ମହାନଦୀ ଜଳ ଉପରେ ରହିଛି ଓଡ଼ିଶାର ଅଧିକାର: ପ୍ରଫୁଲ୍ଲ ସାମଲ

ଭୁବନେଶ୍ୱର: ମହାନଦୀ ଜଳ ଉପରେ ଓଡ଼ିଶାର ଅଧିକାର ରହିଛି । ତେଣୁ ଓଡ଼ିଶାକୁ ତାହାର ପ୍ରାପ୍ୟ ମିଳୁ ବୋଲି ଦାବି କରିଛନ୍ତି ବରିଷ୍ଠ ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲ । ମହାନଦୀ ଜଳ ବିବାଦ ନେଇ ରାଜ୍ୟ ସରକାର ସମସ୍ତ ତଥ୍ୟ ଦେଇ ଟ୍ରିବ୍ୟୁନାଲରେ ଆଇନଗତ ଲଢ଼େଇ ଜାରି ରଖିଛନ୍ତି । ଅନ୍ୟପଟେ ଛତିଶଗଡ଼ ସରକାର ସମସ୍ତ ନିୟମ ଉଲ୍ଲଘଂନ କରି ମହାନଦୀରେ ଏକାଧିକ ବ୍ୟାରେଜ ନିର୍ମାଣ କରିଛନ୍ତି । ଯାହାକୁ ନେଇ ଛତିଶଗଡ଼ ସରକାର ବିରୋଧରେ ଉଠିଛି ପ୍ରତିବାଦର ସ୍ବର ।

ବର୍ତ୍ତମାନ ଛତିଶଗଡ଼ରେ କଂଗ୍ରେସ ସରକାର ଥିଲେ ସୁଦ୍ଧା ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ଛତିଶଗଡ଼ ସରକାରଙ୍କୁ ସମାଲୋଚନା କରିଛନ୍ତି । ସେପଟେ ବିବାଦର ସମାଧାନ ପାଇଁ କ୍ଷେତ୍ର ପରିଦର୍ଶନ କରିବାକୁ ପ୍ରଥମ ଥର ଲାଗି ଟ୍ରିବ୍ୟୁନାଲର ସଦସ୍ୟମାନେ ଉଭୟ ରାଜ୍ୟର ଗ୍ରାଉଣ୍ଡ ଜିରୋରେ ପହଞ୍ଚିଛନ୍ତି । ଖୁବଶୀଘ୍ର ଟିମ ସମସ୍ତ ତଥ୍ୟ ସଂଗ୍ରହ କରି ରିପୋର୍ଟ ଦେବେ । ଟ୍ରିବ୍ୟୁନାଲର ସଦସ୍ୟଙ୍କ ଗସ୍ତ ପରେ ଦୁଇ ରାଜ୍ୟ ମଧ୍ୟରେ ଦୀର୍ଘଦିନ ଧରି ଚାଲିଥିବା ବିବାଦର ସମାଧାନ ହେବ ବୋଲି ଆଶା କରାଯାଇଛି ।