ବର୍ଷା ଓ ଆସନ୍ନ ବନ୍ୟା ସ୍ଥିତିକୁ ଆଖି ରଖି ସ୍ବାସ୍ଥ୍ଯ ବିଭାଗର ସ୍ୱତନ୍ତ୍ର ପ୍ରସ୍ତୁତି

ଭୁବନେଶ୍ବର: ବର୍ଷା ଓ ଆସନ୍ନ ବନ୍ୟା ସ୍ଥିତିକୁ ଆଖି ରଖି ସ୍ବାସ୍ଥ୍ଯ ବିଭାଗର ସ୍ୱତନ୍ତ୍ର ପ୍ରସ୍ତୁତି । ବନ୍ୟା ବେଳେ ସ୍ଵଚ୍ଛ ପାନୀୟ ଜଳ ପିଇବା ଉପରେ ଗୁରୁତ୍ୱ ଦେଇଛି ସ୍ବାସ୍ଥ୍ଯ ବିଭାଗ । ଏସଆରସିଙ୍କ ନିର୍ଦ୍ଦେଶ ଆଧାରରେ ଫିଲଡ ସ୍ତରରେ ଏହାର କାର୍ଯ୍ୟକାରିତାକୁ ସର୍ବାଧିକ ଗୁରୁତ୍ବ ଦିଆଯାଉଛି । ଏସଆରସି ଯେଉଁ ଜିଲ୍ଲାକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ସେସବୁ ଅଞ୍ଚଳରେ ସତର୍କ ରହିବାକୁ ସ୍ୱାସ୍ଥ୍ୟ କର୍ମୀ ଓ ଡାକ୍ତରଙ୍କୁ ନିର୍ଦ୍ଦେଶ ଦେଇଛି ।

ରନ୍ଧା ଖାଦ୍ୟ ଯେଉଁଠି ଦିଆଯାଉଛି ସେଠି ଶୁଦ୍ଧ ପାନୀୟ ଜଳ ବି ଯୋଗାଣ ହେଉଛି । ସ୍ୱାସ୍ଥ୍ୟ ବିଭାଗର ଟିମ ସବୁଆଡେ ଆଲର୍ଟ ରହିଛି । ସମ୍ଭାବ୍ୟ ବନ୍ୟାକୁ ଆଖି ଆଗରେ ରଖି ଔଷଧ, ସାଲାଇନ, ବ୍ଲିଚିଂ ପାଉଡର ମହଜୁଦ ରଖାଯାଇଛି । ଏସଆରସିଙ୍କ କାର୍ଯ୍ୟାଳୟ ସହ ସ୍ୱାସ୍ଥ୍ୟ ବିଭାଗ ସମ୍ପୂର୍ଣ୍ଣ ଯୋଗାଯୋଗରେ ରହିଛି। ରାପିଡ ରେସପନ୍ସ ଟିମ ପ୍ରସ୍ତୁତ ରହିଛି।

ପ୍ରସୂତି ମହିଳାଙ୍କୁ ଆଗୁଆ ସତର୍କ କରାଯାଇଛି। ଆଶ୍ରୟ ସ୍ଥଳରେ ମଧ୍ୟ ବ୍ୟବସ୍ଥା କରାଯାଇଛି । ଆଶାକର୍ମୀ ଆଲର୍ଟ ରହିଛନ୍ତି । ବାରମ୍ବାର ରିମାଇଣ୍ଡର ମଧ୍ୟ ଦିଆଯାଉଛି ବୋଲି ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର। ସେପଟେ ରାଜ୍ୟରେ ଡେଙ୍ଗୁ ସଂଖ୍ୟା ବଢୁଥିବାରୁ ସରକାର ସତର୍କ ଅଛନ୍ତି । ଖୋର୍ଦ୍ଧା ଆଗରେ ଥିବାବେଳେ ସୁନ୍ଦରଗଡ ଦ୍ଵିତୀୟରେ ରହିଛି ବୋଲି କହିଛନ୍ତି ଜନସ୍ବାସ୍ଥ୍ଯ ନିର୍ଦ୍ଦେଶକ ।