ସୁଧୁରିବା ବଦଳରେ ବିଗିଡ଼ି ବିଗିଡ଼ି ଚାଲିଛି ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି

ନନ୍ଦିଘୋଷ ବ୍ୟୁରୋ: ସୁଧୁରିବା ବଦଳରେ ବିଗିଡ଼ି ବିଗିଡ଼ି ଚାଲିଛି ରାଜ୍ୟର ଆଇନ ଶୃଂଖଳା ପରିସ୍ଥିତି । କଟକ କର୍ଫ୍ୟୁ ଉପରୁ ନଜର ନ ହଟୁଣୁ ଗତକାଲି ଗୋଟାଏ ଦିନରେ ସାରା ରାଜ୍ୟରେ ୫ ଟି ହତ୍ୟାକାଣ୍ଡ ସାରା ରାଜ୍ୟକୁ ଦୋହଲାଇ ଦେଇଛି । ରାଜ୍ୟର ଆଇନ ଶୃଂଖଳା ପରିସ୍ଥିତିକୁ କାଠଗଡ଼ାରେ ଠିଆ କଲାଣି । ସାରା ରାଜ୍ୟକୁ ଦୋହଲାଇ ଦେଇଛି ବ୍ରହ୍ମପୁରର ବରିଷ୍ଠ ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡାଙ୍କୁ ଗୁଳିମାଡ଼ କରି ହତ୍ୟା ଘଟଣା । ସେହିପରି ଗଞ୍ଜାମର ଅନ୍ୟ ସ୍ଥାନରୁ ବି ହତ୍ୟାକାଣ୍ଡ ରିପୋର୍ଟ ହୋଇଛି । ଏ ନେଇ ସରକାରଙ୍କ ବିଫଳ ଆଇନ ଶୃଂଖଳକୁ ବିରୋଧୀ ଦାୟୀ କରିଛନ୍ତି । ସେପଟେ ଦୋଷୀଙ୍କୁ ଖୁବ୍ ଶୀଘ୍ର ଧରା ଯିବା ନେଇ ମୁଖ୍ୟମନ୍ତ୍ରୀ ପ୍ରତିଶୃତି ଦେଇଛନ୍ତି । ସେପଟେ ନିଖିଳ ଓଡ଼ିଶା ଆଇନଜୀବୀ ସଂଘ କାଲି ସାରା ରାଜ୍ୟରେ କରିବ ପ୍ରତିବାଦ । ଓକିଲମାନେ କାର୍ଯ୍ୟରୁ ରହିବେ ନିବୃତ୍ତ ।
ଗତକାଲି ଓଡ଼ିଶା ପାଇଁ ଥିଲା ହତ୍ୟାକାଣ୍ଡର ହରର ନାଇଟ । ତିର୍ତ୍ତୋଲ ଓ ଲାଞ୍ଜିଗଡ଼ର ହତ୍ୟାକାଣ୍ଡ ରାଜ୍ୟର ଆଇନ ଶୃଂଖଳା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ଠିଆ କରିଛି । ତାକୁ ବଳି ଯାଇଛି ଗଞ୍ଜାମ ଜିଲ୍ଲା । ଯେଉଁଠି ଗତକାଲି ଦିନକରେ ଗଡିଛି ତିନି ମୁଣ୍ଡ । ଭଞ୍ଜନଗର ଓ ଧରାକୋଟରେ ହତ୍ୟାକାଣ୍ଡ ପର ଛାତି ଥରାଇ ଦେଇଛି ବ୍ରହ୍ମପୁରର ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡାଙ୍କୁ ଗୁଳି ମାରି ହତ୍ୟା ଘଟଣା । ନିଜ ଦଳର ନେତାଙ୍କୁ ବିଜେପି ସରକାର ସୁରକ୍ଷା ଦେଇ ପାରୁ ନଥିବାରୁ ବିରୋଧୀ ପ୍ରଶ୍ନ କରିଛନ୍ତି । କୁମାର ପୂର୍ଣ୍ଣିମାରେ ପୋଲିସ ପାଟ୍ରୋଲିଂ କାହିଁକି ଦେଖିବାକ ମିଳିନଥିଲା ବୋଲି ବିଜେଡି ଅଭିଯୋଗ କରିଛି । ଗୁଳିମାଡ଼ ହୋଇଥିବା ଅଞ୍ଚଳରୁ ସିସିଟିଭି ବାହାର କରାଯାଇଥିଲା । ସ୍ଥାନୀୟ ଥାନାଧିକାରୀ ଓ ବ୍ରହ୍ମପୁର ପୋଲିସ ଜିଲ୍ଲା ଏସପି ବି ଛୁଟିରେ ଅଛନ୍ତି । ଯାହା ପୀତବାସଙ୍କ ହତ୍ୟା ଯୋଜନାବଦ୍ଧ ଥିବା ଇଙ୍ଗିତ କରିଛି । ଗତ ଏକ ବର୍ଷ ଭିତରେ ଗଞ୍ଜାମ ଜିଲ୍ଲାରେ ୧୨୮ ହତ୍ୟାକାଣ୍ଡ ରେକର୍ଡ ହୋଇଛି ।
ଆଇନ ଶୃଙ୍ଖଳା ନିୟନ୍ତ୍ରଣରେ ସରକାର ବିଫଳ । ଏସଆଇ ପରୀକ୍ଷା ବିଭ୍ରାଟ ବି ଗଞ୍ଜାମରେ ହେଲା । ଚୌଦ୍ବାର ଜେଲରୁ ଦୁଇ କଏଦୀ ଚମ୍ପଟ ମାରୁଛନ୍ତି । କଟକ ଅଶାନ୍ତ ହେଲା । ଏସବୁ ଉପରୁ ନଜର ହଟୁଣୁ ଆଜି କଣାସରେ ଲକ୍ଷ୍ମୀ ବସରେ ପଶି ଲୋକଙ୍କୁ ହାଣିଲେ ଦୁର୍ବୃତ୍ତ । ବିଜେପି କେବଳ ବାକ୍ୟବାଣ ନ କରି ଆଇନ ଶୃଙ୍ଖଳା ନିୟନ୍ତ୍ରଣ କରନ୍ତୁ ବୋଲି ବିଜେଡି ଦାବି କରିଛି । ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହେଲେ କେବେ ବି ରାଜ୍ୟର ବିକାଶ ହେବନି ବୋଲି କଂଗ୍ରେସ ମତ ଦେଇଛି । ଓଡ଼ିଆ ଅସ୍ମିତା କଥା କହୁଛନ୍ତି ସରକାର । ହେଲେ ଯେପରି ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହେଲାଣି, ସରକାର ପାଞ୍ଚ ବର୍ଷ ଚାଲି ପାରିବା ନେଇ କଂଗ୍ରେସ ସନ୍ଦେହ ପ୍ରକାଶ କରିଛି । ସେପଟେ ଆଇନଜୀବୀ ପୀତବାସ ପଣ୍ଡାଙ୍କ ଜଘନ୍ୟ ହତ୍ୟା ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଦୁଃଖ ପ୍ରକାଶ କରିବା ସହ ଖୁବ୍ ଶୀଘ୍ର ଦୋଷୀଙ୍କୁ ଖୋଜି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ।