ଶିଳ୍ପର ହବ୍ ପାଲଟୁଛି ଓଡ଼ିଶା, ଏଥର ରାୟପୁରରୁ ଆସିବ ବଡ଼ ପୁଞ୍ଜି

1 min read

ଭୁବନେଶ୍ୱର: ଓଡ଼ିଶାକୁ ରାୟପୁରରୁ ଆସିବ ବଡ଼ପୁଞ୍ଜି । ସଫଳତାର ସହ ରାୟପୁରରେ ସମାପନ ହେଲା ଓଡ଼ିଶା ଇନଭେଷ୍ଟର୍ସ ମିଟ୍  । ଜୁଲାଇ ୧୪ ଓ ୧୫ ତାରିଖ ଦୁଇଦିନ ଧରି ଚାଲିଥିଲା ନିବେଶକ ସମ୍ମିଳନୀ । ବିଜୁ ଏକ୍ପ୍ରେପ୍ରେସ ଓ୍ବେରେ  ‘ ବିଜୁ ଅର୍ଥନୈତିକ କରିଡର’ ବିପୁଳ ସମ୍ଭାବନା ଓ ଏହି କ୍ଷେତ୍ରରେ ଓଡ଼ିଶା ଦ୍ବାରା ପ୍ରଦାନ କରାଯାଉଥିବା ଅନୁକୂଳ ବ୍ୟବସାୟିକ ବାତାବରଣକୁ ପ୍ରଦର୍ଶିତ କରିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ ରହିଥିଲା । କାର୍ଯ୍ୟକ୍ରମରେ ନିବେଶକୁ ନିମନ୍ତ୍ରଣ କରିଛି ଓଡ଼ିଶା । ପୁଞ୍ଜିନିବେଶରେ ଓଡ଼ିଶା ଦେଶର ଉତ୍କୃଷ୍ଟ ସ୍ଥାନ ବୋଲି ନିବେଶକଙ୍କୁ ସୂଚାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଛତିଶଗଡର ବିଭିନ୍ନ ଶିଳ୍ପକୁ ପ୍ରତିନିଧିତ୍ବ କରୁଥିବା ୨ ଶହରୁ ଅଧିକ ପ୍ରତିନିଧି ସକ୍ରିୟ ଅଂଶଗ୍ରହଣ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଓଡ଼ିଶା ଆଜି ଉତ୍ପାଦନ କ୍ଷେତ୍ରରେ ଶିଳ୍ପ ବିପ୍ଳବର ପରବର୍ତ୍ତୀ ଦ୍ବାରରେ ପହଞ୍ଚିଥିବା କହିଛନ୍ତି ଶିଳ୍ପମନ୍ତ୍ରୀ ପ୍ରତାପ କେଶରୀ ଦେବ ।

ନିବେଶକ ସମ୍ମିଳନୀରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା ପ୍ରମୁଖ ମତବ୍ୟକ୍ତ କରିଥିଲେ । ବିପୁଳ ପ୍ରାକୃତିକ ସମ୍ପଦ ଏବଂ ଦକ୍ଷିଣ-ପୂର୍ବ ଏସିଆ ଦେଶ ଗୁଡିକ ପାଇଁ ପ୍ରମୁଖ ସ୍ଥାନରେ ଅବସ୍ଥିତି ଯୋଗୁ ରାଜ୍ୟର ଅଭିବୃଦ୍ଧି ହାର ଜାତୀୟ ହାର ଠାରୁ କ୍ରମାଗତ ଅଭିବୃଦ୍ଧି ଘଟୁଛି । ନିବେଶକ ସମ୍ମିଳନୀରେ ବେଦାନ୍ତ, ଜେଏସପିଏଲ୍ ଭଳି ଅଗ୍ରଣୀ କମ୍ପାନୀର ପ୍ରତିନିଧିମାନେ ଓଡ଼ିଶାରେ ପୁଞ୍ଜିନିବେଶ ଓ କାର୍ଯ୍ୟ କରିବାର ଅନୁଭୂତି ବାଣ୍ଟିଥିଲେ । ରୋଡ୍ ସୋ’ ବ୍ୟତୀତ ୫୦ରୁ ଅଧିକ ଶିଳ୍ପପତିଙ୍କ ସହ ଫଳପ୍ରଦ ଆଲୋଚନା କରାଯାଇଛି ।