ରାହୁଲଙ୍କ ଫୋକସରେ ଓଡିଶା କଂଗ୍ରେସ: ଦିଲ୍ଲୀରେ ବସିବ ବଡ ବୈଠକ

ଦିଲ୍ଲୀରେ ଓଡିଶା କଂଗ୍ରେସର ବସିବ ବଡ ବୈଠକ । ସାଂଗଠନିକ ସ୍ଥିତି ମଜଭୁତ ପାଇଁ ରାହୁଲ କରିବେ ସମୀକ୍ଷା । ଜିଲ୍ଲା ସଭାପତି ଚୟନ ପାଇଁ ୩୫ ଜଣ ପର୍ଯ୍ୟବେକ୍ଷକଙ୍କୁ ଦେବେ ଗୁରୁମନ୍ତ୍ର । ଏଆଇସିସି ବୈଠକ ନେଇ ଉତ୍ସାହିତ କଂଗ୍ରେସ ନେତା । ଶକ୍ତିଶାଳୀ ହେବେ ଜିଲ୍ଲା ସଭାପତି । ୨୦୨୯ ନିର୍ବାଚନ ପରିଚାଳନାରେ ଗୁରୁଦାୟିତ୍ବ ତୁଲାଇବେ ଜିଲ୍ଲା ସଭାପତି । ସାଂସଦ ଓ ବିଧାୟକ ପ୍ରାର୍ଥୀ ବି ଜିଲ୍ଲା ସଭାପତିଙ୍କ ସୁପାରିସରେ ଚୂଡାନ୍ତ ହେବ। ଦକ୍ଷ ଲୋକଙ୍କ ହାତରେ ଜିଲ୍ଲା ସଂଗଠନ ଦାୟିତ୍ବ ଦେବା ପାଇଁ ନୂଆ ଢାଞ୍ଚାରେ ଜିଲ୍ଲା ସଭାପତି ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି । ସଂଗଠନ ସୃଜନ ଅଭିଯାନ ଜରିଆରେ ସଭାପତି ଚୟନ କରିବା ପାଇଁ ୩୫ ଜଣ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି ଦେଇଛି ଏଆଇସିସି । ଆସନ୍ତା ୨୫ ତାରିଖ ଦିନ କଂଗ୍ରେସ ଯୁବରାଜ ରାହୁଲ ଗାନ୍ଧୀ ୩୫ ଜଣ ପର୍ଯ୍ୟବେକ୍ଷକ, ପିସିସି ସଭାପତି,କଂଗ୍ରେସ ବିଧାୟକ ଦଳ ନେତା, ସାଂସଦଙ୍କ ସମେତ କିଛି ବରିଷ୍ଠ ନେତାମାନଙ୍କ ସହ ଓଡିଶା ସଂଗଠନ ନେଇ ଆଲୋଚନା କରିବେ । ସୁପାରିସ କି ଲବି ନୁହେଁ କଂଗ୍ରେସ ସଙ୍ଗଠନକୁ ମଜଭୁତ କରିପାରୁଥିବା ନେତାଙ୍କୁ ଜିଲ୍ଲା ସଭାପତି ଲାଗି ଗୁରୁ ଦାୟିତ୍ବ ଦେବାକୁ ବୈଠକରେ ଆଲୋଚନା ହେବ । ଓଡିଶା କଂଗ୍ରେସ ପାଇଁ ଏଆଇସିସି ଏପରି ଅଭିଯାନକୁ ନେଇ ବେଶ ଉତ୍ସାହିତ ଦଳର ବିଧାୟକ ଓ ନେତା ।

୩୫ଟି ସାଂଗଠନିକ ଜିଲ୍ଲା ସଭାପତି ଚୟନ କରିବା ନେଇ ଏଆଇସିସିର ନୂଆ ଫର୍ମୁଲାକୁ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଭିନ୍ନ ଆକଳନ କରିଛନ୍ତି । ରାହୁଲ ଗାନ୍ଧୀ ଓଡିଶାରେ ସମ୍ଭାବନା ଦେଖିଥିବାରୁ ଏବେଠାରୁ ୨୦୨୯ ସାଧାରଣ ନିର୍ବାଚନ ପାଇଁ ଓଡିଶା କଂଗ୍ରେସକୁ ପ୍ରସ୍ତୁତ କରୁଛନ୍ତି । ପ୍ରଥମଥର ଲାଗି ଦଳୀୟ ନିଷ୍ପତ୍ତିରେ ଜିଲ୍ଲା ସଭାପତିଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିବ । ସଂଗଠନ ଠାରୁ ବିଧାୟକ ଓ ସାଂସଦ ଟିକେଟ ବଣ୍ଟନରେ ଜିଲ୍ଲା ସଭାପତିମାନେ ପ୍ରମୁଖ ଭୂମିକା ଗ୍ରହଣ କରିବେ ବୋଲି ସେ କହିଛନ୍ତି । ୨୫ ବର୍ଷ ଧରି କ୍ଷମତା ବାହାରେ ଥିବା ଓଡିଶା କଂଗ୍ରେସକୁ ସଜାଡିବା ପାଇଁ ଏଆଇସିସି ଗୁରୁତ୍ବ ଦେଇଛି । ଓଡିଶାରୁ ଦିଲ୍ଲୀ ଯାଏ ସାଂଗଠନିକ ସ୍ଥିତିକୁ ମଜଭୁତ କରିବାକୁ ରଣନୀତି କରାଯାଉଛି । ଆଗକୁ ରାହୁଲ ଗାନ୍ଧୀ ଘନଘନ ଓଡିଶା ଗସ୍ତରେ ଆସି ତୃଣମୂଳ କର୍ମୀଙ୍କ ମନରେ ଜୋଶ ଭରିବେ ବୋଲି ପିସିସି ପକ୍ଷରୁ କୁହାଯାଇଛି ।