ପୁଞ୍ଜିନିବେଶରେ ଓଡ଼ିଶା ଆଗରେ, ଜାତୀୟ ହାର ୨୨ ପ୍ରତିଶତ ଥିବାବେଳେ ଓଡ଼ିଶାରେ ରହିଛି ୪୫ରୁ ୪୭ ପ୍ରତିଶତ

1 min read

ଭୁବନେଶ୍ୱର: ପୁଞ୍ଜିନିବେଶରେ ଜାତୀୟ ହାରଠାରୁ ଓଡ଼ିଶା ଅଧିକ । ଜାତୀୟ ହାର ୨୨ ପ୍ରତିଶତ ଥିବାବେଳେ ଓଡ଼ିଶାରେ ୪୫-୪୭% ପୁଞ୍ଜିନିବେଶ ରହିଛି । ରାଜ୍ୟରେ ନୂଆ ଶିଳ୍ପନୀତି ୨୦୨୨ ଡିସେମ୍ବରରୁ ପ୍ରଣୟନ ହୋଇଛି । ମେକ୍ ଇନ୍ ଓଡ଼ିଶା ୨୦୨୨ ଜରିଆରେ ୭୪୧ ଶିଳ୍ପ ପାଇଁ ପ୍ରସ୍ତାବ ଆସିଛି । ଏହା କାର୍ଯ୍ୟକ୍ଷମ ହେଲେ, ୧୦ଲକ୍ଷ ୪୮ ହଜାର ୮୦୭ କୋଟି ପୁଞ୍ଜି ନିବେଶ ଆସିବ ବୋଲି ବିଧାନସଭାରେ ଉତ୍ତର ରଖିଛନ୍ତି ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ । ସେ କହିଛନ୍ତି- ଏଥିରେ ୧୦ ଲକ୍ଷ ୩୭ ହଜାର ୮୦୧ ନିଯୁକ୍ତି  ସୁଯୋଗ ସୃଷ୍ଟି ହେବ । ଏ ଯାଏ ୧୫୬ ବୃହତ୍‌ ଶିଳ୍ପ ଆଂଶିକ ଓ ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଛି । ୭ଟି ବୃହତ ଶିଳ୍ପ ଡାଉନଷ୍ଟ୍ରିମ ଆଲୁମିନିୟମ କ୍ଷେତ୍ରରେ କାର୍ଯ୍ୟକାରୀ ହେଉଛି । ପ୍ଲାଣ୍ଟ ଲେବେଲ advisory କମିଟି ଓ ପ୍ଲାଣ୍ଟ ଲେବେଲ କନସଲେଟିଭ କମିଟି ଜରିଆରେ ଜିଲ୍ଲା ସ୍ତରରେ ଅନୁମୋଦନ ମିଳୁଛି ।

ମେକ ଇନ୍ ଓଡ଼ିଶା ୨୦୧୬ରେ ୮୪ ଶିଳ୍ପ ପ୍ରସ୍ତାବ ଆସିଥିଲା । ଯାହା ୨ ଲକ୍ଷ ୩୨ ହଜାର ୩୫ କୋଟିର ପୁଞ୍ଜିନିବେଶ ଲକ୍ଷ୍ୟ ଥିଲା । ୫୮ ଶିଳ୍ପକୁ ଅନୁମୋଦନ ମିଳିଥିଲା । ୨୭ ଶିଳ୍ପ କାମ ଚଳାଇଛନ୍ତି । ୪ ଶିଳ୍ପ ଉତ୍ପାଦନ ଆରମ୍ଭ କରିଥିବାବେଳେ ୮ଟି ଖୁବ ଶୀଘ୍ର ଉତ୍ପାଦନ କରିବେ । ସେହିପରି ମେକ ଇନ୍ ଓଡ଼ିଶା ୨୦୧୮ରେ ୨୦୨ ଶିଳ୍ପ ପ୍ରସ୍ତାବ ଆସିଥିଲା । ଏଥିରେ ଲକ୍ଷେ ୨୩ ହଜାର ୧୧୫ କୋଟିର ନିବେଶ ଲକ୍ଷ୍ୟ ଥିଲା । ୧୦ ଶିଳ୍ପକୁ ଅନୁମୋଦନ ମିଳିଛି । ୭୧ ଶିଳ୍ପର କାମ ଚାଲିଛି । ୧୧ ଶିଳ୍ପ ଉତ୍ପାଦନ ଆରମ୍ଭ କରିଛନ୍ତି । ତେବେ କ୍ୟାପିଟାଲ ଇଣ୍ଡଷ୍ଟ୍ରିରେ ନିଯୁକ୍ତି କମିବାର କାରଣ ହେଉଛି ବଡ଼ ବଡ଼ ଶିଳ୍ପ ସଂସ୍ଥା ଟେକନୋଲୋଜି ବ୍ୟବହାରକୁ ଗୁରୁତ୍ୱ ଦେଉଛନ୍ତି, ମାନବ ସମ୍ବଳକୁ ନୁହେଁ । କାରଣ ସେମାନେ କୋଟି କୋଟି ଟଙ୍କା ନିବେଶ କରିଛନ୍ତି । ଏପରି ସ୍ଥିତିରେ ଡାଉନଷ୍ଟ୍ରିମ ଇଣ୍ଡଷ୍ଟ୍ରି ଆବଶ୍ୟକ । ଏଥିପାଇଁ ୩୬ ଶିଳ୍ପ ସଂସ୍ଥା ସହ ଚୁକ୍ତି ହୋଇଛି । ଯେଉଁଥିରେ ଅଧିକାଂଶ TATA କମ୍ପାନୀର । ସେମାନଙ୍କୁ କଳିଙ୍ଗନଗରରେ ଜାଗା ଦିଆଯାଇଛି ଓ ସେମାନେ କାମ ଆରମ୍ଭ କରିଥିବା ବିଧାନସଭାରେ ଉତ୍ତର ରଖିଛନ୍ତି ଶିଳ୍ପମନ୍ତ୍ରୀ ପ୍ରତାପ କେଶରୀ ଦେବ । ସେହିପରି ପାରାଦୀପକୁ ପେଟ୍ରୋକେମିକାଲ ହବ୍‌ କରାଯିବ ବୋଲି ସେ କହିଛନ୍ତି ।