କଥା ରଖିଲେ ନବୀନ, ପଞ୍ଚାୟତ ନିର୍ବାଚନରେ ୪୮ ପ୍ରତିଶତ ଓବିସି ପ୍ରାର୍ଥୀ ଦେଇଛି ବିଜେଡି

Odisha Naveen Keeps OBC Promise In Panchayat Elections, When Centre Would Give Reservation

ଭୁବନେଶ୍ୱର: ପ୍ରତିଶ୍ରୁତି ପୂରଣ କଲେ ସୁପ୍ରିମୋ । ଯାହା କହିଥିଲେ ତାଠୁ ଢେର ଅଧିକ କରିଛି ବିଜେଡି । କେନ୍ଦ୍ର ସରକାର ଓବିସି ଚିହ୍ନଟକୁ ନାଁ କରିବା ପରେ ବି ଚୁପ୍ ବସିନି ଦଳ । ପଞ୍ଚାୟତ ନିର୍ବାଚନରେ ୪୦ ପ୍ରତିଶତ ଓବିସି ପ୍ରାର୍ଥୀ ଦେବାକୁ ଦଳ ଘୋଷଣା କରିଥିଲା । ହେଲେ ତା’ଠରୁ ଢେର୍ ଅଧିକ ସଂଖ୍ୟାରେ ପ୍ରାର୍ଥୀ ଦେଇଛି ବିଜେଡି । ଦଳୀୟ ଚିହ୍ନଭିତ୍ତିକ ଜିଲ୍ଲା ପରିଷଦ ନିର୍ବାଚନ ପାଇଁ ବିଜେଡି ଦେଇଛି ୪୮ ପ୍ରତିଶତ ପ୍ରାର୍ଥୀ । ଏପରିକି ଅଣସଂରକ୍ଷିତ ଆସନରେ ବି ବିଜେଡି ଓବିସିକୁ ପ୍ରାଧାନ୍ୟ ଦେଇଛି । ଏବେ କେନ୍ଦ୍ର ଓବିସିଙ୍କୁ କେବେ ଅଧିକାର ଦେବ, ତାହା ଏବେ ବଡ଼ ପ୍ରଶ୍ନ ।

ବିଜେଡିର ଘୋଷଣା ନୁହେଁ ପାଣିର ଗାର, ଯାହା କହେ ତାହା କରେ । ପଞ୍ଚାୟତ ନିର୍ବାଚନ ପାଇଁ ୪୦ ପ୍ରତିଶତ ଓବିସି ପ୍ରାର୍ଥୀଙ୍କୁ ମୈଦାନକୁ ଓହ୍ଲାଇବ ବୋଲି ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ଏହି ପ୍ରତିଶ୍ରୁତି କେବଳ ପ୍ରତିଶ୍ରୁତିରେ ସୀମିତ ରହିନି । କଥାକୁ କାମରେ ପରିଣତ କରିବାରେ ମାହିର ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏହାକୁ ବାସ୍ତବ ରୂପ ଦେଇଛନ୍ତି । ୮୫୩ଟି ଜିଲ୍ଲା ପରିଷଦ ସିଟରୁ ୪୬୪ ଅଣସଂରକ୍ଷିତ । ଯେଉଁଥିରୁ ୪୦୬ ଓବିସି ପ୍ରାର୍ଥୀ ଦେଇଛି ବିଜେଡି । ଅଣସଂରକ୍ଷିତ ଆସନରେ ବିଜେଡିର ୮୭.୫୦ ପ୍ରତିଶତ ଓବିସି ପ୍ରାର୍ଥୀ ହୋଇଛନ୍ତି । ସେହିପରି ଯଦି ୮୫୩ ସିଟ୍ ହିସାବକୁ ନିଆଯାଏ, ତେବେ ବିଜେଡି ଦେଇଛି ୪୮ ପ୍ରତିଶତ ଓବିସି ପ୍ରାର୍ଥୀ ।

