିବ ବୋଲି ଛାତ୍ର ବିଜେଡି ଚେତାବନୀ ଦେଇଛି ।

ଫେକ୍‌ ଭିଡିଓ ଭାଇରାଲ କରି ସାଂସଦଙ୍କୁ ବଦନାମ୍‌ କରିବାକୁ ଚେଷ୍ଟା କରିଥିବା ସାମ୍ବାଦିକଙ୍କୁ ସୁରକ୍ଷା ଦେବାକୁ ଯାଇ ବୈଜୟନ୍ତ ନିଜ ଟ୍ୱିଟ୍‌ ହ୍ୟାଣ୍ଡେଲରେ ଓଡ଼ିଶାକୁ ନେଇ ଅତ୍ୟନ୍ତ ହୀନ ମନ୍ତବ୍ୟ ଦେଇଛନ୍ତି । ସେ ଓଡ଼ିଶାକୁ ପାକିସ୍ତାନ ସହ ତୁଳନା କରି ଟ୍ୱିଟ୍ କରିଛନ୍ତି । ଯାହାକୁ ନେଇ ଏବେ ତୁମ୍ବିତୁଫାନ୍‌ ଆରମ୍ଭ ହୋଇଛି । ରାଜ୍ୟର ବିଭିନ୍ନ ମହଲରେ ବୈଜୟନ୍ତଙ୍କ ଏହି ଆଚରଣକୁ ନିନ୍ଦା କରାଯାଇଛି । ଖାଲି ସେତିକି ନୁହେଁ ଏଭଳି ଟ୍ୱିଟକୁ ଦୃଢ ବିରୋଧ କରିଛନ୍ତି ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ପ୍ରଣବ ଟ୍ୱିଟ୍ କରି ଲେଖିଛନ୍ତି ଯେ ନିଜ ରାଜ୍ୟକୁ ପାକିସ୍ତାନ ସହ ତୁଳନା କରି ଆହୁରି ଲଜ୍ଜାଜନକ ପରିସ୍ଥିତି ସୃଷ୍ଟି କରିଛନ୍ତି ବୈଜୟନ୍ତ । ବୈଜୟନ୍ତ ପଣ୍ଡା ଓଡ଼ିଶାର ସଂସ୍କୃତି ଏବଂ ଓଡ଼ିଶାବାସୀଙ୍କୁ ଅପମାନିତ କରିଛନ୍ତି ।

ସେହିଭଳି ବୈଜୟନ୍ତଙ୍କୁ  କଡ଼ା ସମାଲୋଚନା କରିଛନ୍ତି ସାଂସଦ ଅନୁଭବ ମହାନ୍ତି  । ଅନୁଭବ ଟ୍ୱିଟ୍‌ କରି ବୈଜୟନ୍ତଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି ଯେ ‘ଏ ମାଟି ତୁମକୁ ଓ ତୁମ ପରିବାରକୁ ବହୁତ କିଛି ଦେଇଛି’। ‘ଜଗନ୍ନାଥଙ୍କ ଭୂମିକୁ ପାକିସ୍ତାନ ସହ ତୁଳନାର ଦୁଃସାହସ କିପରି କଲ ?’ ‘୨୦୧୯ ପୂର୍ବରୁ କେନ୍ଦ୍ରାପଡ଼ାରୁ ପ୍ରତିନିଧିତ୍ୱ କରୁଥିଲ’  । ‘କେନ୍ଦ୍ରାପଡ଼ା କ’ଣ ପାକିସ୍ତାନରେ ଅଛି ?’ ‘ଯଦି ସେପରି ଭାବୁଛ ତାହେଲେ ଓଡ଼ିଶା ଛାଡ଼ି ଚାଲିଯାଅ’ । 

ସେହିଭଳି ବୈଜୟନ୍ତ ପଣ୍ଡାଙ୍କ ଟ୍ୱିଟକୁ ନେଇ ବର୍ଷିଛନ୍ତି ବିଜେଡି ନେତା ଦେବାଶିଷ ସାମନ୍ତରାୟ । ‘ବୈଜୟନ୍ତ ଭାରତ ଛାଡ଼ି ପାକିସ୍ତାନରେ ରୁହନ୍ତୁ ବୋଲି ଦେବାଶିଷ କହିଛନ୍ତି । ଉତ୍ତରପ୍ରଦେଶ ଘଟଣାରେ କାହିଁକି ଚୁପ ଥିଲେ ବୈଜୟନ୍ତ ବୋଲି ପ୍ରଶ୍ନ କରିବା ସହ ମହିଳାଙ୍କୁ ବୈଜୟନ୍ତ ସମ୍ମାନ ଦେବା ଜାଣି ନାହାନ୍ତି ବୋଲି କହିଛନ୍ତି । ଟ୍ୱିଟ କରି ନାରୀ ନିର୍ଯାତନାକୁ ସମର୍ଥନ କରୁଛନ୍ତି ବୈଜୟନ୍ତ । ତାଙ୍କୁ ଲାଜ ଲାଗିବା କଥା ବୋଲି ଦେବାଶିଷ ସାମନ୍ତରାୟ କହିଛନ୍ତି’

ଅନ୍ୟପଟେ ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ମଧ୍ୟ ଏହାକୁ ନିନ୍ଦା କରିଛନ୍ତି । ସେ କହିଛନ୍ତି:- ଯେଉଁ ରାଜ୍ୟ ତାଙ୍କୁ ଉଭୟ ରାଜ୍ୟସଭା ଓ ଲୋକସଭାକୁ ପଠାଇଥିଲା ସେହି ରାଜ୍ୟକୁ ଆଜି ସେ ପାକିସ୍ତାନ ବୋଲି କିଭଳି କହିପାରୁଛନ୍ତି ?

Leave a Reply