ସରକାରୀ ନିଯୁକ୍ତି କ୍ଷେତ୍ରରେ ରାଜ୍ୟ ସରକାରଙ୍କ ରେକର୍ଡ

1 min read

ନନ୍ଦିଘୋଷ ବ୍ୟୁରୋ: ସରକାରୀ ନିଯୁକ୍ତି କ୍ଷେତ୍ରରେ ରାଜ୍ୟ ସରକାରଙ୍କ ରେକର୍ଡ । ୨୦୨୧ରୁ ୨୦୨୪ ଫେବୃଆରୀ ଭିତରେ ସରକାରୀ ନିଯୁକ୍ତି ପାଇଲେଣି ୫୪ ହଜାର ୩୨୨ । ଗଣଶିକ୍ଷା ଓ ସ୍ବାସ୍ଥ୍ୟ ବିଭାଗରେ ରେକର୍ଡ ସଂଖ୍ୟକ ନିଯୁକ୍ତି ଦିଆଯାଇଛି । ଯାହାକି ଜାତୀୟ ହାରଠାରୁ ଅଧିକ । ଖାଲି ସରକାରୀ ନିଯୁକ୍ତି ନୁହେଁ ଆତ୍ମନିଯୁକ୍ତି ଓ ଶିଳ୍ପ ପ୍ରତିଷ୍ଠା ଦ୍ବାରା ଲକ୍ଷାଧିକ ରୋଜଗାର ସୃଷ୍ଟି କରିବାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମକୁ ସବୁ ମହଲରେ ପ୍ରଶଂସା କରାଯାଇଛି । ରାଜ୍ଯରେ ଚାଲିଛି ମେଗା ନିଯୁକ୍ତି ପର୍ବ । ବେକାରୀ ହ୍ରାସରେ ଓଡ଼ିଶାର ରେକର୍ଡ । ୨୦୨୩-୨୪ ବର୍ଷ ହୋଇଛି ନିଯୁକ୍ତିର ବର୍ଷ। ଶିକ୍ଷିତ ବେକାର ଯୁବକଯୁବତୀଙ୍କୁ ନିଯୁକ୍ତି ଦେବାରେ ଢେର ଆଗୁଆ । ନୂଆ ମାହୋଲ ସୃଷ୍ଟି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଗତ ୩ ବର୍ଷ ଭିତରେ ସରକାରୀ ଚାକିରି କ୍ଷେତ୍ରରେ ନିଯୁକ୍ତି ପାଇଛନ୍ତି ୫୪ ହଜାର ୩୨୨ ଜଣ ଯୁବକଯୁବତୀ । ଯାହାକି ଜାତୀୟ ହାରଠାରୁ ଅଧିକ । ସବୁଠୁ ଅଧିକ ନିଯୁକ୍ତି ମିଳିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ । ୨୦୨୪ ଫେବୃଆରୀ ସୁଦ୍ଧା ଏହି ବିଭାଗ ଅଧୀନରେ ୧୯ ହଜାର ୯୧୫ ଜଣଙ୍କୁ ନିଯୁକ୍ତି ମିଳିଛି । ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ନିଯୁକ୍ତି ପାଇଛନ୍ତି ୧୬ ହଜାର ୩୪୬ । ୨୦୧୪ରେ କ୍ଷମତାକୁ ଆସିବା ପୂର୍ବରୁ କେନ୍ଦ୍ର ସରକାର ଘୋଷଣା କରିଥିଲେ ବର୍ଷକୁ ୨ କୋଟି ନିଯୁକ୍ତି ମିଳିବ । ୧୦ ବର୍ଷ ଭିତରେ ଅନ୍ୟୁନ ୨୦ କୋଟି ନିଯୁକ୍ତି ପାଇବା କଥା । ହେଲେ ବାସ୍ତବତା ସମ୍ପୂର୍ଣ୍ଣ ଭିନ୍ନ । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାହା କୁହନ୍ତି, ତାହା କରି ଦେଖାନ୍ତି । ସବୁକ୍ଷେତ୍ରରେ କିପରି ନିଯୁକ୍ତି ସୃଷ୍ଟି ହୋଇପାରିବ ସେ ନେଇ କରିଛନ୍ତି ବ୍ୟବସ୍ଥା ।

ଦିନ ଥିଲା ରାଜ୍ୟର ଆର୍ଥିକ ସ୍ଥିତି ଭଲ ନଥିଲା । ଯେଉଁଥିପାଇଁ ସରକାରୀ ନିଯୁକ୍ତି ସଂକୁଚିତ କରାଯାଇଥିଲା । କିନ୍ତୁ ରାଜ୍ୟରେ ସ୍ଥିର ସରକାର ଯୋଗୁ ରାଜ୍ୟର ଆର୍ଥିକ ପ୍ରଗତି ତ୍ବରାନ୍ବିତ ହୋଇଛି । ରାଜସ୍ବ ବଳକା ରାଜ୍ୟ ହେବା ପରେ ସରକାରୀ ନିଯୁକ୍ତିକୁ ଅଗ୍ରାଧିକାର ଦେଇଛନ୍ତି ରାଜ୍ୟ ସରକାର । ଖାଲି ନିଯୁକ୍ତି ନୁହେଁ, ପଦୋନ୍ନତି କ୍ଷେତ୍ରରେ ମଧ୍ଯ ଦିଆଯାଇଛି ଗୁରୁତ୍ବ । 5T ଉପକ୍ରମରେ ପ୍ରତିଯୋଗିତା ମୂଳକ ପରୀକ୍ଷାଗୁଡ଼ିକ ସମ୍ପୂର୍ଣ୍ଣ ସ୍ବଚ୍ଛତାର ସହ କରାଯାଉଛି । ଆଗରୁ ନିଯୁକ୍ତି ପରୀକ୍ଷା ପ୍ରତିବର୍ଷ ହେଉନଥିଲା । ଏବେ ପଦୋନ୍ନତି ନିୟମିତ ହେଉଥିବାରୁ ମୂଳ ପଦବୀରେ ଖାଲି ସ୍ଥାନ ସୃଷ୍ଟି ହେଉଛି । ଫଳରେ ଓଡ଼ିଶା ଲୋକସେବା ଆୟୋଗ, ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ, ଓଡ଼ିଶା ସବଅର୍ଡିନେଟ୍ ଷ୍ଟାଫ୍ ସିଲେକ୍ସନ୍ କମିଶନଙ୍କ ଦ୍ବାରା ନୂଆ ନିଯୁକ୍ତି ପରୀକ୍ଷା ନିୟମିତ କରାଯାଉଛି । ଖାଲି ସେତିକି ନୁହେଁ, ଏବର ନିଯୁକ୍ତି ସ୍ବଚ୍ଛତାର ସହ ହେବା ସହ ଦକ୍ଷ କର୍ମଚାରୀ ଚାକିରି ପାଉଛନ୍ତି । ଯାହାକୁ ପ୍ରଶଂସା କରିଛି ସଚିବାଳୟ କର୍ମଚାରୀ ସଂଘ ।