ଗଠନ ହେଲା ଓଡ଼ିଶା ମୋଟରଯାନ ଡ୍ରାଇଭର ଓ କର୍ମଚାରୀ କଲ୍ୟାଣ ବୋର୍ଡ

ଭୁବନେଶ୍ୱର: ଗଠନ ହେଲା ଓଡ଼ିଶା ମୋଟରଯାନ ଡ୍ରାଇଭର ଓ କର୍ମଚାରୀ କଲ୍ୟାଣ ବୋର୍ଡ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ବୋର୍ଡ ଗଠନ କରାଯାଇଛି । ବାଣିଜ୍ୟ ଓ ପରିବହନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ମୋଟରଯାନ ଡ୍ରାଇଭର ଓ କର୍ମଚାରୀ କଲ୍ୟାଣ ବୋର୍ଡ ଗଠନ କରିଛନ୍ତି ରାଜ୍ୟ ସରକାର । ବୋର୍ଡରେ ବିଧାୟକ ପ୍ରଣବ ବଳବନ୍ତରାୟ ଓ ଦୀପାଳି ଦାସ ସଦସ୍ୟଭାବେ ମନୋନୀତ ହୋଇଛନ୍ତି । ବୋର୍ଡରେ ପରିବହନ ବିଭାଗର ଅଧିକାରୀ, ଗାଡି ମାଲିକ ସଂଘର ପ୍ରତିନିଧି, ଚାଳକ ସଂଘର ପ୍ରତିନିଧି, କର୍ମଚାରୀ ସଂଘର ପ୍ରତିନିଧି ତଥା ସାମାଜିକ କର୍ମୀ ମଧ୍ୟ ସଦସ୍ୟଭାବେ ରହିବେ । ଗତ ଜୁନ ୧୨ତାରିଖରେ ଏହି ବୋର୍ଡ ଗଠନ ପାଇଁ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ।  ଡ୍ରାଇଭର ତଥା କର୍ମଚାରୀଙ୍କ କଲ୍ୟାଣ ନିମନ୍ତେ ରାଜ୍ୟ ସରକାରଙ୍କୁ ଆବଶ୍ୟକୀୟ ପରାମର୍ଶ ଦେବ ବୋର୍ଡ । ଏହା ମାଧ୍ୟମରେ ଡ୍ରାଇଭର ତଥା କର୍ମଚାରୀଙ୍କ କଲ୍ୟାଣ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯିବ । କଲ୍ୟାଣ ବୋର୍ଡ ଦ୍ବାରା ରାଜ୍ୟର ପାଞ୍ଚ ଲକ୍ଷରୁ ଅଧିକ ଡ୍ରାଇଭର ଓ କର୍ମଚାରୀ ଉପକୃତ ହେବେ ।