ନବୀନ ଶାସନକୁ ଇଣ୍ଡିଆ ଜଷ୍ଟିସ ରିପୋର୍ଟ ୨୦୨୫ରେ ମୋହର, ନ୍ୟାୟ ପ୍ରଦାନରେ ଓଡି଼ଶାର ବଢିଆ ପ୍ରଦର୍ଶନ

1 min read

ଭୁବନେଶ୍ବର: ଓଡ଼ିଶାରେ ବଢିଛି ଦୋଷୀ ସାବ୍ୟସ୍ତ ହାର । ଇଣ୍ଡିଆ ଜଷ୍ଟିସ ରିପୋର୍ଟ ୨୦୨୫ରେ ନବୀନ ଶାସନରେ ପୋଲିସ, ଆଇନ ସହାୟତା, ଉନ୍ନତ କାରାଗାର ବ୍ୟବସ୍ଥା ତ୍ବରିତ ନ୍ୟାୟ ପ୍ରଦାନରେ ସହାୟକ ହୋଇପାରିଛି । ଯେଉଁଥି ପାଇଁ ଓଡ଼ିଶାର ରାଙ୍କ ୨୦୨୨ରେ ୧୧ ତମ ସ୍ଥାନରେ ଥିଲା । ୨୦୨୩-୨୪ ବର୍ଷରେ ଏହି ରାଙ୍କ ୮ମ ସ୍ଥାନକୁ ଉନ୍ନୀତ ହୋଇଛି । ଯାହାକୁ ନେଇ ଆଇନଜୀବୀ ଓ ବିଶେଷଜ୍ଞ ପ୍ରଶଂସା କରିଛନ୍ତି । ଅନ୍ୟପଟେ ଉତ୍ତର ପ୍ରଦେଶ ପରି ଅନ୍ୟ ବିଜେପି ଶାସିତ ରାଜ୍ୟଗୁଡ଼ିକ ରିପୋର୍ଟ ଅନୁଯାୟୀ ନ୍ୟାୟ ପ୍ରଦାନ କ୍ଷେତ୍ରରେ ବହୁ ତଳେ ପଡ଼ିଛନ୍ତି ।

