ଅପାର ସମ୍ଭାବନା ସତ୍ତ୍ବେ କେନ୍ଦ୍ରର ଅଣଦେଖା: ଓଡ଼ିଶାକୁ ମିଳିଲାନି ଜଳ ବିଦ୍ୟୁତ ପ୍ରକଳ୍ପ

1 min read

ଭୁବନେଶ୍ବର: ପୁଣି କେନ୍ଦ୍ରର ପ୍ରବଞ୍ଚନା । ଜଳ ବିଦ୍ୟୁତ୍ ପ୍ରକଳ୍ପ ନିର୍ମାଣରେ ପାତରଅନ୍ତର । ଦେଶରେ ୪୨ଟି ଜଳ ବିଦ୍ୟୁତ୍ ପ୍ରକଳ୍ପ ନିର୍ମାଣ ହେଉଥିବା ବେଳେ ଓଡ଼ିଶାରେ ଦେଲେନି ଗୋଟିଏ । ଜଳ ବିଦ୍ୟୁତ୍‌ ପ୍ରକଳ୍ପ ପାଇଁ ରାଜ୍ୟରେ ଅପାର ସୁଯୋଗ ରହିଛି । କିନ୍ତୁ ଓଡ଼ିଶାକୁ ଅଣଦେଖା କରିବାକୁ ଗଣ୍ଠି ବାନ୍ଧି ନେିଥିବା କେନ୍ଦ୍ର ସରକାର ଏହାକୁ ଦୃଷ୍ଟି ଦେଇନାହିଁ । ସେପଟେ ତାପଜ ବିଦ୍ୟୁତ୍‌ ଉତ୍ପାଦନ ଯୋଗୁଁ ଓଡ଼ିଶା ପ୍ରଦୂଷଣ ସହୁଥିବା ବେଳେ କ୍ଷତି ଭରଣା ପାଇଁ କେନ୍ଦ୍ର ଗ୍ରୀନ୍‌ ସେସ୍ ଦେଉନାହିଁ । ଏହା ଅବିଚାର ବୋଲି କଂଗ୍ରେସ ଓ ସମାଜବାଦୀ ପାର୍ଟି କହିଛନ୍ତି । ସେପଟେ ବିଜେଡି ଏହାର ତୀବ୍ର ବିରୋଧ କରିବା ଉଚିତ ବୋଲି ସମୀକ୍ଷକ ମତ ରଖିଛନ୍ତି ।

ସୂଚନାଯୋଗ୍ୟ, ଦେଶରେ ୪୨ଟି ଜଳ ବିଦ୍ୟୁତ୍‌ ପ୍ରକଳ୍ପ ନିର୍ମାଣ ହେଉଛି । ହେଲେ ଓଡ଼ିଶା ବାଣ୍ଟରେ ପଡ଼ିଲାନି ଗୋଟିଏ । ଓଡ଼ିଶା ପ୍ରତି କେନ୍ଦ୍ର ସରକାରଙ୍କ ବୈମାତୃକ ମନୋଭାବର ଏହା ଆଉ ଏକ ଉଦାହରଣ । କେନ୍ଦ୍ର ଅକ୍ଷୟ ଶକ୍ତିମନ୍ତ୍ରୀ ଆର୍. କେ ସିଂହଙ୍କ ଲିଖିତ ଉତ୍ତରରୁ ଓଡ଼ିଶା ପ୍ରତି ଅବହେଳା ସ୍ପଷ୍ଟ ହୋଇଛି । ବିଭିନ୍ନ ରାଜ୍ୟରେ ନିର୍ମାଣାଧୀନ ୪୨ଟି ଜଳ ବିଦ୍ୟୁତ୍ ପ୍ରକଳ୍ପ ମଧ୍ୟରୁ ୧୮ଟି କେନ୍ଦ୍ରୀୟ ପ୍ରକଳ୍ପ, ୧୫ଟି ରାଜ୍ୟ ପ୍ରକଳ୍ପ ଓ ୯ଟି ଘରୋଇ ପ୍ରକଳ୍ପ ରହିଛି । ହେଲେ ଓଡ଼ିଶାରେ କେନ୍ଦ୍ର କୌଣସି ଜଳ ବିଦ୍ୟୁତ୍‌ ପ୍ରକଳ୍ପ କରୁନଥିବାରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ହୀରାକୁଦ ଜଳ ବିଦ୍ୟୁତ ପ୍ରକଳ୍ପ ପ୍ରତିଷ୍ଠା କରିବାରେ ଦେଶରେ ଓଡ଼ିଶା ପ୍ରଥମ । ଜଳ ବିଦ୍ୟୁତ ପ୍ରକଳ୍ପ ପାଇଁ ଓଡ଼ିଶାରେ ପର୍ଯ୍ୟାପ୍ତ ସୁଯୋଗ ରହିଛି । କିନ୍ତୁ ଏକ୍ଷେତ୍ରରେ ଓଡ଼ିଶାକୁ କେନ୍ଦ୍ର ଅବହେଳା କରିଥିବାରୁ ପ୍ରତିବାଦର ସ୍ବର ତୀବ୍ର ହୋଇଛି । କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ଏବଂ ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରା କେନ୍ଦ୍ରର ଏମିତି ପାତରଅନ୍ତର ନୀତିକୁ ଦୃଢ଼ ବିରୋଧ କରିଛନ୍ତି ।

ଦେଶରେ ୨୭ ହଜାର ୧୮୦ ମେଗାୱାଟ କ୍ଷମତା ବିଶିଷ୍ଟ ୨୦ଟି ତାପଜ ବିଦ୍ୟୁତ୍ ପ୍ରକଳ୍ପ ସ୍ଥାପନ କରାଯାଉଛି । ଓଡ଼ିଶାର ତାଳଚେରରେ ଏନଟିପିସି ପ୍ରକଳ୍ପ ରାଜ୍ୟ ତାଲିକାରେ ଅଛି । ଏନଟିପିସିର ଦୁଇଟି ନିର୍ମାଣାଧୀନ ୟୁନିଟର ଉତ୍ପାଦନ କ୍ଷମତା ୬୬୦ରୁ ୧୩ ଶହ ୨୦ ମେଗାୱାଟକୁ ବଢ଼ିବ । ତାପଜ ବିଦ୍ୟୁତ ପାଇଁ ରାଜ୍ୟର କୋଇଲା ବ୍ୟବହାର ହେଉଛି । ଲୋକ ପ୍ରଦୂଷଣର ଶିକାର ହେଉଛନ୍ତି । ପରିବେଶଜନିତ କ୍ଷତି ଭରଣା ଲାଗି ଗ୍ରୀନ ସେସରେ ରାଜ୍ୟର ଭାଗ ପାଇଁ ବିଜେଡି ସାଂସଦ ମାନସ ରଞ୍ଜନ ମଙ୍ଗରାଜ ସଂସଦରେ ପ୍ରସଙ୍ଗ ଉଠାଇଥିଲେ । ଏଥିପ୍ରତି କେନ୍ଦ୍ର କର୍ଣ୍ଣପାତ କରିନାହିଁ । ଏସବୁ ବିରୋଧରେ ବିଜେଡି ଜୋରଦାର ପ୍ରତିବାଦ କରିବା ଉଚିତ ବୋଲି ବରିଷ୍ଠ ସମୀକ୍ଷକ jବି ଦାସ ମତ ଦେଇଛନ୍ତି ।