ରାଜ୍ୟରେ ପୁଣି ଫେରିଲା ତାତି, କାଲିଠୁ ଜାଳିବ!

ନନ୍ଦିଘୋଷ ବ୍ୟୁରୋ: ଆସନ୍ତା ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ ସ୍ଥିର ରହିବ ତାପମାତ୍ରା । ଦିନରେ ଖରା, ରାତିରେ ହାଲୁକା ଥଣ୍ଡା । ରାଜ୍ୟକୁ ପଶ୍ଚିମ ଦିଗରୁ ବହୁଥିବା ଶୁଷ୍କ ପବନ ପ୍ରବାହ କମିବା ପରେ ଏଭଳି ପାଗ ଦେଖାଦେଇଛି । ଗତ ଦୁଇଦିନ ହେବ ରାଜ୍ୟରେ ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି କମିଛି । ବିଶେଷ କରି କିଛି ଜିଲ୍ଲାରେ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିଛି । ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ପୁଣି ୧୫ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହେବ । ନୂଆପଡା, ସମ୍ବଲପୁର, ବରଗଡ, ବୌଦ୍ଧ, ସୋନପୁର, ଝାରସୁଗୁଡା, କଳାହାଣ୍ଡି, କନ୍ଧମାଳ, ଅନୁଗୁଳ, ଢେଙ୍କାନାଳ, ମାଲକାନଗିରି, ଗଜପତି ସମେତ ଭୁବନେଶ୍ବରରେ ତାପମାତ୍ରା ବଢିବ ବୋଲି ଆକଳନ କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୩୬.୩ ଡିଗ୍ରୀ ସହ ମାଲକାନଗିରି ରାଜ୍ୟର ସବୁଠୁ ଉତ୍ତପ୍ତ ସହର ଭାବରେ ରେକର୍ଡ କରିଛି । ଭୁବନେଶ୍ବରରେ ୩୩.୪ ଏବଂ କଟକରେ ୩୧.୮ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।