ପ୍ରକାଶ ପାଇଛି ଇଣ୍ଡିଆ ଜଷ୍ଟିସ ରିପୋର୍ଟ ୨୦୨୫ । ନ୍ୟାୟ ପ୍ରଦାନରେ ଓଡ଼ିଶା ସୃଷ୍ଟି କରିଛି ଉଦାହରଣ । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମୟରେ ଜବରଦସ୍ତ ପ୍ରଦର୍ଶନ । ୧୮ଟି ରାଜ୍ୟ ଭିତରୁ ଓଡ଼ିଶା ୧୧ ତମ ରାଙ୍କରୁ ୮ମ ରାଙ୍କକୁ ଉନ୍ନୀତ ହୋଇଛି । ୨୦୨୩-୨୪ ବର୍ଷରେ ଓଡ଼ିଶାର ଦୋଷୀ ସାବ୍ୟସ୍ତ ହାରକୁ ବିଶ୍ଲେଷଣ କରି ଏଭଳି ରିପୋର୍ଟ ପ୍ରସ୍ତୁତ କରାଯାଇଛି । ମୁଖ୍ୟତଃ ୪ଟି ମାନଦଣ୍ଡରେ ଓଡ଼ିଶାର ସ୍ଥାନ ଉପରକୁ ଉଠିଛି । ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସମୟରେ ପୋଲିସ ବ୍ୟବସ୍ଥା, ଉନ୍ନତ କାରାଗାର ଭିତ୍ତିଭୂମି, ଆଇନଗତ ସହାୟତା ଯୋଗୁଁ ନ୍ୟାୟ ପ୍ରଦାନ ତ୍ବାରାନ୍ବିତ ହୋଇଛି । କୋର୍ଟ ଭିତ୍ତିଭୂମି, ନୂତନ ଜୁଡିସିଆଲ କମ୍ପ୍ଲେକ୍ସ୍ ନିର୍ମାଣ, ଓଡିଶା ହାଇକୋର୍ଟକୁ ଡିଜିଟାଲ କରିବାରେ ପୂର୍ବ ସରକାରଙ୍କ ଅବଦାନ ପ୍ରଶଂସନୀୟ । ପୂର୍ବତନ ଅତିରିକ୍ତ ପବ୍ଲିକ୍ ପ୍ରୋସେକ୍ୟୁଟର ତଥା ବିଶିଷ୍ଟ ଆଇନଜୀବୀଙ୍କ ମତରେ ନବୀନ ସରକାରରେ ପୋଲିସ ରାଜନୈତିକ ପ୍ରଭାବରୁ ମୁକ୍ତ ଥିଲା । ଏହାସହ ଜେଲରେ କଏଦୀଙ୍କ ସଂସ୍କାର କ୍ଷେତ୍ରରେ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ନିର୍ଭୟା ଘଟଣା ପରେ କେନ୍ଦ୍ର ସରକାର କେନ୍ଦ୍ର ଓ ରାଜ୍ୟ ଅଂଶ ମିଶାଇ କ୍ଷତିପୂରଣ ପାଣ୍ଠି ଗଠନ କରିଥିଲେ । ରାଜ୍ୟ ବଜେଟରେ ତାକୁ ଅଗ୍ରାଧିକାର ଦେଇଥିଲେ ପୂର୍ବ ସରକାର । ସେହିପରି ଆଇନ ସହାୟତା ପାଇଁ ମହିଳାଙ୍କ ଭାଗିଦାରୀକୁ ସୁନିଶ୍ଚିତ କରିଥିଲେ ବିଜେଡି ସରକାର ।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି ସେ ସମୟରେ ଡବଲ ଇଞ୍ଜିନ ସରକାର ଥିବା ରାଜ୍ୟଗୁଡ଼ିକ ଓଡ଼ିଶାଠାରୁ ବହୁ ପଛରେ ପଡ଼ିଛନ୍ତି । ନ୍ୟାୟ ପ୍ରଦାନ କ୍ଷେତ୍ରରେ ଉତ୍ତରପ୍ରଦେଶ ପଛରେ ରହିଛି । ସେହିପରି ଗୁଜୁରାଟ, ରାଜସ୍ଥାନ, ଛତିଶଗଡ଼, ଝାଡଖଣ୍ଡ ରାଜ୍ୟ ପଛରେ ରହିଛନ୍ତି । ନ୍ୟାୟ ପ୍ରଦାନ ପାଇଁ ଦାୟୀ ମୁଖ୍ୟତଃ ୪ଟି ମୌଳିକ ଆବଶ୍ୟକତା ପୂରଣ କରିବାକୁ ହେଲେ ସରକାରଙ୍କ ଆନ୍ତରିକତା ଏକାନ୍ତ ଆବଶ୍ୟକ । ପୋଲିସ ଭିତ୍ତିଭୂମି ବିକାଶ ପାଇଁ ବଜେଟ୍, ପୋଲିସ ଷ୍ଟେସନର ଆଧୁନିକୀକରଣ, ନିଯୁକ୍ତି, କାର୍ଯ୍ୟଭାର ସୁଆବଣ୍ଟନ ଓ ଅନ୍ୟ ଆନୁଷଙ୍ଗିକ ବ୍ୟବସ୍ଥାର ସୁଦୃଢ଼ୀକରଣ ଯୋଗୁଁ ତ୍ବରିତ ନ୍ୟାୟ ପ୍ରଦାନ ସମ୍ଭବ ହୋଇପାରିଛି ।

ବିଳମ୍ବିତ ନ୍ୟାୟ, ନ୍ୟାୟ ନୁହେଁ । ଏ ଦିଗରେ ଓଡ଼ିଶା ପୂର୍ବ ସରକାର ସମୟରେ ସୃଷ୍ଟି କରିଥିଲା ଉଦାହରଣ । ଏବର ସରକାର ଏହାକୁ ବଜାୟ ରଖିପାରିଲେ ପୁଣି ଥରେ ରାଜ୍ୟ ସମ୍ମାନ ପୂର୍ବ ସ୍ଥିତିରେ ରହିବ, ନହେଲେ ତଳକୁ ଖସି ଆସିବ ।