ସମ୍ଭାବ୍ୟ ବାତ୍ୟା ପାଇଁ ୧୪ ଉପକୂଳ ଜିଲ୍ଲାରେ ୨୨୫ଟି ଟିମ୍ ମୁତୟନ

1 min read
Odisha Mobilized 225 Team To 14 Districts For Cyclone Jawad

ଭୁବନେଶ୍ୱର: ଆଜି ଅବପାତର ରୂପ ନେବ ଚିହ୍ନିତ ଲଘୁଚାପ କ୍ଷେତ୍ର । ଆସନ୍ତାକାଲି ନେଇପାରେ ସାମୁଦ୍ରିକ ବାତ୍ୟାର ରୂପ । ସମ୍ଭାବ୍ୟ ବାତ୍ୟା ନେଇ ପ୍ରେସମିଟ୍ କରିଛନ୍ତି ଏସଆରସି ପ୍ରଦୀପ ଜେନା । ୪ ତାରିଖ ସକାଳେ ବାତ୍ୟା ଉତ୍ତର-ଉତ୍ତରପୂର୍ବ ଦିଗକୁ ରିକର୍ଭ କରିପାରେ । ତେବେ ବାତ୍ୟା କେଉଁଠି ସ୍ଥଳଭାଗ ଛୁଇଁବ ସେନେଇ ସ୍ପଷ୍ଟ ସୂଚନା ମିଳିନାହିଁ । ଉପକୂଳବର୍ତ୍ତୀ ଜିଲ୍ଲାରେ ପବନର ବେଗ ସର୍ବାଧିକ ୯୦ରୁ ୧୦୦ କିଲୋମିଟର ଘଣ୍ଟା ପ୍ରତି ରହିବ । ପବନ ସହ ବର୍ଷା ହେବ । ୩ ତାରିଖ ରାତିରୁ ବର୍ଷା ହେବ ।

ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ପୁରୀ ଆଦି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ୪ ଓ ୫ ତାରିଖରେ ଉପକୂଳବର୍ତ୍ତୀ ଜିଲ୍ଲାରେ ମଧ୍ୟମ ଧରଣରୁ ପ୍ରବଳ ବର୍ଷା ହୋଇପାରେ । ସମ୍ଭାବ୍ୟ ବାତ୍ୟାକୁ ନଜରରେ ରଖି ୧୪ ଗୋଟି ଉପକୂଳବର୍ତ୍ତୀ ଜିଲ୍ଲାକୁ ସଜାଗ କରିଛନ୍ତି ସରକାର । ମତ୍ସ୍ୟ ସମ୍ପଦ ଓ କୃଷି ବିଭାଗକୁ ସତର୍କ କରାଯାଇଛି । ୨ ତାରିଖ ସୁଦ୍ଧା ସମସ୍ତ ମତ୍ସ୍ୟଜୀବୀ ସମୁଦ୍ରରୁ ଉପକୂଳକୁ ଫେରି ଆସିଛନ୍ତି । ଚିଲିକାରେ କିଛି ମତ୍ସ୍ୟଜୀବୀ ଅଛନ୍ତି, ସେମାନଙ୍କୁ କୂଳକୁ ଆଣିବାକୁ ଚେଷ୍ଟା କରାଯାଉଛି । ୫ ତାରିଖ ଯାଏଁ ମାଛମରାକୁ ବନ୍ଦ କରାଯାଇଛି ।

Odisha Mobilized 225 Team To 14 Districts For Cyclone Jawad

ବର୍ଷା ଓ ପବନ ଦ୍ୱାରା ଫସଲ କ୍ଷତିଗ୍ରସ୍ତ ହେବ । ଏଥିପାଇଁ ଜିଲ୍ଲାସ୍ତରରେ ମାଇକ୍ ଯୋଗେ ଫସଲ ଅମଳ ପାଇଁ ପ୍ରଚାର କରାଯାଇଛି । ଦକ୍ଷିଣ ଉପକୂଳ ଜିଲ୍ଲାରେ ବାତ୍ୟାର ପ୍ରଭାବ ଅଧିକ ରହିବ । ଓଡ୍ରାଫର ୬୦ଟି ଟିମ୍, ଏନଡିଆରଏଫର ୩୪ଟି ଟିମ୍, ଅଗ୍ନିଶମ ବାହିନୀର ୧୭୨ଟି ଟିମ୍ । ସର୍ବମୋଟ ୨୬୬ଟି ଟିମ୍ ଗଠନ କରାଯାଇଛି । ଏବେ ସୁଦ୍ଧା ୨୨୫ଟି ମୁତୟନ କରାଯାଇଛି । ଗଞ୍ଜାମରେ ଓଡ୍ରାଫର ୯ଟି ଟିମ୍, ଏନଡିଆରଏଫର ୬ଟି ଟିମ୍, ଫାୟାରର ୩୦ଟି ଟିମ୍ ମୋଟ ୪୫ଟି ଟିମ୍ ମୁତୟନ କରାଯାଇଛି ।