କେନ୍ଦ୍ର ଓବିସି କାର୍ଡ ନେଇ କେବଳ ଖେଳ ଖେଳୁଛି । ହେଲେ ସଂରକ୍ଷଣ ପାଇଁ ପଦକ୍ଷେପ ନେଉ ନାହିଁ । ଏପରିକି ସୁପ୍ରିମକୋର୍ଟ ବି ଯିବାକୁ କୁନ୍ଥକୁନ୍ଥ । ଯେଉଁ ପାଞ୍ଚଟି ରାଜ୍ୟରେ ନିର୍ବାଚନ ହେଉଛି, ସେଠାରେ ବି ବିଜେପି ନିଜ ଆଡ଼ୁ ଓବିସି ପ୍ରାର୍ଥୀ ଦେଇନି । କେନ୍ଦ୍ରରେ ୭ ବର୍ଷରୁ ଅଧିକ ସମୟ ଧରି କ୍ଷମତା ଥିବା ସତ୍ତ୍ୱେ, ଓବିସି ସଂରକ୍ଷଣ ପାଇଁ ପାଟି ଫିଟାଉ ନାହିଁ ବିଜେପି । କେବଳ ରାଜ୍ୟରେ ନୁହେଁ ନିର୍ବାଚନ ହେଉଥିବା ୫ ରାଜ୍ୟରେ ମଧ୍ୟ କୌଣସି ରାଜନୈତିକ ଦଳ ଓବିସିଙ୍କୁ ଦଳୀୟ ଭିତ୍ତିରେ ସଂରକ୍ଷଣ ଦେଉନାହାଁନ୍ତି । ବିଜେଡି ଭଳି ବିରୋଧୀ ମଧ୍ୟ ୪୦ ପ୍ରତିଶତ ଓବିସିଙ୍କୁ ପ୍ରାର୍ଥୀ କରିବାକୁ ଦଳର ସାଂଗଠନିକ ସମ୍ପାଦକ ଆହ୍ୱାନ ଦେଇଥିଲେ । କିନ୍ତୁ ଓବିସିଙ୍କୁ ନେଇ କେବଳ ରାଜନୈତିକ ନାରାବାଜି କରୁଥିବା ବିରୋଧୀ ଏହି ଆହ୍ବାନକୁ ଗ୍ରହଣ କରିବାକୁ ସାହସ ଜୁଟାଇପାରିନାହାଁନ୍ତି ।

ଶାସନର ସବୁ ସ୍ତରରେ ସଠିକ ଲୋକ ପ୍ରତିନିଧି ବାଛିବାରେ ନବୀନ ସବୁଠୁ ଆଗରେ । ୨୦୧୯ ସାଧାରଣ ନିର୍ବାଚନ ସମୟରେ ବିଧାନସଭା ଓ ଲୋକସଭାରେ ୩୩ ପ୍ରତିଶତ ମହିଳା ସଂରକ୍ଷଣ କଥା ଉଠାଇଥିଲା ବିଜେଡି । ହେଲେ କେନ୍ଦ୍ର କର୍ଣ୍ଣପାତ କରି ନଥିଲା । ନିଜ ଆଡ଼ୁ ୩୩ ପ୍ରତିଶତ ମହିଳାଙ୍କୁ ଲୋକସଭା ପ୍ରାର୍ଥୀ କଲେ ନବୀନ । ଏବେ କେନ୍ଦ୍ର ସରକାର ଓବିସି ସଂରକ୍ଷଣଙ୍କୁ ଅଣଦେଖା କରିଚାଲିଛନ୍ତି । ନିଜ ଆଡ଼ୁ ଓବିସି ପ୍ରାର୍ଥୀ ଚୟନ କରିଛି ବିଜେଡି । ହୁଏତ ସଂରକ୍ଷଣ ବ୍ୟବସ୍ଥା ବିଚାର ବିଭାଗୀୟ ଦଣ୍ଡି ଦେଇ ଗତି କରୁଛି, ହେଲେ ଓବିସିଙ୍କୁ ରାଜନୈତିକ ଅଧିକାର ଦେବାକୁ ଦଳ ଆଗେଇ ଆସିଛି ।

Leave a Reply