ଦିନରେ ଅସହ୍ୟ ଖରା, ସନ୍ଧ୍ୟାରେ କାଳବୈଶାଖୀ ବର୍ଷା

1 min read
Odisha Heat Wave And Thunderstorm Update

ଭୁବନେଶ୍ୱର: ଖରା ବର୍ଷାର ଲୁଚକାଳି ଖେଳରେ ହନ୍ତସନ୍ତ ହେଉଛି ଜନଜୀବନ । ଦିନରେ ଅସହ୍ୟ ତାତିରେ ଆଉଟୁ ପାଉଟୁ ହେଉଛନ୍ତି ଲୋକ । ସନ୍ଧ୍ୟାରେ କାଳବୈଶାଖୀ ବର୍ଷା ଓ ଝଡ଼ ପବନରେ ଧନଜୀବନ ହନ୍ତସନ୍ତ ହେଉଛି । ଆଜି ପୁଣି ୪୪.୪ ଡିଗ୍ରୀ ସେଲସୟିସ୍ ସହ ସୋନପୁର ପାଲଟିଛି ସବୁଠୁ ଉତ୍ତପ୍ତ ସହର । ଆଜି ୯ ସହରର ତାପମାତ୍ରା ୪୨ ଡିଗ୍ରୀ ଉପରେ ରହିଛି । ଆଗାମୀ ଦୁଇଦିନ ପର୍ଯ୍ୟନ୍ତ ଦିନର ତାପାମାତ୍ରା ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ୱାଭାବିକ ଠାରୁ ତିନିରୁ ଚାରି ଡଗ୍ରୀ ଅଧିକ ରହିବା ସମ୍ଭାବନା ରହିଛି ।

ଅନ୍ୟପଟେ ଆସନ୍ତା ୪ ଦିନ ଧରି ବଜ୍ରପାତ ସହ ଝଡ଼ବର୍ଷା ଆଶଙ୍କା କରିଛି ପାଣିପାଗ ବିଭାଗ । ଏନେଇ ୧୩ ଜିଲ୍ଲାର ଜିଲ୍ଲାପାଳଙ୍କୁ ଆଲର୍ଟ ରହିବାକୁ ପରାମର୍ଶ ଦେଇଛନ୍ତି ଏସାରସି । କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ଢେଙ୍କାନାଳ, ଅନୁଗୁଳ, ଯାଜପୁର, ଭଦ୍ରକ, ବାଲେଶ୍ୱର, ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ କନ୍ଧମାଳ ଜିଲ୍ଲାକୁ କାଳବୈଶାଖୀ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି ।

ଆଜି ଟିଟିଲାଗଡ଼ରେ ପାରଦ ୪୩.୫ ଡିଗ୍ରୀ ରହିଥିବା ବେଳେ ବଲାଙ୍ଗିରର ତାପମାତ୍ରା ୪୪.୩ ଡିଗ୍ରୀ, ବୌଦ୍ଧ ୪୩ ଡିଗ୍ରୀ, ଅନୁଗୁଳ ୪୩.୧ ଡିଗ୍ରୀ, ସମ୍ବଲପୁର ୪୨.୪ ଡିଗ୍ରୀ, ସୁନ୍ଦରଗଡ଼ ୪୨.୫ ଡିଗ୍ରୀ, ଭବାନୀପାଟଣା ୪୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।