ଜିଲ୍ଲାପାଳଙ୍କ ବିରୋଧରେ ଏସଟି କମିଶନଙ୍କ ନିର୍ଦ୍ଦେଶ ଉପରେ ରହିତାଦେଶ
କଟକ: ଏସଟି କମିଶନଙ୍କ ନିର୍ଦ୍ଦେଶ ଉପରେ ହାଇକୋର୍ଟଙ୍କ ରହିତାଦେଶ । କେନ୍ଦୁଝର ଜିଲ୍ଲାପାଳଙ୍କ ବିରୋଧରେ ଏସଟି କମିଶନ ଦେଇଥିବା ନିର୍ଦ୍ଦେଶ ଉପରେ ରହିତାଦେଶ ଲଗାଯାଇଛି । ଜିଲ୍ଲାପାଳଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କମିଶନ ନିର୍ଦ୍ଦେଶ ଦେଇଥିଲେ । କମିଶନଙ୍କ ନିର୍ଦ୍ଦେଶକୁ ଜିଲ୍ଲାପାଳ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ଜିଲ୍ଲାପାଳଙ୍କ ପକ୍ଷରୁ ଆଡଭୋକେଟ ଜେନେରାଲ ଅଶୋକ ପରିଜା ମାମଲା ଲଢ଼ିଥିଲେ । କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେଙ୍କ ନାଁରେ ଆରେଷ୍ଟ ୱାରେଣ୍ଟ ଜାରି ହୋଇଥିଲା ।
ଜିଲ୍ଲାପାଳଙ୍କୁ ଜନଜାତି କମିଶନଙ୍କ ପାଖରେ ହାଜର ହେବାକୁ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଏକାଧିକ ମାମଲାରେ ଜିଲ୍ଲାପାଳଙ୍କୁ ହାଜର ପାଇଁ ନିର୍ଦ୍ଦେଶ ଥିଲା । ବାରମ୍ବାର ନୋଟିସ ପରେ ବି ହାଜର ହୋଇନଥିଲେ ଜିଲ୍ଲାପାଳ । ଶୁଣାଣିରେ ଭାଗ ନେବା ପାଇଁ ନୋଟିସ୍ ଓ ସମନ୍ ମଧ୍ୟ ଜାରି କରାଯାଇଥିଲା । କିନ୍ତୁ ଜିଲ୍ଲାପାଳ କମିଶନଙ୍କ ନିକଟରେ ଉପସ୍ଥିତ ହୋଇନଥିଲେ କି କମିଶନଙ୍କ ନୋଟିସର କୌଣସି ଉତ୍ତର ଦେଇ ନଥିଲେ । ଶେଷରେ ଜାତୀୟ ଅନୁସୂଚିତ ଜନଜାତି କମିଶନ କେନ୍ଦୁଝର ଜିଲ୍ଲାପାଳଙ୍କ ନାମରେ ଆରେଷ୍ଟ ୱାରେଣ୍ଟ ଜାରି କରିଥିଲେ । ତାଙ୍କୁ ଗିରଫ କରି ନୂଆଦିଲ୍ଲୀ ସ୍ଥିତ କମିଶନଙ୍କ କାର୍ଯ୍ୟାଳୟରେ ହାଜର କରାଇବା ପାଇଁ ରାଜ୍ୟ ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଥିଲେ କମିଶନ ।