spot_img

Latest Posts

ଥମୁନି ବିଧାୟକଙ୍କ ଦରମା ବୃଦ୍ଧି ଝଡ଼, ସାଧାରଣରେ ଅସନ୍ତୋଷ

ନନ୍ଦିଘୋଷ ବ୍ୟୁରୋ: ବିଧାୟକଙ୍କ ଦରମା, ପେନସନ ଓ ଭତ୍ତା ବୃଦ୍ଧିକୁ ନେଇ ସାରା ରାଜ୍ୟରେ ଦିନକୁ ଦିନ ଅସନ୍ତୋଷ ବଢ଼ିବାରେ ଲାଗିଛି । ବିଧାୟକମାନେ ଦରମା ବୃଦ୍ଧି ନେଇ ଭିନ୍ନ ଭିନ୍ନ ମତ ରଖୁଥିବା ବେଳେ ଏହାକୁ ନେଇ ବିଭିନ୍ନ ସାମାଜିକ ସଂଗଠନ ଓ ବିରୋଧୀ ସରକାରଙ୍କୁ ଘେରିଲେଣି । ବିଧାୟକଙ୍କ ଦରମା ବୃଦ୍ଧି ବିଲକୁ ଖାରଜ କରିବାକୁ ଯୁବ କଂଗ୍ରେସ ରାଜ୍ୟପାଳଙ୍କ ଦ୍ବାରସ୍ଥ ହେବ ବୋଲି ଚେତାବନୀ ଦେଇଛି ।

ଥମୁନି ବିଧାୟକଙ୍କ ଦରମା ବୃଦ୍ଧି ଝଡ଼ । ଦରମା ବୃଦ୍ଧି ବିଲକୁ ଖାରଜ କରିବାକୁ ଯୁବ କଂଗ୍ରେସର ଦାବି । ରାଜ୍ୟପାଳଙ୍କୁ  ଦାବିପତ୍ର ଦେବାକୁ ପ୍ରସ୍ତୁତି । ବିଧାୟକମାନେ ରଖିଲେ ଭିନ୍ନ ଭିନ୍ନ ମତ ।.. ..ବିଧାୟକଙ୍କ ଦରମା ୩ଗୁଣ ହେଲା । କାହିଁକି ଆବଶ୍ୟକ ଠାରୁ ଅଧିକ ବୃଦ୍ଧି ହେଲା ତାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖା ଦେଇଛି । ବର୍ଷକୁ ୫ ହଜାର ଟଙ୍କାରେ ଅନଲିମିଟେଡ ଡାଟା ସହ ଅନଲିମିଟେଡ କଲ ଉପଲବ୍ଧ ହୋଉଥିବା ବେଳେ  କାହିଁକି ବିଧାୟକଙ୍କୁ ମାସିକ ଟେଲିଫୋନ ଭତ୍ତା ୫ରୁ ୧୫ ହଜାରକୁ ବୃଦ୍ଧି କରାଗଲା । ବିଦ୍ୟୁତ ଭତ୍ତାକୁ ମଧ୍ୟ ୫ ହଜାରରୁ ୨୦ ହଜାର ଟଙ୍କା ବୃଦ୍ଧି ହେବାର କାରଣ କଣ ?  ବିଧାୟକ ମାନଙ୍କୁ ବହି କିଣା ବାବଦକୁ  ମାସିକ ୨ ହଜାର ପରିବର୍ତ୍ତେ  ୧୦ ହଜାର ଟଙ୍କା କାହିଁକି ? ଯୁବ କଂଗ୍ରେସ ଜାତୀୟ ସାଧାରଣ ସମ୍ପାଦକ ସ୍ମୃତି ରଞ୍ଜନ ଲେଙ୍କା ଏପରି ଅଭିଯୋଗ କରି ବିଜେପି ସରକାର ଉପରେ ବର୍ଷିଛନ୍ତି । ଓଡ଼ିଶା ଭଳି ଗରିବ ରାଜ୍ୟରେ ବିଧାୟକଙ୍କ ଦରମା ଦେଶରେ ସର୍ବାଧିକ ହେବା ଅତ୍ୟନ୍ତ ଦୁଃଖଦାୟକ ବୋଲି ସେ କହିଛନ୍ତି । ଏନେଇ ଯୁବ କଂଗ୍ରେସ ରାଜ୍ୟପାଳଙ୍କ ଦ୍ୱାରସ୍ଥ ହେବା ସହ ବିଧାୟକ ଦରମା ବୃଦ୍ଧି ବିଲକୁ ଖାରଜ କରିବାକୁ ଦାବି କରିଛନ୍ତି । ଶାସକ ଦଳ ବିଧାୟକ ବାବୁ ସିଂ କହିଛନ୍ତି  ଦରମା ବୃଦ୍ଧି ନେଇ ପ୍ରଶ୍ନ ଉଠିବାରୁ ସେ ତାଙ୍କ ଦରମା ଲୋକଙ୍କୁ ବାଣ୍ଟିଦେବେ ବୋଲି କହିଛନ୍ତି ।

ବିଧାୟକଙ୍କ ଦରମା ଏକାଥରେ ୩ଗୁଣା ବୃଦ୍ଧି ନେଇ ସାଧାରଣରେ ପ୍ରଶ୍ନ ଉଠିବା ପରେ ମୁହଁ ଖୋଲିଛନ୍ତି ଉଭୟ ଶାସକ ଓ ବିରୋଧୀ ଦଳର ବିଧାୟକ । ଦରମା ବୃଦ୍ଧି ହେବାର ଆବଶ୍ୟକ ରହିଛି । ଦରଦାମ ବୃଦ୍ଧି ଓ ବିଧାୟକଙ୍କ ଖର୍ଚ୍ଚକୁ ଦୃଷ୍ଟିରେ ରଖି ଦରମା ବୃଦ୍ଧି କରାଯାଇଛି । ଶାସକ ଦଳ ବିଧାୟକଙ୍କ ଦରମା ବୃଦ୍ଧି କରିବା ନେଇ ପ୍ରସ୍ତାବ ଆଣି ଗୃହରେ ପାରିତ କରିଛି । ଅନ୍ୟପଟେ କଂଗ୍ରେସର ଯୁବ ବିଧାୟକ ପବିତ୍ର ସାଉଁଟା ଦରମା ବୃଦ୍ଧି ନେଇ ଭିନ୍ନ ମତ ରଖିଛନ୍ତି ।

ସାରା ଦେଶରେ ବିଧାୟକ ଦରମା ଏବଂ ଭତ୍ତା ବୃଦ୍ଧି କରିବାରେ ଓଡିଶା ପ୍ରଥମ ରାଜ୍ୟ । ବିଧାୟକଙ୍କ ଦରମା ବୃଦ୍ଧି ନେଇ ସାଧାରଣରେ ଅସନ୍ତୋଷ ଦେଖା ଦେଇଥିବା ବେଳେ ନିର୍ବାଚନମଣ୍ଡଳିରେ ବିଧାୟକମାନେ ବାର୍ଷିକ ରିପୋର୍ଟ କାର୍ଡ ଦେବା ପାଇଁ ଦାବି ହୋଇଛି ।

Latest Posts

Don't Miss