ବିଧାୟକଙ୍କ ଦରମା ବୃଦ୍ଧି ପାଇଁ ତେଜିଲା ସ୍ବର, ୩ ଲକ୍ଷ କରିବାକୁ ଦାବି

ଭୁବନେଶ୍ବର: ବିଧାୟକଙ୍କ ଦରମା ଓ ପେନସନ ବୃଦ୍ଧି ପାଇଁ ବାଚସ୍ପତିଙ୍କୁ ସୁପାରିସ୍‌ କଲା ଦରମା ବୃଦ୍ଧି କମିଟି । ଦରଦାମ ବୃଦ୍ଧି, ଅନ୍ୟରାଜ୍ୟର ବିଧାୟକଙ୍କ ଦରମା ସହ ତୁଳନା କରି ଦରମା ବୃଦ୍ଧି ପାଇଁ ସୁପାରିସ କରାଯାଇଛି । ବିଧାୟକଙ୍କ ଗସ୍ତ ଖର୍ଚ୍ଚ ଓ ଦରମା ବୃଦ୍ଧି ପାଇଁ ବାଚସ୍ପତିଙ୍କୁ ସୁପାରିସ କରାଯାଇଛି । ଏହା ରାଜ୍ୟ ସରକାରଙ୍କ ବିଚାରାଧୀନ ଥିବା ଦରମା ବୃଦ୍ଧି କମିଟିର ଅଧ୍ୟକ୍ଷ ଅମର ଶତପଥୀ ଏହି ସୂଚନା ଦେଇଛନ୍ତି ।

ପୂର୍ବତନ ବିଧାୟକଙ୍କ ପେନସନ ବୃଦ୍ଧି ପାଇଁ ମଧ୍ୟ ସୁପାରିସ କରାଯାଇଛି । ବର୍ତ୍ତମାନ ଓଡ଼ିଶାର ବିଧାୟକମାନେ ଦରମା ଓ ଭତ୍ତା ବାବଦରେ ମାସିକ 99 ହଜାର ଟଙ୍କା ପାଉଛନ୍ତି । ଦରମା ବାବଦକୁ ୩୫ ହଜାର, କନଭେନିଏନ୍ସ ଆଲାଉନ୍ସ ୧୫ ହଜାର, ମେଡିକାଲ ଖର୍ଚ୍ଚ ୫ ହଜାର, ଟେଲିଫୋନ ପାଇଁ ୮ ହଜାର ଟଙ୍କା, ସେକ୍ରେଟିଆଲ ଖର୍ଚ୍ଚ ୨୦ ହଜାର, ବିଦ୍ୟୁତ ଭଡ଼ା ପାଇଁ ୫ ହଜାର ଟଙ୍କା ମିଳୁଛି ।

ସେହିପରି ପୂର୍ବତନ ବିଧାୟକମାନେ ପେନସନ ବାବଦକୁ ମାସିକ ୩୦ ହଜାର ଟଙ୍କା ପାଉଛନ୍ତି । ତେଣୁ ବିଧାୟକଙ୍କ ଦରମା ଓ ଭତ୍ତା ବୃଦ୍ଧି ହେବା ନିହାତି ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି । ୨୦୧୭ରେ ଶେଷଥର ପାଇଁ ବିଧାୟକଙ୍କ ଦରମା ବୃଦ୍ଧି କରାଯାଇଥିଲା । ଓଡ଼ିଶା ବିଧାୟକଙ୍କ ଦରମା ୧ ଲକ୍ଷରୁ ୩ଲକ୍ଷ ଟଙ୍କାକୁ ବୃଦ୍ଧି କରିବାକୁ ଶାସକ ଓ ବିରୋଧୀ ଦଳ ଦାବି କରିଥିଲେ ।