ସାରା ରାଜ୍ୟରେ ଉପରମୁହାଁ ପାରଦ

ଭୁବନେଶ୍ବର: ତାତି କରିବ ଅସ୍ତବ୍ୟସ୍ତ ।  ଲଗାଣ ବର୍ଷା ପରେ ପାଗରେ ପରିବର୍ତ୍ତନ ହେବା ସହ ତାତି ବଢିଛି । ସ୍ବାଭାବିକଠାରୁ ୩ ରୁ ୫ ଡିଗ୍ରୀ ତାତି ବଢିଥିବା ବେଳେ ଆଗାମୀ ଦିନରେ ଆହୁରି ବଢିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ଉପକୂଳ ଓଡ଼ିଶା ଅପେକ୍ଷା ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ଅଧିକ ରହିବ । ଅଧିକାଂଶ ସହରର ତାପମାତ୍ରା ୪୦ ଛୁଇଁବା ସମ୍ଭାବନା ରହିଛି । ମେଘମୁକ୍ତ ଆକାଶ ସହ ଶୁଖିଲା ପାଗ ପାଇଁ ତାତି ବୃଦ୍ଧି ପାଇବ । ଉପକୂଳ ଓଡିଶାରେ ତାତି ସହ ଅସମ୍ଭାଳ ଗୁଳୁଗୁଳି ହେବ । ୨୫ ଏବଂ ୨୬ ତାରିଖରେ ପଶ୍ଚିମା ଝଡ ପ୍ରଭାବରେ ଉତ୍ତର ଓଡ଼ିଶାରେ ଆଶ୍ବସ୍ତି ଆଣିବ ହାଲୁକା ବର୍ଷା । କିନ୍ତୁ ୨୮ ତାରିଖରୁ ଅସମ୍ଭାଳ ହେବ ତାତି ।

ସାରା ରାଜ୍ୟରେ ଉପରମୁହାଁ ପାରଦ। ଉପାନ୍ତରୁ ଉପକୂଳ ସବୁଠି ବଢିଲା ତାତି । ୨୮ ତାରିଖରୁ ଜଳିବ ପଶ୍ଚିମ ଓଡ଼ିଶା । ସୃଷ୍ଟି ହେବ ହଟ୍ ଓ୍ବେଦର କଣ୍ଡିସନ୍ । ଅଧିକାଂଶ ସହରର ତାପମାତ୍ରା ୪୦ ଡିଗ୍ରୀ ଛୁଇଁବ । ସ୍ବାଭାବିକ ଠାରୁ ୩ ରୁ ୫ ଡିଗ୍ରୀ ଯାଏଁ ବଢିବ ତାତି । ସତର୍କ କରାଇଲା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । କାଳବୈଶାଖୀ ଜନିତ ବର୍ଷାରେ ବ୍ରେକ୍ ଲାଗିବା ପରେ ଏବେ ସାରା ରାଜ୍ୟରେ ତାତି ବଢିଛି । ଆଜି ଏବଂ କାଲି ରାଜ୍ୟର ଅଧିକାଂଶ ସହରର ତାପମାତ୍ରା ୩୫ ରୁ ୩୯ ଡିଗ୍ରୀ ପହଞ୍ଚିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ବିଶେଷ କରି ସୋନପୁର, ବୌଦ୍ଧ, ବଲାଙ୍ଗିର, ସମ୍ବଲପୁର, ବରଗଡ, ଝାରସୁଗୁଡା, ମାଲକାନଗିରି ଏବଂ କଳାହାଣ୍ଡିରେ ତାତି ବଢିବ ।

୨୫ ଏବଂ ୨୬ ତାରିଖରେ ପୁଣି ସକ୍ରୀୟ ହେବ ପଶ୍ଚିମା ଝଡ । ପ୍ରଭାବରେ ବଡ ବର୍ଷା ନ ହେଲେ ମଧ୍ୟ ଉତ୍ତର ଓଡ଼ିଶାର ମୟୁରଭଞ୍ଜ, ବାଲେଶ୍ବର, ଭଦ୍ରକ, କେନ୍ଦୁଝର, ସୁନ୍ଦରଗଡ ଏବଂ ଯାଜପୁର ଜିଲ୍ଲାରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ବାକି ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ପାଗ ଶୁଖିଲା ରହିବା ସହ ତାତି ଅନୁଭୁତ ହେବ। ଆଇଏମ୍ଡିର ଆକଳନ ଅନୁସାରେ ୨୮ ତାରିଖରୁ ମେଘମୁକ୍ତ ଆକାଶ ଏବଂ ଶୁଖିଲା ପାଗ ପାଇଁ ଟାଇଁ ଟାଇଁ ଖରା ହେବ । ବାୟୁମଣ୍ଡଳରେ ଶୁଷ୍କତା ବୃଦ୍ଧି ହେତୁ ଉପକୂଳ ଓଡ଼ିଶା ଅପେକ୍ଷା ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ୪୦ କିମ୍ବା ୪୧ ଡିଗ୍ରୀ ତାପମାତ୍ରା ରେକର୍ଡ ହେବ ବୋଲି ପାଣିପାଗ ବିଜ୍ଞାନୀ କହିଛନ୍ତି।

ଚଳିତ ବର୍ଷ ମାର୍ଚ୍ଚ ମାସ ଶେଷ ହେବାକୁ ବସିଥିବା ବେଳେ ତାତି ସେତେ ଅଧିକ ଅନୁଭୁତ ହୋଇନାହିଁ। ବିଶେଷ କରି ବାରମ୍ବାର ପଶ୍ଚିମା ଝଡର ସକ୍ରିୟତା ପାଇଁ ବଜ୍ରପାତ ଜନିତ ବର୍ଷା ହୋଇଥିବାରୁ ତାପମାତ୍ରା କମ୍ ରହିଛି। କିନ୍ତୁ ୨୮ ପରେ ସ୍ଥିତି ଅସମ୍ଭାଳ ହେବ ବୋଲି ପାଣିପାଗ କେନ୍ଦ୍ର କହିଛି ।