ୟା ୟା … ହନି.. ଆଉ ତା’ପରେ ଉଡିଗଲା ମନି,କେମିତି ? ଜାଣନ୍ତୁ..

ଭୁବନେଶ୍ୱର: ହନିଟ୍ରାପ୍ ଦ୍ୱାରା ଗୋଟିଏ ଦେଶର ଗୁପ୍ତତଥ୍ୟକୁ ଆଉ ଗୋଟିଏ ଦେଶ ଚୋରାଇ ନିଏ । ଆଗରୁ ଫିଜିକାଲ ହନିଟ୍ରାପ୍ ହେଉଥିଲା । ସୋସିଆଲ ମିଡିଆ ଯୁଗରେ ଗୁପ୍ତଚର ଓ ଠକଙ୍କ ପାଇଁ ଏବେ ଫେସବୁକ ସହଜ ଅସ୍ତ୍ର ପାଲଟିଛି । ଆଖି ଝଲସିଆ କିଛି ଫଟୋ ଅପଲୋଡ୍ କରିବା ସହ ଜାଲରେ ପଡିବାକୁ ଶିକାର ପ୍ରସ୍ତୁତ ହୋଇଯାଏ । ଖାଲି ଗୁଇନ୍ଦା ଦସ୍ତାବିଜ୍ ନୁହେଁ ଟଙ୍କା ପାଇଁ ମଧ୍ୟ ଏଭଳି ହନିଟ୍ରାପ୍ ହେଉଛି । ଅନଲାଇନ୍ ଠକେଇ ପାଇଁ ନାଇଜେରିଆ ବିଶେଷ ଭାବେ କୁଖ୍ୟାତ । ଏବେ ସେଇଭଳି ଗୋଟିଏ ଘଟଣା ସାମ୍ନାକୁ ଆସିଛି,ଯେଉଁଥିରେ ଜଣେ ସୁନ୍ଦରୀଙ୍କ ଚକ୍କରରେ ପଡି ଜଣେ ପୌଢ ହରାଇଛନ୍ତି ୫୦ ହଜାର ଟଙ୍କା । ତାହା ପୁଣି ଆଉ କାହାରିଠାରୁ ଧାର କରି ଆଣିଥିବା ଟଙ୍କା । ଏହି ଠକେଇର ଶିକାର ହୋଇଥିବା ବ୍ୟକ୍ତି ଭୁବନେଶ୍ୱରର ବୋଲି କୁହାଯାଉଛି ।

ରୁସ୍ତମ ଅଲ୍ଲୀ ନାମକ ଜଣେ ବ୍ୟକ୍ତିଙ୍କର ଫେସବୁକରେ ଜେନିଫର ୱିଲିୟମ୍ସ ନାମକ ଝିଅ ସହ ବନ୍ଧୁତା ହୁଏ । ବନ୍ଧୁତାରୁ ଫୋନ ନମ୍ବର ଆଦାନପ୍ରଦାନ ହୋଇଯାଏ । ଏହାପରେ ଉଭୟଙ୍କ ମଧ୍ୟରେ ହ୍ୱାଟସଆପରେ ଚାଟିଂ ମଧ୍ୟ ହୁଏ । ଜେନିଫରଙ୍କ ଫେସବୁକ୍ ପେଜ୍ ଅନୁସାରେ ସେ ମ୍ୟୁନିକ୍,ଜର୍ମାନୀରେ ରୁହନ୍ତି । ସେ ରୁସ୍ତମଙ୍କୁ ଦେଖା କରିବା ପାଇଁ ଭାରତ ଆସୁଛନ୍ତି ବୋଲି କହିଥିଲେ । ଜେନିଫର ଜାନୁଆରୀ ୭ ତାରିଖ ଦିନ ଲଣ୍ଡନର ହ୍ୟାଥ୍ରୁ ଏୟାରପୋର୍ଟରୁ ବ୍ରିଟିସ୍ ଏୟାରୱେଜର ଫ୍ଲାଇଟ ଦ୍ୱାରା ଭାରତ ଆସୁଥିବା ହ୍ୱାଟସଆପ୍ କରି ରୁସ୍ତମଙ୍କୁ ଜଣାଇଥିଲେ । କେବଳ ଜଣାଇ ନଥିଲେ ବିମାନ ଟିକେଟର ଫଟୋ ମଧ୍ୟ ପଠାଇଥିଲେ । ଚାଟରେ ଲେଖିଥିଲେ ଯେ, ମୁଁ ମୁମ୍ବାଇରୁ ସିଧାସଳଖ ଭୁବନେଶ୍ୱର ଯିବି । ସେଠାରେ ଆମରେ ସାକ୍ଷାତ ହେବ ।

