ଆସନ୍ତା ୧୦ରୁ ରାଜ୍ୟରେ ବର୍ଷା ! ଅମଳ ସୁରକ୍ଷିତ ରଖିବା ପାଇଁ ପରାମର୍ଶ

ଭୁବନେଶ୍ୱର: ବଙ୍ଗୋପସାଗରରେ ପଶ୍ଚିମା ଝଡ଼ ସକ୍ରିୟ ହେବାରୁ ଦକ୍ଷିଣ ପଶ୍ଚିମ ରାଜସ୍ଥାନ ସହ ଆଖପାଖ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଯାହାର ପ୍ରଭାବରେ ଆସନ୍ତାକାଲିଠୁ ପାଗ ବଦଳିବା ସହ ୧୦ରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷାର ସମ୍ଭାବନା ରହିଛି । ପଶ୍ଚିମ ଓଡ଼ିଶାରୁ ବର୍ଷା ଆରମ୍ଭ ହୋଇ ୧୨ ତାରିଖ ସୁଦ୍ଧା ସାରା ରାଜ୍ୟରେ ବର୍ଷିବ । ସେପଟେ ଅଦିନିଆ ବର୍ଷା ସମୟରେ ଫସଲ ପରିଚାଳନା ନେଇ ମାର୍ଗଦର୍ଶିକା ଜାରି କରିଛି ଓୟୁଏଟି ।

ଜାନୁଆରୀ ୧୧ରୁ ୧୪ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା । ଆସନ୍ତାକାଲିଠୁ ପାଗ ବଦଳିବାକୁ ଆରମ୍ଭ ହେବ । ଏହି ସମୟରେ ନୂଆପଡ଼ା, ବରଗଡ଼, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ରେ ହାଲୁକା ବର୍ଷା ହେବ । ୧୦ରୁ ନୂଆପଡ଼ା, ବଲାଙ୍ଗୀର, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ଦେବଗଡ଼ ଓ ସୁବର୍ଣ୍ଣପୁରରେ ବର୍ଷାର ମାତ୍ରା ବଢିବା ସମ୍ଭାବନା ରହିଛି । ୧୧ ଓ ୧୨ରେ ଆଭ୍ୟନ୍ତରିଣ ଓ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହେବ । ଏହି ଦୁଇ ଦିନରେ ଝଡ଼ତୋଫୋନ ସହ କୁଆପଥର ବୃଷ୍ଟି ହେବାର ସମ୍ଭାବନା ରହିଛି । ଶୀତ ଦିନିଆ ବର୍ଷା ଯୋଗୁ ଚାଷ ସର୍ବାଧିକ ପ୍ରଭାବିତ ହେବା ନେଇ ଆଶଙ୍କା ପ୍ରକାଶ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ବର୍ଷା ଅଣଜଳସେଚିତ ଜମି ପାଇଁ ଲାଭଦାୟକ ହେବ । ହେଲେ ପନିପରିବାକୁ ରୋଗପୋକ ଲାଗି ନଷ୍ଟ କରିପାରନ୍ତି । ଆଦ୍ରତା ଅଧିକ ଥିବାରୁ ଆଳୁ ଓ ଟମାଟୋ ଚାଷ ଅଧିକ ପ୍ରଭାବିତ ହୋଇପାରେ । ଅମଳ ହୋଇଥିବା ଖରିଫ ଧାନ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ଚାଷୀଙ୍କୁ ପରାମର୍ଶ ଦେଇଛି ଓୟୁଏଟି । କୀଟନାଶକ ଔଷଧ ସିଞ୍ଚନ ଓ ଜଳସେଚନ ସାମୟିକ ବନ୍ଦ ରଖିଲେ ଭଲ ।

ଆସନ୍ତା ୨୪ ଘଣ୍ଟା ଯାଏଁ ଭୁବନେଶ୍ୱରରେ ପାଗ ଶୁଖିଲା ରହିବ । ତାପମାତ୍ରା ୧୫ ଡିଗ୍ରୀ ଭିତରେ ରହିବ । ହେଲେ ୧୧ ଓ ୧୨ ତାରିଖରେ ଭୁବନେଶ୍ୱରରେ ବି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

Leave a Reply