ଜିଏସଟି ସଂଗ୍ରହରେ ଆଗରେ ଓଡ଼ିଶା

ଭୁବନେଶ୍ବର: ଓଡ଼ିଶା ସରକାରଙ୍କ ଟିକସ ସରଳୀକରଣ ପଦକ୍ଷେପ ଯୋଗୁଁ ଆଜି ଏହି ସଫଳତା ପାଇଛି ଓଡ଼ିଶା । ଲୋକସଭାରେ ଜିଏସଟି ସଂଶୋଧନ ବିଲ୍ ଉପରେ ବିଜେଡି ସାଂସଦ ଶର୍ମିଷ୍ଠା ସେଠୀ ଏହି ପ୍ରତିକ୍ରିୟା ରଖିଛନ୍ତି । ବିଜୁ ଜନତା ଦଳ ପକ୍ଷରୁ ବିଲର ସମର୍ଥନରେ ପକ୍ଷ ରଖିଥିଲେ ଶର୍ମିଷ୍ଠା । ରାଜ୍ୟଗୁଡିକ ଠିକ୍ ସମୟରେ ଜିଏସଟି କ୍ଷତିପୂରଣ ପାଇବା ଉଚିତ୍ | ଜିଏସଟି କ୍ଷତିପୂରଣ ସମୟରେ ନପାଇବାରୁ ରାଜ୍ୟ ସରକାରଙ୍କ କଲ୍ୟାଣ ନୀତି ଉପରେ ପ୍ରଭାବ ପଡୁଥିବା କହିଛନ୍ତି ଶର୍ମିଷ୍ଠା ।

କେନ୍ଦୁପତ୍ର ଉପରେ ଅଧିକ ଜିଏସଟି ହାର ପ୍ରସଙ୍ଗ ମଧ୍ୟ ଉଠାଇଥିଲେ ସାଂସଦ । କେନ୍ଦୁପତ୍ର ଉପରୁ ୧୮ ପ୍ରତିଶତ ଜିଏସଟି ଆଦାୟ ଯୋଗୁଁ କ୍ଷତି ସହୁଛନ୍ତି କେନ୍ଦୁପତ୍ର ତୋଳଳୀ । ଏନେଇ ଏହି ଜଙ୍ଗଲଜାତ ଦ୍ରବ୍ୟ ଉପରୁ ଜିଏସଟି ହାରକୁ ୧୮ ପ୍ରତିଶତରୁ ୫ ପ୍ରତିଶତକୁ ହ୍ରାସ କରିବାକୁ ଅର୍ଥ ମନ୍ତ୍ରଣାଳୟକୁ ଅନୁରୋଧ କରିଥିଲେ ଶର୍ମିଷ୍ଠା । କୋଭିଡ ପରେ ଟେକ୍ସଟାଇଲ୍ସ ସେକ୍ଟର ଅସୁବିଧାର ସମ୍ମୁଖୀନ ହେଉଛି । ତେଣୁ ସମସ୍ତ ଟେକ୍ସଟାଇଲ୍ ପ୍ରଡକ୍ଟ ଉପରେ ଜିଏସଟିକୁ ୫ ପ୍ରତିଶତକୁ ହ୍ରାସ କରାଯିବା ଉଚିତ ବୋଲି କହିଥିଲେ ଶର୍ମିଷ୍ଠା । ଜୀବନ ରକ୍ଷାକାରୀ ଔଷଧ ଏବଂ ଚିକିତ୍ସା ଅନୁସନ୍ଧାନରେ ଡାକ୍ତରଖାନାରେ ବ୍ୟବହୃତ ହେଉଥିବା ସାମଗ୍ରୀ ଉପରେ ଜିଏସଟି ଛାଡ କରାଯାଉ ବୋଲି ଯୁକ୍ତି ରଖି ଥିଲେ ବିଜେଡି ସାଂସଦ ଶର୍ମିଷ୍ଠା ସେଠୀ ।