spot_img

Latest Posts

ବିଜେଡିର ‘ଓଡ଼ିଶା ମୋ ପରିବାର’ କାର୍ଯ୍ୟକ୍ରମ, ରାଜନୀତିରୁ ଉର୍ଦ୍ଧ୍ୱରେ ରହି ସେବା କରିବାକୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷାରେ ଓଡ଼ିଶା ମୋ ପରିବାର ପ୍ରଥମ ଆନୁଷ୍ଠାନିକ ବୈଠକ ନବୀନ ନିବାସରେ ବସିଥିଲା। ରାଜନୀତିରୁ ଉର୍ଦ୍ଧ୍ୱରେ ରହି ସେବା କରିବା ପାଇଁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ। ମୁଖ୍ୟତଃ ପରିବେଶ ସୁରକ୍ଷା, ସ୍ୱାସ୍ଥ୍ୟ ଓ ପ୍ରବାସୀ ଓଡ଼ିଆଙ୍କ କଲ୍ୟାଣ ଦିଗରେ ଅଣ-ରାଜନୈତିକ ଫୋରମ୍‌ ଭାବେ କାମ କରିବେ କମିଟିର ସଦସ୍ୟ।

ଗତ ବର୍ଷର ପଦଯାତ୍ରାରେ ବିଜେଡ଼ିର ସାମାଜିକ ସେବା ଓ୍ବିଙ୍ଗ ଗଠନ ସଂପର୍କରେ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅବସରପ୍ରାପ୍ତ ଆଇପିଏସ୍‌ ଅଫିସର ଅରୁପ ପଟ୍ଟନାୟକଙ୍କ ଆବାହକତ୍ୱରେ ଆରମ୍ଭ ହୋଇଥିବା ଓଡ଼ିଶା ମୋ ପରିବାରର ଫୋକସରେ ରହିବ ସେବା । ଏଥିରେ ଏକ ଲକ୍ଷ ଲୋକ ସେବା ପ୍ରଦାନ ଦିଗରେ କାମ କରିବେ ବୋଲି ଏହାର ପ୍ରଥମ ବୈଠକରେ ଆଲୋଚନା ହୋଇଛି। ଜାତିର ପିତା ମହାତ୍ମା ଗାନ୍ଧୀ, ଉତ୍କଳମଣି ଗୋପବନ୍ଧୁ ଦାସ, ଉତ୍କଳ ଗୌରବ ମଧୁସୂଦନ ଦାସ ଏବଂ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଆଦର୍ଶରେ କାମ କରିବ ‘ଓଡ଼ିଶା ମୋ ପରିବାର’ ।

ଓଡ଼ିଶା ମୋ ପରିବାରର ତିନୋଟି କମିଟି ଉପରେ ନଜର ପକାଇବା:

ପରିବେଶ- ସାଂସଦ ପିନାକୀ ମିଶ୍ର ନେବେ ନେତୃତ୍ୱ । ବୃକ୍ଷରୋପଣ, ପ୍ଲାଷ୍ଟିକମୁକ୍ତ ଓଡ଼ିଶା, ଜଳଶୟର ପୁନରୁଦ୍ଧାର କରାଯିବ। ଦେଶରେ ପ୍ଲାଷ୍ଟିକମୁକ୍ତ ଅଭିଯାନରେ ଓଡ଼ିଶା ପରେ ମହାରାଷ୍ଟ୍ର କାମ କରିଛି। ସେହିପରି ଜାତୀୟ ଫରେଷ୍ଟ ରିପୋର୍ଟରେ ଓଡ଼ିଶା ଅଧିକ ଗଛ ଲଗାଇଥିବା ଉଲ୍ଲେଖ ରହିଛି। ଏହାକୁ ଆହୁରି ଆଗକୁ ନେବ ପରିବେଶ କମିଟି।

ସ୍ୱାସ୍ଥ୍ୟ- ବିଧାୟକ ଅତନୁ ସବ୍ୟସାଚୀ ନାୟକ ନେବେ ନେତୃତ୍ୱ । ଜୀବନ ବିନ୍ଦୁ ଜରିଆରେ ରକ୍ତଦାନ ଓ ତୃଣମୂଳ ସ୍ତରରେ ସ୍ୱାସ୍ଥ୍ୟ ସେବା ପହଞ୍ଚାଇବା ରହିବ ମୁଖ୍ୟ କାର୍ଯ୍ୟ ।

ପ୍ରବାସୀ ଓଡ଼ିଆ- ସାଂସଦ ଚନ୍ଦ୍ରଶେଖର ସାହୁ ନେବେ ନେତୃତ୍ୱ । ରାଜ୍ୟ ବାହାରେ ରହୁଥିବା ଓଡ଼ିଆ ଓ ଦାଦାନ ଖଟିବାକୁ ଯାଇଥିବା ଓଡ଼ିଆଙ୍କ ଡାଟାବେସ୍‌ କରାଯିବ। ସେମାନଙ୍କ ଅସୁବିଧା ନିରାକରଣ ସହ ପ୍ରବାସୀ ଓଡ଼ିଆଙ୍କ ସହ ଓଡ଼ିଶାର ଅଧିକ ସଂପର୍କ ଗଢିବା ରହିବ କମିଟିର ଲକ୍ଷ୍ୟ।

ସାରା ଭାରତରେ ଓଡ଼ିଶା ମୋ ପରିବାର ପରି କାର୍ଯ୍ୟରତ ଅନୁଷ୍ଠାନମାନଙ୍କ ସାମାଜିକ କାର୍ଯ୍ୟକ୍ରମ ଗୁଡିକୁ ଭବିଷ୍ୟତରେ ମୁଖ୍ୟମନ୍ତ୍ରୀଙ୍କ ଏହି ସେବା ଅଭିଯାନରେ ସାମିଲ କରାଯିବାର ପ୍ରସ୍ତାବ ରହିଛି ।

 

Latest Posts

Don't Miss