୨୬ରେ ଓଡ଼ିଶା ହାଇକୋର୍ଟକୁ ପୂରିବ ୭୫ ବର୍ଷ, ସ୍ମରଣୀୟ କରିବାକୁ ଗୋଟିଏ ବେଞ୍ଚରେ ୭୫ଟି ମାରଥନ ରାୟ ଶୁଣାଇବାକୁ ଯୋଜନା

କଟକ: ୭୫ ବର୍ଷ ପୂର୍ତ୍ତିରେ ଆସିବ ୭୫ ରାୟ । ଆସନ୍ତା ୨୬ ତାରିଖରେ ଓଡ଼ିଶା ହାଇକୋର୍ଟ ପ୍ରତିଷ୍ଠାକୁ ୭୫ ବର୍ଷ ପୂରିବ । ଏହାକୁ ସ୍ମରଣୀୟ କରିବାକୁ ହାଇକୋର୍ଟ ଆଜି ଗୋଟିଏ ବେଞ୍ଚରେ ୭୫ଟି ମାରଥନ ରାୟ ଶୁଣାଇବାକୁ ଯୋଜନା କରିଛନ୍ତି । ହାଇକୋର୍ଟର ବିଚାରପତି ଜଷ୍ଟିସ୍ ସଞ୍ଜୀବ କୁମାର ପାଣିଗ୍ରାହୀଙ୍କ ଖଣ୍ଡପୀଠରେ ଏହି ରାୟ ପ୍ରକାଶ ପାଇବ। ଜେଲ୍ କ୍ରିମିନାଲ ଅପିଲ, କ୍ରିମିନାଲ ରିଭ୍ୟୁ ପିଟିସନ୍ ଉପରେ ଏହି ରାୟ ପ୍ରକାଶ ପାଇବ । ଏହି ସବୁ ମାମଲା ଗୁଡିକ ଗତ ମାସ ୨୧ତାରିଖକୁ ଶୁଣାଣି ହୋଇଆସୁଛି ।

ସାଧାରଣ ଲୋକ ନ୍ୟାୟ ପାଇବାରେ ଏହା ବିଶେଷ ସହାୟକ ହେବ ବୋଲି ହାଇକୋର୍ଟ ଆଶା କରିଛନ୍ତି । ଆସନ୍ତା ୨୬ ତାରିଖରେ ଓଡିଶା ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତି ହାଇକୋର୍ଟର ୭୫ ବର୍ଷ ପୂର୍ତ୍ତି ଉଦଯାପନୀ ଉତ୍ସବରେ ଯୋଗ ଦେବା ନେଇ କାର୍ଯ୍ୟକ୍ରମ ସ୍ଥିର ହୋଇଛି । ୧୯୧୬ ମସିହାରେ ବିହାର ହାଇକୋର୍ଟର ସର୍କିଟ ବେଞ୍ଚ୍ କଟକରେ ଆରମ୍ଭ ହୋଇଥିଲା । ଏହି ବେଞ୍ଚ୍ ଚାଲିଥିବା ବେଳେ ସ୍ୱାଧୀନତାର ପରବର୍ଷ ଅର୍ଥାତ୍ ୧୯୪୮ ମସିହା ଜୁଲାଇ ୨୬ ତାରିଖରେ କଟକରେ ବିଧିବଦ୍ଧ ଭାବେ ଓଡ଼ିଶା ହାଇକୋର୍ଟ କାର୍ଯ୍ୟ ଆରମ୍ଭ କରିଥିଲା ।

ଚଳିତ ବର୍ଷ ହାଇକୋର୍ଟ ପ୍ରତିଷ୍ଠାକୁ ୭୫ ବର୍ଷ ପୂରିବ । ଗତ ବର୍ଷଠାରୁ ହାଇକୋର୍ଟର ୭୫ ବର୍ଷ ପ୍ରତିଷ୍ଠା ଉତ୍ସବକୁ ହୀରକ ଜୟନ୍ତୀ ଉତ୍ସବ ଭାବେ ପାଳନ କରାଯାଇ ଆସୁଛି । ଏହି ଅବସରରେ ହାଇକୋର୍ଟ ପକ୍ଷରୁ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଏଭଳି ଏକ ସମୟରେ ପୂର୍ତ୍ତ ପାଳନର ମାତ୍ର ଗୋଟେ ଦିନ ପୂର୍ବରୁ ଗୋଟିଏ ଦିନରେ ୭୫ଟି ରାୟ ଆସିବା ଏକ ବିରଳ ଘଟଣା ବୋଲି କୁହାଯାଉଛି । ଏହି ଅବସରରେ ଏଭଳି ରାୟକୁ ସ୍ବାଗତ କରିଛନ୍ତି ହାଇକୋର୍ଟର ବରିଷ୍ଠ ଆଇନଜୀବୀ।