ସେହିଭଳି ଗଜପତି ଜିଲ୍ଲାରେ ଓଡ୍ରାଫର ୬ଟି ଟିମ୍, ଏନଡିଆରଏଫର ୨ଟି ଟିମ୍, ଅଗ୍ନିଶମ ବାହିନୀର ୧୦ଟିମ୍ ମୋଟ ୧୮ଟି ଟିମ୍ । ପୁରୀରେ ଓଡ୍ରାଫର ୩ଟି ଟିମ୍, ଏନଡିଆରଏଫର ୨ଟି ଟିମ୍, ଅଗ୍ନିଶମ ବାହିନୀର ୧୮ଟିମ୍ ମୋଟ ୨୩ଟି ଟିମ୍ । ଖୋର୍ଦ୍ଧାରେ ଓଡ୍ରାଫର ୨୧ଟି ଟିମ୍, କଟକରେ ୧୯ଟି ଅଗ୍ନିଶମ ବାହିନୀ, ଜଗତସିଂହପୁରରେ ୧୯ଟି ଟିମ୍, କେନ୍ଦ୍ରାପଡ଼ାରେ ୧୯ଟି, ଯାଜପୁରରେ ୧୬ଟି ଟିମ୍, ଭଦ୍ରକରେ ୧୭ଟି ଟିମ୍, ବାଲେଶ୍ୱରରେ ୧୭ଟି ଟିମ୍ ନିୟୋଜନ କରାଯାଇଛି । ୫୧ଟି ଟିମ୍ ଷ୍ଟାଣ୍ଡବାଏ ଥିବାବେଳେ ଆବଶ୍ୟକତା ଅନୁସାରେ ମୁତୟନ କରାଯିବ ।

ଏଥିସହ ପଢ଼ନ୍ତୁ: ଆଜି ଅବପାତ, କାଲି ବାତ୍ୟା; ୪ ଜିଲ୍ଲାକୁ ରେଡ୍ ଆଲର୍ଟ  

ବାତ୍ୟା ସ୍ଥଳଭାଗ ଛୁଇଁବା ବେଳେ ପବନର ବେଗ ସର୍ବାଧିକ ୧୦୦ କିଲୋମିଟର ରହିବ । ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର ଲାଗି ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସମୁଦ୍ରରେ ଉଚ୍ଚ ଜୁଆରକୁ ଲକ୍ଷ୍ୟରେ ରଖି ଲୋକଙ୍କୁ ସ୍ଥାନାନ୍ତରଣ କରାଯିବ । ବାତ୍ୟା ଆଶ୍ରୟସ୍ଥଳୀରେ ମାସ୍କ ଓ ସାନିଟାଇଜର ବ୍ୟବସ୍ଥା କରାଯିବ । ଛୋଟ ଛୁଆଙ୍କୁ ଶିଶୁ ଖାଦ୍ୟ ଦିଆଯିବ । ଏନେଇ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ଏସଆରସି । କୌଣସି ନେଟୱର୍କ ସମସ୍ୟା ରହିବ ନାହିଁ । ଗୋଟିଏ ଟାୱାର କ୍ଷତିଗ୍ରସ୍ତ ହେଲେ କମ୍ପାନୀ ଟାୱାର ଯୋଗାଇ ଦେବ । ଭିନ୍ନକ୍ଷମ ଓ ବରିଷ୍ଠ ନାଗରିକଙ୍କୁ ସ୍ଥାନାନ୍ତରଣରେ ପ୍ରାଥମିକତା ଦିଆଯିବ । ଡିସେମ୍ବର ୧୦ ସୁଦ୍ଧା ଗର୍ଭପାତ ତାରିଖ ଥିବା ପ୍ରସୂତିଙ୍କୁ ମଧ୍ୟ ଡାକ୍ତରଖାନା ନେବା ପାଇଁ ବ୍ୟବସ୍ଥା କରାଯିବ ।

Leave a Reply