ଆସନ୍ତାକାଲି ରାୟପୁରରେ ଓଡ଼ିଶା ଇନଭେଷ୍ଟର୍ସ ମିଟ୍‌

ରାୟପୁର : ରାୟପୁରରୁ ଆସିବ ବଡ଼ପୁଞ୍ଜି । ରାୟପୁରରେ ଓଡ଼ିଶା ଇନଭେଷ୍ଟର୍ସ ମିଟରେ ନିବେଶକଙ୍କୁ କରାଯିବ ନିମନ୍ତ୍ରଣ । କାହିଁକି ଓଡ଼ିଶା ଶିଳ୍ପାୟନ ପାଇଁ ଉତ୍କୃଷ୍ଟ, ତାହା ବୁଝାଇବ ଟିମ୍‌ ଓଡ଼ିଶା । ଆସିବ ଅଧିକ ପୁଞ୍ଜି, ସୃଷ୍ଟି ହେବ ବ୍ୟାପକ ନିଯୁକ୍ତି ।

ପୁଞ୍ଜିନିବେଶରେ ଓଡ଼ିଶା ଦେଶର ଉତ୍କୃଷ୍ଟ ସ୍ଥାନ । ନିବେଶକଙ୍କୁ ମିଳିବ ପ୍ଲସ୍‌ ଓ୍ବାନ୍‌ ସୁବିଧା । ସିଙ୍ଗ୍‌ଲ ଓ୍ବିଣ୍ଡୋ ସିଷ୍ଟମରେ ସବୁ ଅନୁମତି ସହଜରେ ମିଳିବ । ଜମି ଅଧିଗ୍ରହଣରେ ବି  ସମସ୍ୟା ନାହିଁ । ୨୩ ବର୍ଷର ସ୍ଥିର ସରକାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଢ଼ ନେତୃତ୍ବ ବିଶ୍ବର ଶିଳ୍ପପତିଙ୍କୁ ଆକୃଷ୍ଟ କରୁଛି । ଓଡ଼ିଶାରେ ସବୁକ୍ଷେତ୍ରରେ ରହିଛି ନିବେଶ ସୁଯୋଗ । ରାୟପୁରରେ ଆସନ୍ତାକାଲି ଓ ତା’ପର ଦିନ ଦୁଇଦିନ ଧରି ହେବ ଓଡ଼ିଶା ଇନଭେଷ୍ଟର୍ସ ମିଟ୍‌ । ଶିଳ୍ପମନ୍ତ୍ରୀ ପ୍ରତାପ ଦେବଙ୍କ ନେତୃତ୍ବରେ ଶିଳ୍ପ ବିଭାଗର ବରିଷ୍ଠ ଅଧିକାରୀମାନେ ରାୟପୁର ଗସ୍ତ କରିଛନ୍ତି । ପୁଞ୍ଜିପତିଙ୍କ ସହ ଓ୍ବାନ ଟୁ ଓ୍ବାନ ଆଲୋଚନା କରି ସେମାନଙ୍କୁ ଆକୃଷ୍ଟ କରିବାକୁ ପ୍ରୟାସ କରାଯିବ ବୋଲି ଶିଳ୍ପମନ୍ତ୍ରୀ କହିଛନ୍ତି ।

ଦୁବାଇରୁ ଆରମ୍ଭ କରି ଅହମ୍ମଦାବାଦ, ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, ବେଙ୍ଗାଳୁରୁରୁ ବଡ଼ ପୁଞ୍ଜି ଆସିବା ନେଇ କର୍ପୋରେଟ୍‌ କ୍ୟାପେଟନମାନଙ୍କ ପ୍ରତିଶ୍ରୁତି ମିଳିଛି । ରାୟପୁରରେ ମଧ୍ୟ ବ୍ୟାପକ ପୁଞ୍ଜି ନିବେଶ ପ୍ରତିଶ୍ରୁତି ମିଳିବ ବୋଲି ଆଶା ରଖିଛି ଓଡ଼ିଶା । ଏପଟେ ନିପ୍ପନ ଷ୍ଟିଲ ପ୍ଲାଣ୍ଟ ନିର୍ମାଣ କାମ ଦ୍ରୁତଗତିରେ ଚାଲିଥିବା ଶିଳ୍ପମନ୍ତ୍ରୀ କହିଛନ୍ତି । ଜମି ଅଧିଗ୍ରହଣ ନିୟମ ଅନୁସାରେ ଚାଲିବା ସହ କେନ୍ଦ୍ରକୁ କେତେକ ଅନୁମତି ମଧ୍ୟ ମଗାଯାଇଛି । ନିବେଶକଙ୍କୁ ଲଗାତାର ନିମନ୍ତ୍ରଣକୁ ବିଶେଷଜ୍ଞମାନେ ପ୍ରଶଂସା କରିଛନ୍ତି ।