ଫେରିବ ଫୁଟବଲ ଫିଭର , ଜୁନ୍ ୯ରୁ କମ୍ପିବ କଳିଙ୍ଗ ଷ୍ଟାଡିଅମ

1 min read

ଭୁବନେଶ୍ୱର :  ହକି ଭଳି ଫୁଟବଲ ପାଇଁ ମଧ୍ୟ ପ୍ରମୁଖ ହବ ପାଲଟିଛି ଓଡ଼ିଶା । ୧୭ ବର୍ଷରୁ କମ ମହିଳା ଫିଫା ବିଶ୍ବକପ, ସାଫ ଚାମ୍ପିୟନସିପ, ଆଇଏସଏଲ, IWL ଭଳି ପ୍ରତିଯୋଗିତା ଆୟୋଜନ କରି ଫୁଟବଲ ଇଭେଣ୍ଟରେ ଅପୂର୍ବ ସଫଳତା ପାଇଛି ଓଡ଼ିଶା । ଏବେ ଆଉ ଏକ ଅନ୍ତରାଷ୍ଟ୍ରୀୟ ପ୍ରତିଯୋଗିତା ଆୟୋଜନ କରିବାକୁ ଯାଉଛି ଓଡ଼ିଶା ।

ଭୁବନେଶ୍ବରର କଳିଙ୍ଗ ଷ୍ଟାଡିଅମରେ ଜୁନ ୯ରୁ ଆରମ୍ଭ ହେବାକୁ ଯାଉଛି ଇଣ୍ଟର-କଣ୍ଟିନେଟାଲ କପ । ଏହି ଫୁଟବଲ ଟୁର୍ଣ୍ଣାମେଣ୍ଟ ଜୁନ ୧୮ ତରିଖ ଯାଏଁ ଚାଲିବ । ପ୍ରତିଯୋଗିତାରେ ଆୟୋଜକ ଭାରତ ସମେତ ଲେବାନାନ, ମଙ୍ଗୋଲିଆ ଏବଂ ଭାନୁଆଟୁ ଅଂଶଗ୍ରହଣ କରିବେ । ୨୦୨୩ ହକି ବିଶ୍ବକପ ପରେ ଓଡ଼ିଶା କ୍ରୀଡାପ୍ରେମୀ ପୁଣି ଏକ ଅନ୍ତର୍ଜାତୀୟ ପ୍ରତିଯୋଗିତାର ମଜା ଉଠାଇବେ । ଇଣ୍ଟର-କଣ୍ଟିନେଟାଲ କପ ପାଇଁ ଭାରତ ଟିମ୍‌ ଭୁବନେଶ୍ବରରେ ପହଞ୍ଚି ସାରିଛି । ସୁନୀଲ ଛେତ୍ରୀଙ୍କ ନେତୃତ୍ବାଧୀନ ଭାରତୀୟ ଫୁଟବଲ ଟିମ କଳିଙ୍ଗ ଷ୍ଟାଡିଅମରେ ଅଭ୍ୟାସ ଜାରି ରଖିଛନ୍ତି ।

ଫୁଟବଲ ଫେଡରେସନ ଅଫ ଓଡ଼ିଶା ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ପ୍ରଥମ ଥର ପାଇଁ ଓଡ଼ିଶା ଏହି ପ୍ରତିଯୋଗିତା ଆୟୋଜନ କରୁଛି । ଚଳିତ ବର୍ଷ ଟିମ ଇଣ୍ଡିଆର ବିଜି ସିଡିୟୁଲ ଥିବାରୁ ଏହା ସେମାନଙ୍କ ପାଇଁ ଗୁରୁତ୍ବପୂର୍ଣ ସିରିଜ ରହିବ ।  ଭାରତୀୟ ଦଳ ବର୍ତ୍ତମାନ ଫିଫା ରାଙ୍କରେ ୧୦୧ ନମ୍ବର ସ୍ଥାନରେ ଥିବା ବେଳେ ଲେବାନନ ୯୯ ନମ୍ବର ସ୍ଥାନରେ ରହିଛି, ଭାନୁଆଟୁ ୧୬୪ ଓ ମଙ୍ଗୋଲିଆ ୧୮୩ ସ୍ଥାନରେ ରହିଛି । ଏହି ଦୃଷ୍ଟିରୁ ଭାରତ ଓ ଲେବାନନ ଟାଇଟେଲ ପାଇଁ ଦାବିଦାର ରହିବେ । ହୋମ ଗ୍ରାଉଣ୍ଡରେ ଏବଂ ହୋମ କ୍ରାଉଡ଼ଙ୍କ ସାମ୍ନାରେ ଭାରତ ଭଲ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି ।

ଇଣ୍ଟର-କଣ୍ଟିନେଟାଲ କପ ପାଇଁ ପ୍ରଥମ ଟିକେଟ କିଣିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଟକେଟ କିଣିବା ପରେ ଅନଲାଇନରେ ଟିକେଟ୍ ବିକ୍ରି ଆରମ୍ଭ ହୋଇଯାଇଛି । ଟିକେଟର ମୂଲ୍ୟ ୯୯ ଟଙ୍କା ଓ ୧୫୦ ଟଙ୍କା ରଖାଯାଇଛି । ପ୍ରଥମ ଥର ଓଡ଼ିଶା ଆନ୍ତର୍ଜାତୀୟ ପୁରୁଷ ଫୁଟବଲ ଟୁର୍ଣ୍ଣାମେଣ୍ଟର ଆୟୋଜନ କରୁଛି । ସେଥିପାଇଁ ବହୁ ସଂଖ୍ୟାରେ ଫୁଟବଲପ୍ରେମୀ କଳିଙ୍ଗ ଷ୍ଟାଡିୟମରେ ପହଞ୍ଚି ଖେଳାଳିଙ୍କୁ ଉତ୍ସାହିତ କରିବାକୁ ମୁଖ୍ୟମନ୍ତ୍ରୀ ଅପିଲ କରିଛନ୍ତି ।