ଜଳ ପରିଚାଳନାରେ ଦ୍ବିତୀୟ ଶ୍ରେଷ୍ଠ ରାଜ୍ୟ ଓଡ଼ିଶା

1 min read

ଗଞ୍ଜାମ: ଜଳ ପରିଚାଳନାରେ ଦ୍ବିତୀୟ ଶ୍ରେଷ୍ଠ ରାଜ୍ୟ ଓଡ଼ିଶା । ଜଳ ସମ୍ପଦ ସଂରକ୍ଷଣ ଓ ପରିଚାଳନାରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଓଡ଼ିଶାକୁ ଦ୍ବିତୀୟ ଶ୍ରେଷ୍ଠ ରାଜ୍ୟ ଭାବେ ଚତୁର୍ଥ ଜାତୀୟ ଜଳ ପୁରସ୍କାର-୨୦୨୨ ପ୍ରଦାନ କରାଯାଇଛି । ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନରେ ଭାରତ ସରକାରଙ୍କ ଜଳଶକ୍ତି ମନ୍ତ୍ରାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ଏହି ପୁରସ୍କାର ପ୍ରଦାନ କରିଛନ୍ତି । ଜଳସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଏହି ପୁରସ୍କାର ଗ୍ରହଣ କରିଛନ୍ତି । ଏହାସହ ଦକ୍ଷ ଜଳସମ୍ପଦ ପରିଚାଳନା କ୍ଷେତ୍ରରେ ଗଞ୍ଜାମ ଜିଲ୍ଲା ଦେଶର ଶ୍ରେଷ୍ଠ ଜିଲ୍ଲା ଭାବେ ବିବେଚିତ ହୋଇଛି ।

ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କଠାରୁ ପୁରସ୍କାର ଗ୍ରହଣ କରିଥିଲେ । ଜାତୀୟ ଜଳ ପୁରସ୍କାର ପାଇଥିବାରୁ ଗଞ୍ଜାମ ଜିଲ୍ଲା ପ୍ରଶାସନକୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଏହା ଏକ ଉଲ୍ଲେଖନୀୟ ସଫଳତା, ଗଞ୍ଜାମ ଜିଲ୍ଲାର ଏହି ସଫଳତା ସବୁ ଜିଲ୍ଲା ପ୍ରଶାସନକୁ ଜଳ ସମ୍ବଳ ପରିଚାଳନା ଓ ସଂରକ୍ଷଣରେ ଉତ୍କର୍ଷତା ପାଇଁ ଉତ୍ସାହିତ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ୩.୨ ଲକ୍ଷ ହେକ୍ଟର ଜମିରେ ଅତିରିକ୍ତ ଜଳସେଚନ ସୁବିଧା ସୃଷ୍ଟି କରାଯାଇ ୪ ଲକ୍ଷରୁ ଅଧିକ ଚାଷୀଙ୍କୁ ଜଳ ସୁରକ୍ଷା ଯୋଗାଇବା କ୍ଷେତ୍ରରେ ଉଲ୍ଲେଖନୀୟ କାମ ଆଜି ରାଜ୍ୟକୁ ଦେଇଛି ସଫଳତା ।