୨୦୨୪ରେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କେହି ହରେଇ ପାରିବେ ନାହିଁ: ପ୍ରଭୁ ଚାଓ୍ବଲା

ଭୁବନେଶ୍ୱର: ବର୍ତ୍ତମାନର ରାଜନୈତିକ ସ୍ଥିତିରେ ୨୦୨୪ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କେହି ହରେଇ ପାରିବେ ନାହିଁ । କାରଣ ଓଡ଼ିଶାରେ ନାହାନ୍ତି ବିରୋଧୀ ଦଳ । ନବୀନ ପଟ୍ଟନାୟକଙ୍କ ବିପକ୍ଷରେ ଲଢେଇ କରିବାକୁ କେହି ବିରୋଧୀ ନାହାନ୍ତି । ଇଣ୍ଡିଆନ ଏକ୍ସପ୍ରେସ ଲିଟେରାରୀ ଫେଷ୍ଟିଭାଲରେ ଯୋଗଦେବା ଅବସରରେ ଏଭଳି କହିଛନ୍ତି ଏହାର ମୁଖ୍ୟ ସଂପାଦକ ପ୍ରଭୁ ଚାଓ୍ବଲା । ପ୍ରଭୁ ଚାଓ୍ବଲା କହିଛନ୍ତି, ଓଡ଼ିଶାରେ ରହିଛି ନବୀନ ଯାଦୁ । ନବୀନଙ୍କ ହାତ ହଲିଲେ ଦଳର ଭୋଟ ବଢୁଛି । ନବୀନଙ୍କ ଯାଦୁକୁ ଆଜିଯାଏ କେହି ବୁଝିପାରିନାହାନ୍ତି । ନବୀନ ଯାଦୁ ଆଗରେ କୌଣସି ବିକଳ୍ପ ଦେଖାଯାଉନାହିଁ । ନବୀନଙ୍କ ବିକଳ୍ପରେ କିଏ ବୋଲି ପ୍ରଶ୍ନ କରିଛନ୍ତି ପ୍ରଭୁ ।

ଓଡ଼ିଶାର ରାଜନୀତିରେ ନବୀନ ଥିଲା ପର୍ଯ୍ୟନ୍ତ କେହି ତାଙ୍କୁ ସାମ୍ନା କରିପାରିବେ ନାହିଁ । ନବୀନ ଜଣେ ଲମ୍ବା ନେତା ହେଲେ ବି ଛୋଟ ଗାଡ଼ି ଚଢନ୍ତି । ସେ ଖୁବ କମ କଥା କହିଥାନ୍ତି । ତାଙ୍କ କାମ ହିଁ କଥା କହେ । ତାଙ୍କ କାମ ହିଁ ଝଡ ସୃଷ୍ଟି କରେ । ୨୦୨୪ରେ ଓଡ଼ିଶାରେ କୌଣସି ବଡ଼ ପରିବର୍ତ୍ତନର ସମ୍ଭାବନା ନାହିଁ ବୋଲି ସେ କହିଛନ୍ତି। ସେପଟେ ବିରୋଧୀଙ୍କ ଚିରାଚରିତ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖି ପ୍ରଭୁଚାଓ୍ବାଲା କହିଛନ୍ତି ନେତାଙ୍କ ବିନା ଅନୁମତିରେ କୌଣସି କାର୍ଯ୍ୟ ହୁଏ ନାହିଁ । ବିରୋଧୀ ଅସହିଷ୍ଣୁ ହୋଇ ବିଭିନ୍ନ ରାଜନୈତିକ ଅଭିଯୋଗ କରୁଛନ୍ତି । ଯେପରି ସମ୍ବାଦପତ୍ରରେ ସମ୍ପାଦକଙ୍କ ବିନା ଅନୁମତିରେ କୌଣସି ଖବର ଛପେ ନାହିଁ, ସେହିଭଳି ଶାସନରେ ଶାସନ ମୁଖ୍ୟଙ୍କ ବିନା ଅନୁମତିରେ କୌଣସି କାର୍ଯ୍ୟ ହୁଏ ନାହିଁ ବୋଲି ସେ କହିଛନ୍ତି ।