ଷ୍ଟାର୍ଟ ଅପ୍ ଲିଡ୍‌ର ସ୍ୱୀକୃତି ହାସଲ କଲା ଓଡ଼ିଶା

1 min read
Startup

ଭୁବନେଶ୍ୱର: ଷ୍ଟାର୍ଟ ଅପ୍ ଲିଡର ସ୍ୱୀକୃତି ହାସଲ କଲା ଓଡିଶା । ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ ଷ୍ଟାର୍ଟଅପ୍ କାଉନସିଲ୍ ବୈଠକରେ ଏନେଇ ସୂଚନା ଦିଆଯାଇଛି । ବୈଠକରେ ଅଗ୍ରଗତି ସମୀକ୍ଷା କରି, ଲକ୍ଷ୍ୟଭିତ୍ତିକ ସହଭାଗିତା ଓ ସହାୟକ ନିୟାମକ ମାଧ୍ୟମରେ ରାଜ୍ୟରେ ଷ୍ଟାର୍ଟଅପ୍ ଇକୋ ସିଷ୍ଟମକୁ ଅଧିକ କ୍ରିୟାଶୀଳ କରିବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ ।

ଇନକ୍ୟୁବେଟର ଓ ଷ୍ଟାର୍ଟଅପ୍‌ମାନଙ୍କ ମଧ୍ୟରେ ଲଗାତର ଯୋଗାଯୋଗକୁ ଗୁରୁତ୍ୱ ଦିଆଯାଇଥିଲା । ଇଡ୍‌କୋର ନିର୍ମାଣାଧିନ ଜିରୋ-ହବ୍‌କୁ ଆସନ୍ତା ମାର୍ଚ୍ଚ ମାସ ସୁଦ୍ଧା ଏକ ଉନ୍ନତ ଷ୍ଟାର୍ଟଅପ୍ ହବ୍‌ ଭାବେ ବିକଶିତ କରି ଏଥିରେ ପରୀକ୍ଷଣ ଓ ଉତ୍ପାଦ ବିକାଶ ପାଇଁ ସାଧାରଣ ସୁଯୋଗ ସୃଷ୍ଟି କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

୨୦୧୭ର ଜୁନ୍ ମାସରେ ରାଜ୍ୟର ପ୍ରଥମ ଷ୍ଟାର୍ଟଅପ୍‌କୁ ସ୍ୱୀକୃତି ମିଳିଥିଲା । ଏବେ ସୁଦ୍ଧା ରାଜ୍ୟରେ ଷ୍ଟାର୍ଟଅପ୍‌ ସଂଖ୍ୟା ୭୭୪କୁ ବୃଦ୍ଧି ପାଇଛି । ରାଜ୍ୟରେ ୧୭ଟି ଇନକ୍ୟୁବେଟର୍‌, ୧୭ଟି ଅଣକ୍ଷୁଦ୍ର ଶିଳ୍ପ ଇନକ୍ୟୁବେଟର୍‌ ଓ ୧୩ଟି ନୋଡାଲ୍ ସଂସ୍ଥା କାର୍ଯ୍ୟ କରୁଛନ୍ତି । ୧୯୬ ଷ୍ଟାର୍ଟଅପ୍‌ଙ୍କୁ ପ୍ରାୟ ୧୫କୋଟିରୁ ଅଧିକ ଟଙ୍କାର ସହାୟତା ଦିଆଯାଇଛି । ଭୁବନେଶ୍ୱରସ୍ଥିତ ସେଣ୍ଟ୍ରାଲ ଟୁଲ୍ ରୁମ୍ ଆଣ୍ଡ ଟ୍ରେନିଂ ସେଣ୍ଟର ଓ ଜୀବନ ବିଜ୍ଞାନ ପ୍ରତିଷ୍ଠାନଙ୍କୁ ଷ୍ଟାର୍ଟଅପ୍‌ ନୋଡାଲ୍ ସଂସ୍ଥାଭାବେ ତାଲିକାଭୁକ୍ତ କରିବା ପାଇଁ ମୁଖ୍ୟ ଶାସନ ସଚିବ ଅନୁମୋଦନ ଦେଇଛନ୍ତି ।

Leave a Reply