ଜାପାନରେ ଭାରତର ରାଷ୍ଟ୍ରଦୂତଙ୍କୁ ଭେଟିଲେ ମନ୍ତ୍ରୀ ଅଶୋକ ପଣ୍ଡା
ଭୁବନେଶ୍ୱର: ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ଏବଂ ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଆଜି ଜାପାନରେ ଭାରତର ରାଷ୍ଟ୍ରଦୂତ ଶିବି ଜର୍ଜଙ୍କୁ ସାକ୍ଷାତ କରିଛନ୍ତି । ମନ୍ତ୍ରୀ ଶ୍ରୀ ପଣ୍ଡା ଓଡ଼ିଶା ପକ୍ଷରୁ ରାଷ୍ଟ୍ରଦୂତଙ୍କୁ ଅଭିନନ୍ଦନ ଜଣାଇବା ସହିତ ସୌଜନ୍ୟମୂଳକ ମତବିନିମୟ କରିଥିଲେ । ଆଲୋଚନା ସମୟରେ ମନ୍ତ୍ରୀ ଶ୍ରୀ ପଣ୍ଡା ଓଡ଼ିଶାରେ ବାୟୋଟେକ୍ନୋଲୋଜି ବିକାଶ ନେଇ ମତ ରଖିଥିଲେ ।
ଜାପାନୀ ଭାଷା ଶିକ୍ଷାଗ୍ରହଣ ସହିତ ଭବିଷ୍ୟତର ନିଯୁକ୍ତି ସୁଯୋଗକୁ ଓଡ଼ିଶାରେ ସଂପ୍ରସାରିତ କରିବା ଲକ୍ଷ୍ୟ ଏବଂ ବାୟୋଟେକ୍ନୋଲୋଜି ଅଧ୍ୟୟନ ତଥା ଗବେଷଣା କ୍ଷେତ୍ରରେ ଛାତ୍ର ବିନିମୟ କାର୍ଯ୍ୟକ୍ରମ ଉପରେ ମନ୍ତ୍ରୀ ଶ୍ରୀ ପଣ୍ଡା ଗୁରୁତ୍ୱ ଦେଇଥିଲେ । ସେହିପରି ସାମୁଦି୍ରକ ବିଜ୍ଞାନ ଅଧ୍ୟୟନ ଓ ଗବେଷଣା ସାଙ୍ଗକୁ ରାଜ୍ୟରେ ବୟସ୍କମାନଙ୍କ ବାର୍ଦ୍ଧକ୍ୟଜନିତ ସମସ୍ୟାର ଉପଚାର ନିମନ୍ତେ ବିଶେଷ ସହଭାଗିତା ଉପରେ ମତବିନିମୟ ହୋଇଥିଲା ।
ରାଜ୍ୟରେ ବୌଦ୍ଧ ପର୍ଯ୍ୟଟନର ବିକାଶ ନେଇ କଥାବାର୍ତ୍ତା ହୋଇଥିଲା । ରାଷ୍ଟ୍ରଦୂତ ଶ୍ରୀ ଜର୍ଜ ଉପରୋକ୍ତ ପ୍ରସଙ୍ଗଗୁଡ଼ିକ ଉପରେ ଅନୁକୂଳ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହି ସୌଜନ୍ୟମୂଳକ ସାକ୍ଷାତ ଆଲୋଚନାରେ ଭାରତୀୟ ଦୂତାବାସର ପ୍ରଥମ ସଚିବ ସୁରେଶ ଲାଖାବତ୍ ମଧ୍ୟ ଉପସ୍ଥିତ ଥିଲେ । ଆଲୋଚନାରେ ମଧ୍ୟ ପୂର୍ବତନ ମନ୍ତ୍ରୀ ତଥା ବଡ଼ମ୍ବା ବିଧାୟକ ଦେବୀପ୍ରସାଦ ମିଶ୍ର ସାମିଲ ହୋଇଥିଲେ ।