spot_img

Latest Posts

ଡାକ୍ତରୀ ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ନିର୍ଦ୍ଦେଶନାମା

ନନ୍ଦିଘୋଷ ବ୍ୟୁରୋ: ୨ ବର୍ଷର ବଣ୍ଡ୍ ଅବଧି ପୂରଣ ନକଲେ ଦୁଇଗୁଣା ଜରିମାନା। ରାଜ୍ୟର ସରକାରୀ ମେଡିକାଲ୍ କଲେଜ କିମ୍ବା ଡେଣ୍ଟାଲ୍ କଲେଜରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଲାଗୁ ହୋଇଥିବା ବଣ୍ଡ ନିୟମରେ ରାଜ୍ୟ ସରକାର ପରିବର୍ତ୍ତନ ଆଣିଛନ୍ତି । ୨ ବର୍ଷର ବଣ୍ଡ ଅବଧି ପୂରଣ କରୁ ନ ଥିବା ଛାତ୍ରଛାତ୍ରୀଙ୍କୁ ମିଳିଥିବା ଷ୍ଟାଇପେଣ୍ଡ କିମ୍ବା ଦରମାର ଦୁଇଗୁଣା ଜରିମାନା ଦେବାକୁ ପଡ଼ିବ। ରାଜ୍ୟରେ ଡାକ୍ତରଙ୍କ ଅଭାବ ରହିଛି। ମାତ୍ର ସରକାରୀ ଅର୍ଥରେ ରାଜ୍ୟର ବିଭିନ୍ନ ସରକାରୀ ମେଡିକାଲ କଳେଜରେ ପଢୁଥିବା ଛାତ୍ରଛାତ୍ରୀ ପରବର୍ତ୍ତୀ ସମୟରେ ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟ କରିବା ଲାଗି ଅନିଚ୍ଛା ପ୍ରକାଶ କରୁଛନ୍ତି। ତେଣୁ ଏହି ଡାକ୍ତରମାନେ କିଭଳି ସେବା ଯୋଗାଇବେ, ସେଥିପାଇଁ ସ୍ବାସ୍ଥ୍ଯ ବିଭାଗ ପକ୍ଷରୁ ନିୟମରେ ପରିବର୍ତ୍ତନ କରାଯାଇଛି।

ଓଡ଼ିଶା କ୍ଲିନିକାଲ୍ ଏଷ୍ଟାବ୍ଲିସ୍‌ମେଣ୍ଟ ଅଇନ ଅନୁଯାୟୀ ପଞ୍ଜିକୃତ ଘରୋଇ ସ୍ବାସ୍ଥ୍ୟନୁଷ୍ଠାନଗୁଡ଼ିକ ମାଜିଷ୍ଟ୍ରେଟ୍‌ଙ୍କ ନିକଟରେ ସତ୍ୟପାଠ ବିନା ସଂପୃକ୍ତ ଡାକ୍ତରଙ୍କୁ ନିଯୁକ୍ତି ଦେବାକୁ ମନା କରାଯାଇଛି । ଯେଉଁ ଛାତ୍ରଛାତ୍ରୀମାନେ ପାଠ୍ୟକ୍ରମ ଶେଷ ହେବାପୂର୍ବରୁ ପାଠ ଛାଡ଼ିବେ ସେମାନଙ୍କୁ ୧୦ଲକ୍ଷ ଟଙ୍କା କିମ୍ବା ଷ୍ଟାଇପେଣ୍ଡ ବା ଦରମା ଆକାରରେ ମିଳିଥିବା ଅର୍ଥକୁ ଦେବାକୁ ପଡ଼ିବ । ଯଦି ଜରିମାନା ଅର୍ଥ ପ୍ରଦାନ ନ କରନ୍ତି, ତାହେଲେ ଓଡ଼ିଶା ପବ୍ଲିକ ଡିମାଣ୍ଡ ରିକଭରି ଆଇନ ଅନୁଯାୟୀ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା‌ଯିବ । ଡିଏମଇଟି ଡାକ୍ତର ସଚ୍ଚିଦାନନ୍ଦ ମହାନ୍ତି କହିଛନ୍ତି , ଡାକ୍ତରଙ୍କ ପ୍ରତି ରାଜ୍ୟ ସରକାରଙ୍କ କଠୋର ମନୋଭାବ ନାହିଁ।  ଦୁଇ ବର୍ଷ ବଣ୍ଡ ଆଗରୁ ଥିଲା। ଅନ୍ୟ ରାଜ୍ୟରେ ଏହା ୧୦ ବର୍ଷ ଯାଏ ଅଛି। ଖୁବ ଶୀଘ୍ର ଘରୋଇ ମେଡିକାଲ କଲେଜ ପାଇଁ ବି ଏହି ନିୟମ ଲାଗୁ ହେବ। ସମସ୍ତଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇବାକୁ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟ ବୋଲି ଡିଏମଇଟି ଡାକ୍ତର ସଚ୍ଚିଦାନନ୍ଦ ମହାନ୍ତି କହିଛନ୍ତି ।

Latest Posts

Don't Miss