ତାତିରେ ହେବ ରେକର୍ଡ, ଆହୁରି କଲବଲ କରିବ ଝାଞ୍ଜି

1 min read

ଭୁବନେଶ୍ବର: ତାତିରେ ହେବ ରେକର୍ଡ। ଚଳିତ ବର୍ଷ ଏପ୍ରିଲ ମାସରେ ସର୍ବାଧିକ ଦିନ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଅନୁଭୁତ ହେବ। ଏପ୍ରିଲ ମାସର ପ୍ରଥମ ସ୍ପେଲରେ ଦୁଇ ଦିନ ଗ୍ରୀଷ୍ମ ପ୍ରବାହ ହୋଇଥିବା ବେଳେ ଆଜି ମଧ୍ୟ ଅନେକ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ହୋଇଛି। ଏପ୍ରିଲ ମାସରେ ସ୍ବାଭାବିକ ଭାବରେ ୧ ରୁ ୩ ଦିନ ଗ୍ରୀଷ୍ମପ୍ରବାହ ହୋଇଥାଏ। କିନ୍ତୁ ଅଜି ସୁଦ୍ଧା ୩ ଦିନ ଗ୍ରୀଷ୍ମ ପ୍ରବାହ ସଂପୂର୍ଣ୍ଣ ହୋଇଥିବା ବେଳେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ହେବ ବୋଲି ଆକଳନ କରାଯାଇଛି। ତେଣୁ ଚଳିତ ବର୍ଷ ଏପ୍ରିଲ ମାସରେ ରେକର୍ଡ ଦିନ  ୭ ରୁ ୮ ଦିନ ଗ୍ରୀଷ୍ମ ପ୍ରବାହ ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ସେପଟେ ଆକାଶରୁ ବର୍ଷୁଛି ନିଆଁ।

ଆଭ୍ୟନ୍ତରୀଣ ଓଡ଼ିଶା ଅପେକ୍ଷା ଅଧିକ ଜଳୁଛି ଉପକୂଳ ଓଡ଼ିଶା। ଦିନ ସହ ରାତିରେ ବି ହେଉଛି ଅସମ୍ଭାଳ ତାତି। ଉଷ୍ମ ଏବଂ ଆର୍ଦ୍ର ପାଣିପାଗ ପାଇଁ ଅସହ୍ୟ ହେଉଛି ସ୍ଥିତି। ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ମିଳିବନି ନିସ୍ତାର। ସ୍ବାଭାବିକ ଠାରୁ ୪ ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ୧୮ ଏବ ୧୯ ତାରିଖରେ ସର୍ବାଧିକ ଗ୍ରୀଷ୍ମ ପ୍ରବାହ ପାଇଁ ଚେତାବନୀ ଜାରି କରିଛି ପାଣିପାଗ କେନ୍ଦ୍ର। ବିଶେଷ କରି ଭବାନୀପାଟଣା, ବଲାଙ୍ଗିର, ଟିଟିଲାଗଡ, ନୟାଗଡ, ଝାରସୁଗୁଡା, ଅନୁଗୁଳ, ବୌଦ୍ଧ ଏବଂ ମାଲକାନଗିରିରେ ୪୫ ଡିଗ୍ରୀ ପାର କରିବ ତାପମାତ୍ରା। ରାଜ୍ୟକୁ ବର୍ତ୍ତମାନ ପଶ୍ଚିମ ଉତ୍ତର-ପଶ୍ଚିମ ଦିଗରୁ ଗରମ ଶୁଷ୍କ ପବନ ପ୍ରବାହିତ ହେଉଥିବାରୁ ତାପମାତ୍ରା ବୃଦ୍ଧି ପାଉଛି।

ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଏଭଳି ପାଗ ଜାରି ରହିବ। ପ୍ରଭାବରେ ଆସନ୍ତା କାଲି ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ୧୯ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ବାଲେଶ୍ବର, ଭଦ୍ରକ, ମୟୁରଭଞ୍ଜ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର, କଟକ, ଖୋର୍ଦ୍ଧା,ପୁରୀ, ନୟାଗଡ, ବୌଦ୍ଧ, କନ୍ଧମାଳ, ଗଞ୍ଜାମ, ଗଜପତି, କୋରାପୁଟ ଏବଂ ମାଲକାନଗିରିକୁ ସତର୍କତା ଜାରି କରାଯାଇଛି। ୧୮ ଏବଂ ୧୯ ତାରିଖରେ ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାରେ ତାପମାତ୍ରା ୪୦ ରୁ ୪୫ ଡିଗ୍ରୀ ପର୍ଯ୍ୟନ୍ତ ରେକର୍ଡ ହେବାର ସମ୍ଭାବନା ରହିଛି। ତେବେ ୨୧ ଏବଂ ୨୨ ତାରିଖ ବେଳକୁ ରାଜ୍ୟରେ ପାଗ ପରିବର୍ତ୍ତନ ହେବା ସହ ଗୁରୁଚାପବଳୟ ପ୍ରଭାବରେ ଘଡଘଡି ବିଜୁଳି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।

ଆଜି ବି ସବୁଠୁ ତତଲା ସହର ଭୁବନେଶ୍ବର ।  ଦିନ ୨ଟା ୩୦ ସୁଦ୍ଧା ଭୁବନେଶ୍ବରରେ ସର୍ବାଧିକ ୪୧.୯ ଡିଗ୍ରୀ ତାତି ରେକର୍ଡ ହୋଇଛି । ଚାନ୍ଦବାଲି ୪୧.୬ ଡିଗ୍ରୀ ସହ ଦ୍ବିତୀୟ ଉତ୍ତପ୍ତ ସହର ହୋଇଛି ।

ଝାରସୁଗୁଡା: ୪୧.୪°C

ବାଲେଶ୍ୱର: ୪୦.୫°C

ସମ୍ବଲପୁର: ୪୦.୩°C

କେନ୍ଦୁଝର: ୪୦°C

ରାଉରକେଲା:୩୯.୯°C

ହୀରାକୁଦ: ୩୯.୫°C

ଗୋପାଳପୁର:୩୫.୬°C

ପୁରୀ:୩୪.୮°C

ପାରାଦୀପ: ୩୪.୨°C