ଓଡ଼ିଶାରେ ଦ୍ରୁତଗତିରେ ହ୍ରାସ ପାଉଛି ବେକାରୀ, ଟ୍ୱିଟରରେ ଟ୍ରେଣ୍ଡ କରୁଛି #OdishaLowestUnemployment

2 min read
Odisha Lowest Unemployment In India Trends In Twitter

ଭୁବନେଶ୍ୱର: ରାଜ୍ୟରେ ହ୍ରାସ୍ ପାଉଛି ବେକାରୀଙ୍କ ସଂଖ୍ୟା । ସେଣ୍ଟର ଫର୍ ମନିଟରିଂ ଇଣ୍ଡିଆନ୍ ଇକୋନୋମି (CMIE) ପକ୍ଷରୁ ଏହି ତଥ୍ୟ ପ୍ରକାଶ ପାଇଛି । ସର୍ବଭାରତୀୟ ସ୍ତରରେ ମାର୍ଚ୍ଚ ମାସରେ ବେକାରୀ ହାର ୭.୫ ପ୍ରତିଶତ ରହିଥିବା ବେଳେ ରାଜ୍ୟରେ ଏହି ହାର ମାତ୍ର ୧ ପ୍ରତିଶତ । ସମଗ୍ର ଦେଶରେ ଓଡ଼ିଶା ବେକାରୀ ହାର ହ୍ରାସରେ ଶୀର୍ଷରେ ରହିଛି । ଦେଶର ସବୁ ବିକଶିତ ଏବଂ ପ୍ରଭାବଶାଳୀ ରାଜ୍ୟକୁ ପଛରେ ପକାଇ ଓଡ଼ିଶା ସରକାର ଅଧିକରୁ ଅଧିକ ସଂଖ୍ୟାରେ ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ସକ୍ଷମ ହୋଇଛନ୍ତି ।

Odisha Lowest Unemployment In India Trends In Twitter

ଫେବ୍ରୁଆରୀ ମାସ ତଥ୍ୟ ଅନୁଯାୟୀ, ରାଜସ୍ଥାନରେ ବେକାରୀ ହାର ସମଗ୍ର ଦେଶରେ ସର୍ବାଧିକ । ରାଜସ୍ଥାନରେ ବେକାରୀ ହାର ୩୨.୩ ପ୍ରତିଶତ ରହିଥିବା ବେଳେ ତା ତଳକୁ ରହିଛି ବିଜେପି ଶାସିତ ହରିୟାଣା । ହରିୟାଣାରେ ୩୧ ପ୍ରତିଶତ, ଝାଡ଼ଖଣ୍ଡରେ ୧୫ ପ୍ରତିଶତ, ବିହାରରେ ୧୪ ପ୍ରତିଶତ, ଗୋଆରେ ୧୨ ପ୍ରତିଶତ, ଆସାମରେ ୧୦.୨ ପ୍ରତିଶତ ରହିଛି ।

ଦ୍ରୁତଗତିରେ ଓଡ଼ିଶାରୁ ବେକାରୀ ହ୍ରାସ ପାଉଥିବାରୁ ସମଗ୍ର ଦେଶରେ ପୁଣିଥରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟଶୈଳୀକୁ ପ୍ରଶଂସା କରାଯାଇଛି । ମାଇକ୍ରୋ ବ୍ଲଗିଙ୍ଗ୍ ସାଇଟ୍ ଟ୍ୱିଟରରେ ଟ୍ରେଣ୍ଡ କରୁଛି #OdishaLowestUnemployment । ଶିକ୍ଷିତ ଯୁବକ ଯୁବତୀଙ୍କ ଦକ୍ଷତା ବିକାଶକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବାଧିକ ଗୁରୁତ୍ୱ ଦେଉଥିବା ବେଳେ ଗତ କିଛି ବର୍ଷ ମଧ୍ୟରେ ସବୁ ବର୍ଗର ଲୋକ ଏପରିକି ମହିଳାଙ୍କ ପାଇଁ ସୃଷ୍ଟି ହୋଇଥିବା ପର୍ଯ୍ୟାପ୍ତ ଆତ୍ମନିଯୁକ୍ତି ସୁଯୋଗ ବେକାରୀ ସଂଖ୍ୟାକୁ ୧ ପ୍ରତିଶତକୁ ହ୍ରାସ କରିପାରିଛି ।

ଏଥିସହିତ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ମାଧ୍ୟମରେ ଗାଁର ମହିଳାମାନେ ବି ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି । ନିଯୁକ୍ତି ସୁଯୋଗ ସୃଷ୍ଟିରେ ଗୁଜରାଟ, ମଧ୍ୟପ୍ରଦେଶ, ଦିଲ୍ଲୀ ଭଳି ରାଜ୍ୟମାନେ ଓଡ଼ିଶାଠାରୁ ବହୁ ପଛରେ ରହିଛନ୍ତି ।