ତେଲେଙ୍ଗାନା ଇଟାଭାଟିରୁ ଓଡ଼ିଆ ଶ୍ରମିକଙ୍କୁ ଫେରାଇ ଆଣିଲା ‘ଓଡ଼ିଶା ମୋ ପରିବାର’

ଭୁବନେଶ୍ୱର: ବଲାଙ୍ଗିର ଓ ସୋନପୁର ଜିଲ୍ଲାର ୧୫ ଜଣ ଶ୍ରମିକ ଏବଂ ତାଙ୍କ ଶିଶୁମାନଙ୍କୁ ତେଲେଙ୍ଗାନା ବେଗୁମ୍ପେଟ ଜିଲ୍ଲାର ପେଡାପଲ୍ଲୀ ଅଞ୍ଚଳ ଓଡ଼ିଶା ଫେରାଇ ଆଣିଛି ‘ଓଡ଼ିଶା ମୋ ପରିବାର’ । ଜଣେ ଠିକାଦାର ସେମାନଙ୍କୁ ମଜୁରୀ ନଦେଇ ଜୋର ଜବରଦସ୍ତି ଅଟକାଇ କାମ କରାଉଥିବା ଖବର ପାଇବା ପରେ ସେମାନଙ୍କୁ ଓଡ଼ିଶା ଫେରାଇ ଆଣାଯାଇଛି ।

ସୂଚନାଯୋଗ୍ୟ, ଗତ ୧୪ ତାରିଖରେ ସୋନପୁରର ସୁରେନ୍ଦ୍ର ଭରସାଗର ନାମକ ଜଣେ ବ୍ୟକ୍ତି ‘ଓଡ଼ିଶା ମୋ ପରିବାର’କୁ ଫୋନ ମାଧ୍ୟମରେ ପେଡିପଲ୍ଲୀ ଗାଁରେ ଏକ ଇଟାଭାଟିରେ ଜୋରଜବରଦସ୍ତ ବିନା ମଜୁରିରେ ଖଟାଇବା ସହିତ ନାନା ପ୍ରକା ନିଯ୍ୟାତନା ଜଣାଇଥିଲେ ।  ଏହି ଖବର ସମ୍ପର୍କରେ ଅବଗତ ହେବା ପରେ ‘ଓଡ଼ିଶା ମୋ ପରିବାର’ର ଆବାହକ ଅରୁପ ପଟ୍ଟନାୟକ ଆନ୍ଧ୍ର ପ୍ରଦେଶର ପୂର୍ବତନ ଡିଜିପି ଏସ୍‌.କେ ହୁଡ଼ା ଏବଂ ଓଡ଼ିଶା ମୋ ପରିବାର ଟିମ୍ ସେଠାକାର ଜିଲ୍ଲାପାଳ ଓ ପୋଲିସ ଡେପୁଟୀ କମିଶନରଙ୍କୁ ଏ ବିଷୟରେ ଅବଗତ କରାଇଥିଲେ । ଫେବ୍ରୁଆରୀ ୧୬ ତାରିଖରେ ଏସ୍‌.ପି ଓ ତାଙ୍କ ଟିମ୍‌ ପେଡାପଲ୍ଲୀଠାରେ ଥିବା ଇଟାଭାଟି ଉପରେ ଚଢ଼ାଉ କରିଥିଲେ ଏବଂ ସେମାନଙ୍କୁ ପ୍ରାପ୍ୟ ଦେବାକୁ କହିବା ସହ ସେମାନଙ୍କୁ ତାଙ୍କ ଗ୍ରାମକୁ ଫେରାଇଦେବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ ।

ଠିକାଦାର ସମସ୍ତ ୧୫ ଜଣ ଶ୍ରମିକ ଓ ତାଙ୍କ ନାବାଳକ ପିଲାମାନଙ୍କୁ ସେମାନଙ୍କ ଫେରିବା ଖର୍ଚ୍ଚ ଦେବା ସହିତ ତାଙ୍କର ଫେରିବା ପାଇଁ ଟିକେଟ୍‌ କରାଇଦେଇଥିଲେ । ସେମାନେ ସମସ୍ତେ ବିଶାଖା ଏକ୍ସପ୍ରେସରେ ୧୭ ତାରିଖରୁ ବାହାରି ୧୮ ତାରିଖରେ ବିଶାଖାପାଟଣାରେ ପହଞ୍ଚିଥିଲେ । ଅନ୍ୟ ଏକ ଟ୍ରେନ୍‌ ଧାନବାଦ ଏକ୍ସପ୍ରେସରେ ସେଠାରୁ ବାହାରି ସାରିଥିବା ବେଳେ ମଙ୍ଗଳବାର ରାତି ୧୧ଟା ୩୦ ମିନିଟ୍‌ରେ ବଲାଙ୍ଗିର ରେଳ ଷ୍ଟେସନ୍‌ରେ ପହଞ୍ଚିଥିଲେ । ସେଠାରେ ଓଡ଼ିଶା ମୋ ପରିବାର ତରଫରୁ ନିହାର ରଞ୍ଜନ ବେହେରା, ନାରାୟଣ ସାହୁ, ନିତ୍ୟାନନ୍ଦ ସାହୁ ସମେତ ବଲାଙ୍ଗିର ଜିଲ୍ଲା ଶ୍ରମ ଅଧିକାରୀ ଓ ସୋନପୁର ଜିଲ୍ଲା ଶ୍ରମ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ସମସ୍ତ ଶ୍ରମିକମାନଙ୍କୁ ସେମାନଙ୍କ ଗ୍ରାମକୁ ଯିବାପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଇଥିଲେ ।

Leave a Reply