jenifer

କିନ୍ତୁ ଏହାପରେ ଆରମ୍ଭ ହୋଇଥିଲା ଅସଲ ଖେଳ । ରୁସ୍ତମଙ୍କୁ ଜାନୁଆରୀ ୮ ତାରିଖ ଦିନ ଫୋନ୍ ଆସିଥିଲା । ଫୋନ୍ କରିଥିଲେ ଜେନିଫର । ଜେନିଫର ରୁସ୍ତମଙ୍କୁ ଫୋନ୍ କରି କହିଥିଲେ ଯେ, ମୁମ୍ବାଇ ବିମାନ ବନ୍ଦରରେ ଫସିଯାଇଛନ୍ତି । ନିଜ ସହ ଆଣିଥିବା ୫୦ ହଜାର ପାଉଣ୍ଡର ଡିମାଣ୍ଡ୍ ଡ୍ରାଫ୍ଟ ଭଙ୍ଗାଇବାକୁ ତାଙ୍କୁ ୫୦ ହଜାର ଟଙ୍କା ଆବଶ୍ୟକ ବୋଲି କହିଥିଲେ । ପ୍ରଥମ ଫୋନ କଲ ଆସିବା ବେଳେ ରୁସ୍ତମ ଟ୍ରାଫିକରେ ଥିବା କହି ପରେ କଲବ୍ୟାକ୍ କରିବାକୁ କହିଥିଲେ । ଦ୍ୱିତୀୟ କଲ ମଧ୍ୟ ଆସିଥିଲା । ଏଥର ଜେନିଫର କଥା ହେବା ପରେ ଅନ୍ୟଜଣେ ଅଜଣା ବ୍ୟକ୍ତିଙ୍କୁ ଫୋନ୍ ଧରାନ୍ତି ।

ଏହି ବ୍ୟକ୍ତି ଜଣକ ନିଜକୁ କଷ୍ଟମ ଅଧିକାରୀ ବୋଲି ପରିଚୟ ଦେଇ ଜେନିଫରଙ୍କ ଅସୁବିଧା କଥା କୁହନ୍ତି । ସେ ରୁସ୍ତମଙ୍କୁ ୪୫ ହଜାର ଟଙ୍କା ଟ୍ରାନସଫର କରିବାକୁ କିମ୍ବା ନିଜ ଆକାଉଣ୍ଟ ଡିଟେଲ ଦେବାକୁ କୁହନ୍ତି । ଆକାଉଣ୍ଟ ଡିଟେଲ ଦେଲେ ଭାରତୀୟ ମୁଦ୍ରାରେ ୫୭ ଲକ୍ଷ ଟଙ୍କା  ତାଙ୍କ ଆକାଉଣ୍ଟରେ ଡିପୋଜିଟ୍ ହେବ ବୋଲି ଏହି ବ୍ୟକ୍ତି ଜଣକ ରୁସ୍ତମଙ୍କୁ କୁହନ୍ତି । ରୁସ୍ତମ ନିଜ ପାଖରେ ଟଙ୍କା ନାହିଁ ବୋଲି କହିବା ସହ କାହାରିଠାରୁ ୪୫ ହଜାର ଟଙ୍କା ଯୋଗାଡ କରିବାକୁ ପଡିବ ଓ ଏଥିପାଇଁ ସମୟ ଆବଶ୍ୟକ ବୋଲି ସଂପୃକ୍ତ ବ୍ୟକ୍ତିଙ୍କୁ କୁହନ୍ତି ।

ରୁସ୍ତମ ଟଙ୍କା ଦେବା ପରଠାରୁ ଜେନିଫର ଗାଏବ ହୋଇଯାଇଛନ୍ତି । ତଳେ ଥିବା ଫେସବୁକ ପେଜର ପ୍ରୋଫାଇଲକୁ ଦେଖନ୍ତୁ । ଏହା ହେଉଛି ଜେନିଫରଙ୍କ ପ୍ରୋଫାଇଲ । ଜେନିଫରଙ୍କ ଏହି ପ୍ରୋଫାଇଲ ନକଲି ହୋଇଥିବ ଏଥିରେ କୌଣସି ସନ୍ଦେହ ନାହିଁ ।

ସାଇବର ଏକ୍ସପର୍ଟଙ୍କ ଅନୁସାରେ ଏଭଳି ଠକେଇର ଶିକାର ହେବାରୁ ଆପଣ ସହଜରେ ରକ୍ଷା ପାଇପାରିବେ । ଏଥିପାଇଁ କୌଣସି ଟେକ୍ନୋଲୋଜିର ଆବଶ୍ୟକତା ନାହିଁ । କେବଳ ସାଧାରଣ ଜ୍ଞାନ ଜରୁରୀ । ଆଉ ତା’ ହେଉଛି ଅଜଣା ଅଚିହ୍ନା ଲୋକଙ୍କ ଫ୍ରେଣ୍ଡ୍ ରିକ୍ୱେଷ୍ଟକୁ ଗ୍ରହଣ କରନ୍ତୁ ନାହିଁ  କି ସେମାନଙ୍କ ସହ ବେଶି ଭାବ ବଢାନ୍ତୁ ନାହିଁ ।

Leave a Reply