ଶ୍ରେଷ୍ଠ ୧୦ ତାଲିକାରେ ଓଡ଼ିଶା, ଦାରିଦ୍ର୍ୟ ଦୂରୀକରଣରେ ରେକର୍ଡ

1 min read

ଭୁବନେଶ୍ବର: ଦେଶର ଟପ୍ ଟେନ୍ ଫ୍ରଣ୍ଟ୍ ରନର ରାଜ୍ୟ ଭିତରେ ଓଡ଼ିଶା । ରାଜ୍ୟକୁ ମିଳିଛି ୬୬ ପଏଣ୍ଟ । ୨୦୨୩-୨୪ ବର୍ଷର ନିରନ୍ତର ବିକାଶ ରିପୋର୍ଟରେ ନୀତି ଆୟୋଗ ଓଡ଼ିଶାର ସଫଳତାକୁ ବଖାଣିଛନ୍ତି । ବିଏସକେଓ୍ବାଇ, କାଳିଆ, ମୁକ୍ତା, ମନରେଗା ଯୋଜନା କାର୍ଯ୍ୟକାରୀ କରି ପୂର୍ବ ସରକାର ରାଜ୍ୟରେ ମୁଣ୍ଡପିଛା ଆୟ ବୃଦ୍ଧି କରିବା ସହିତ ରାଜ୍ୟକୁ ପ୍ରଗତି ପଥରେ ଆଗେଇ ନେଇଥିଲେ ବୋଲି କୁହାଯାଇଛି ।

ବହୁମୁଖୀ ଦାରିଦ୍ର୍ୟ ଦୂରୀକରଣରେ ଓଡ଼ିଶାର ରେକର୍ଡ । ଆକାଂକ୍ଷିତ ରାଜ୍ୟରୁ ଫ୍ରଣ୍ଟ୍ ରନର ରାଜ୍ୟ ପାଲଟିଛି ଓଡ଼ିଶା । ୧୦ଟି ଶ୍ରେଷ୍ଠ ରାଜ୍ୟ ଭିତରେ ସ୍ଥାନ ପାଇଛି ରାଜ୍ୟ । ସର୍ବଭାରତୀୟ ସ୍ତରରେ ଓଡ଼ିଶାକୁ ମିଳିଛି ୬୬ ପଏଣ୍ଟ । ୨୦୨୩-୨୪ ଆର୍ଥିକ ବର୍ଷ ନିରନ୍ତର ବିକାଶ ଲକ୍ଷ୍ୟ ତାଲିକାରେ ଭାରତ ସରକାରଙ୍କ ନୀତି ଆୟୋଗ ଓଡ଼ିଶା ସଫଳତା ବଖାଣିଛନ୍ତି । ନବୀନ ସରକାର ସମୟରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା, ଚାଷୀଙ୍କ ପାଇଁ କାଳିଆ ସହାୟତା ଗରିବଙ୍କ କଷ୍ଟାର୍ଜିତ ରୋଜଗାର ସଞ୍ଚୟ କରିବାରେ ସହାୟକ ହୋଇଛି । ଏହାସହିତ କୋଭିଡ ପରବର୍ତ୍ତୀ ମାଗଣା ରାସନ୍ ବି ଗରିବଙ୍କ ଆର୍ଥିକ ଅବସ୍ଥାରେ ଆଣିଛି ଉନ୍ନତି । ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଲୋକଙ୍କ ପାଇଁ ସ୍ବତନ୍ତ୍ର ରୋଜଗାର ଯୋଜନା, ବାସହୀନଙ୍କୁ ଆବାସ ଗୃହ ଯୋଗାଇବାରେ ଦେଶରେ ଅନନ୍ୟ ଉଦାହରଣ ସୃଷ୍ଟି କରିଥିଲେ ନବୀନ ସରକାର । ପୂର୍ବ ସରକାରଙ୍କ ଅମଳରେ ରାଜସ୍ବ ଆଦାୟରେ ରେକର୍ଡ ଉପଲବ୍ଧି ହୋଇଥିବାବେଳେ ସରକାର ଋଣଭାର ଅନ୍ୟ ରାଜ୍ୟ ତୁଳନାରେ ଯଥେଷ୍ଟ କମ୍ ରଖିବାରେ ସକ୍ଷମ ହୋଇଥିଲେ ।

୨୦୧୭-୧୮ ବେଳକୁ ଓଡ଼ିଶା ଗୋଟିଏ ଆସ୍ପିରେସନାଲ ରାଜ୍ୟ ଭାବେ ପରିଚିତ ଥିଲା । ୨୦୨୩-୨୪ ବେଳକୁ ଫ୍ରଣ୍ଟ୍ ରନର୍ ରାଜ୍ୟର ମାନ୍ୟତା ପାଇଛି । କୋଭିଡ ପରେ ପ୍ରବାସୀ ଶ୍ରମିକଙ୍କୁ ରୋଜଗାର ଦେବା ପାଇଁ ନବୀନ ସରକାର ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିଥିଲେ । ଶିକ୍ଷା, ସ୍ବାସ୍ଥ୍ୟ କ୍ଷେତ୍ରରେ ସ୍ବତନ୍ତ୍ର ଯୋଜନା ଗରିବଙ୍କ ମୁଣ୍ଡପିଛା ଆୟ ବୃଦ୍ଧିରେ ବଡ଼ ସହାୟକ ହୋଇଛି । ଓଡ଼ିଶା ଏଭଳି ଅବସ୍ଥାକୁ ଆସିଛି, ଆଗାମୀ ଦିନରେ ବିକଶିତ ରାଜ୍ୟ ପାଇଁ ଏକ ରୋଡମ୍ୟାପ୍ ପ୍ରସ୍ତୁତ ହୋଇସାରିଛି । ଅନୁନ୍ନତରୁ ବିକଶିତ ରାଜ୍ୟର ଲମ୍ବା ପଥ ଅତିକ୍ରମ କରିସାରିଛି ରାଜ୍ୟ । ଏ ନେଇ ପୂର୍ବ ସରକାରଙ୍କ ଅବଦାନ ଅତୁଳନୀୟ । ବୋଲି କହିଛନ୍ତି ଅର୍ଥନୀତି ବିଶେଷଜ୍ଞ ଦିଲ୍ଲୀପ ବିଷୋୟୀ ।

ପୂର୍ବରୁ ଓଡ଼ିଶା ନିରନ୍ତର ବିକାଶ ପାଇଁ ଉଦ୍ଦିଷ୍ଟ ୧୧୩ଟି ପାରାମିଟରରେ ସଫଳତା ପାଇଛି । ଏବେ ରାଜ୍ୟର ନୂଆ ସରକାର ଯଦି ଜନକଲ୍ୟାଣକାରୀ ଯୋଜନା କାର୍ଯ୍ୟ କରନ୍ତି ତା’ହେଲେ ରାଜ୍ୟର ପ୍ରଗତି ହେବା ସହ ଲୋକଙ୍କ ମୁଣ୍ଡପିଛା ଆୟ ବୃଦ୍ଧି ହେବ । ଏହାସହ ଆର୍ଥିକ ପ୍ରଗତି କ୍ଷେତ୍ରରେ ଓଡ଼ିଶା ଦେଶରେ ନମ୍ବର ଓ୍ବାନ୍ ରାଜ୍ୟ ଭାବେ ପରିଗଣିତ ହେବ ।