କ୍ୟାନସର ପୀଡ଼ିତାଙ୍କୁ ସାହା ହେଲା ଓଡ଼ିଶା ମୋ ପରିବାର

କଟକ: ସ୍ତନ କର୍କଟ ରୋଗରେ ପୀଡ଼ିତ ଜଣେ ମହିଳାଙ୍କୁ କ୍ୟାନସର ଚିକିତ୍ସାରେ ସମସ୍ତ ପ୍ରକାର ସହାୟତା ପ୍ରଦାନ କରିଛି ‘ଓଡ଼ିଶା ମୋ ପରିବାର’ । କଟକ ଜିଲ୍ଲା ଆଠଗଡ଼ର ସୁଲୋଚନା ପଟ୍ଟନାୟକ ଗତ କିଛି ଦିନ ହେବ ସ୍ତନ କର୍କଟ ରୋଗରେ ଆକ୍ରାନ୍ତ ଥିଲେ । ବ୍ୟୟବହୁଳ କର୍କଟ ରୋଗର ଚିକିତ୍ସା ପାଇଁ ତାଙ୍କ ପାଖରେ ସମ୍ୱଳ ନଥିଲା ।

କୌଣସି ସୂତ୍ରରୁ ଖବର ପାଇଁ ତାଙ୍କ ପରିବାର ଲୋକେ ବିଜେଡି ଯୁଗ୍ମ ସମ୍ପାଦକ (ଓଡ଼ିଶା ମୋ ପରିବାର)  ସମୀର ପ୍ରଧାନଙ୍କୁ ସହାୟତା ପାଇଁ ନିବେଦନ କରିଥିଲେ । ଏହା ପରେ ଓଡ଼ିଶା ମୋ ପରିବାର ତାଙ୍କର ଚିକିତ୍ସା ନିମନ୍ତେ ତାଙ୍କ ପାଇଁ ଯାତାୟତର ବନ୍ଦୋବସ୍ତ କରାଇ ତାଙ୍କୁ ଆଠଗଡ଼ରୁ କ୍ୟାପିଟାଲ ହସ୍ପିଟାଲ ଆଣିଥିଲେ ।

କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚିବା ପରେ ସେଠାରେ ‘ଓଡ଼ିଶା ମୋ ପରିବାର’ ହେଲ୍ପଡେସ୍କ ସଂଚାଳକ ବିକାଶ ବେହେରା ତାଙ୍କର ଚିକିତ୍ସାରେ ସମସ୍ତ ପ୍ରକାର ସାହାଯ୍ୟ କରିଥିଲେ । ପରେ ତାଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅଧିନରେ ବିକାଶ ଏକ ଘରୋଇ ହସ୍ପିଟାଲରେ ପରାମର୍ଶ କରାଇ ତାଙ୍କର ଚିକିତ୍ସା ଆରମ୍ଭ କରାଇଦେଇଥିଲେ । ସେଠାରେ ତାଙ୍କୁ ମାଗଣାରେ ୧୦ଟି ରାଡିଏସନ୍ ଥେରାପି ଦିଆଯାଇଥିଲା । ଏଥିପାଇଁ ହେଲ୍ପ ଡେସ୍କ ସଂଚାଳକ ଶିବ ରାଉତ ସମସ୍ତ ପ୍ରକାର ସହଯୋଗ କରିଥିଲେ । ଚିକିତ୍ସାଧୀନ ସମୟରେ ଓଡ଼ିଶା ମୋ ପରିବାର ଦ୍ୱାରା ତାଙ୍କର ରହିବା ପାଇଁ ଏକ ଗେଷ୍ଟହାଉସର ବନ୍ଦୋବସ୍ତ କରାଯିବା ସହିତ ଅତ୍ୟାବଶକୀୟ ଔଷଧ ମଧ୍ୟ ପ୍ରଦାନ କରାଯାଇଥିଲା ।

ରାଡିଏସନ ଥେରାପି ନେବା କାରଣରୁ ତାଙ୍କର କେଶ ଉପୁଡ଼ି ଯାଇଥିଲା । ତେବେ ତାଙ୍କର ସ୍ୱାସ୍ଥ୍ୟରେ ସୁଧାର ଆସିବା ପରେ ଆଜି ତାଙ୍କୁ ଓଡ଼ିଶା ମୋ ପରିବାର କାର୍ଯ୍ୟାଳୟରେ ଆବାହକ ଅରୂପ ପଟ୍ଟନାୟକଙ୍କ ଦ୍ୱାରା କୋଣାର୍କ କ୍ୟାନସର ଫାଉଣ୍ଡେସନ ସମନ୍ୱୟରେ ଏକ କୃତ୍ରିମ କେଶ ପ୍ରଦାନ କରାଯାଇଥିଲା । ‘ଓଡ଼ିଶା ମୋ ପରିବାର’ ମାର୍ଗଦର୍ଶନ ଦ୍ୱାରା ଏହି ବ୍ୟୟବହୁଳ ଚିକିତ୍ସା ପାଇପାରୁଥିବାରୁ ସୁଲୋଚନା ‘ଓଡ଼ିଶା ମୋ ପରିବାର’କୁ ଅଶେଷ କୃତଜ୍ଞତା ଜଣାଇଥିଲେ ।

Leave a Reply