କ୍ଲାଇମେଟ ଆକ୍ସନ ପ୍ଲାନ କରିବାରେ ଓଡିଶା ସାଜିଛି ଦେଶର ରୋଲ ମଡେଲ

କଟକ:  କୂଳ ଲଂଘୁଛି ସମୁଦ୍ର । ୪୯ ବର୍ଷରେ ୯.୫ ସେଣ୍ଟିମିଟର ସମୁଦ୍ର ପତ୍ତନ ବୃଦ୍ଧି ପାଇଛି । ୧୨ ବର୍ଷରେ ସମୁଦ୍ରରେ ଲୀନ ହେଲାଣି ଉପକୂଳବର୍ତ୍ତୀ ୧୬ଟି ଗାଁ । ଗବେଷଣା ପରେ ଏମିତି ତଥ୍ୟ ଦେଇଛନ୍ତି କଟକ ରେଭେନ୍ସାର ପ୍ରାଧ୍ୟାପିକା ଡ. ମାଳିନୀ ପ୍ରଭା ସେଠୀ । ସେପଟେ କ୍ଲାଇମେଟ ଆକ୍ସନ ପ୍ଲାନ କରିବାରେ ଓଡିଶା ଦେଶର ପ୍ରଥମ ରୋଲ ମଡେଲ ସାଜିଛି । ୧୨ ବର୍ଷରେ ଆସିଛି ୧୬ଟି ପ୍ରାକୃତିକ ବିପର୍ଯ୍ୟାୟ । ଜିରୋ କାଜୁଆଲଟି ଉପରେ ରାଜ୍ୟ ସରକାର ସର୍ବଦା ଗୁରୁତ୍ୱ ଦେଇଛନ୍ତି । ପ୍ରାକୃତିକ ବିପର୍ଯ୍ୟୟ ଓ ଓଡ଼ିଶା ସରକାରଙ୍କ ଏହାର ମୁକାବିଲାକୁ ପାଇଁ ନେଇଛନ୍ତି କି ପଦକ୍ଷେପ ଆସନ୍ତୁ ଜାଣିବା ।

ପ୍ରତିବର୍ଷ ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରୁଛି ଓଡିଶା । ସାଧାରଣତଃ ବର୍ଷାଦିନରେ ପ୍ରାକୃତିକ ବିପର୍ଯ୍ୟାୟ ହୋଇଥାଏ । କିନ୍ତୁ ବର୍ଷକରେ ଏକାଧିକ ଥର ଏହି ପ୍ରାକୃତିକ ବିପର୍ଯ୍ୟୟ ଘଟୁଛି । ଏହାର ମୁଖ୍ୟ କାରଣ ଜଳବାୟୁର ପରିବର୍ତ୍ତନ । ୧୯୬୬ରୁ ୨୦୧୫ ପର୍ଯ୍ୟନ୍ତ ୪୯ ବର୍ଷ ମଧ୍ୟରେ ସମୁଦ୍ର ପତ୍ତନ ୯.୫ ସେଣ୍ଟିମିଟର ବୃଦ୍ଧି ପାଇଛି । ଫଳରେ ଗତ ୧୨ ବର୍ଷ ମଧ୍ୟରେ ଉପକୂଳକବର୍ତ୍ତୀ ୧୬ଟି ଗାଁ ସମୁଦ୍ର ଲୀନ ହେଲାଣି । ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, ପୁରୀ, ଗଞ୍ଜାମ ଭଳି ଜିଲ୍ଲାର ବହୁ ଉପକୂଳବର୍ତ୍ତୀ ଲୋକ ଗାଁ ଛାଡ଼ିଛନ୍ତି । ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୨ଶହ ଘର ନିଚ୍ଛିନ୍ନ ହୋଇଯାଇଛି । କେନ୍ଦ୍ରାପଡା ଜିଲ୍ଲାର ସାତଭାୟା, ପାରାଦୀପ ବନ୍ଦର ଅଞ୍ଚଳ, ପୁରୀ ସମୁଦ୍ରକୂଳ ଏବଂ ଗୋପାଳପୁର ବନ୍ଦରର ବିଭିନ୍ନ ଅଞ୍ଚଳରେ ଉପକୂଳ କ୍ଷୟ ହେବା ସମ୍ଭାବନା ରହିଛି । ଏନେଇ ଇଣ୍ଟିଗ୍ରେଟେଡ କୋଷ୍ଟାଲ ଜୋନ ମ୍ୟାନେଜମେଣ୍ଟ ପ୍ରକଳ୍ପ ପୂର୍ବାନୁମାନ କରିଥିବା ରେଭେନ୍ସା ବିଶ୍ୱବିଦ୍ୟାଳୟ ଭୂଗୋଳ ବିଭାଗର ସହକାରୀ ପ୍ରାଧ୍ୟାପିକା ଡ. ମାଳିନୀ ପ୍ରଭା ସେଠୀଙ୍କ ଗବେଷଣାରୁ ଜଣାପଡିଛି । ଏସିଆନ ଡିଜାଷ୍ଟର ପ୍ରପେୟାର୍ଡନେସ ସେଣ୍ଟର ଦ୍ବାରା ଏହି ଗବେଷଣାର ଏକ ରିପୋର୍ଟ ମଧ୍ୟ ପ୍ରକାଶ ପାଇଛି ।

ଓଡିଶା ଦେଶର ଏକମାତ୍ର ରାଜ୍ୟ ଭାବେ ଏଭଳି ବିପର୍ଯ୍ୟୟର ମୁକାବିଲା ପାଇଁ  କ୍ଲାଇମେଟ ଆକ୍ସନ ପ୍ଲାନ କରିଛି । ସମୁଦ୍ର ଜୁଆରର ଗତିକୁ ରୋକିବାକୁ ଉପକୂଳବର୍ତ୍ତୀ ଅଞ୍ଚଳରେ ଜଙ୍ଗଲ ଏବଂ ଘଞ୍ଚ ବନାନୀ ସୃଷ୍ଟି କରାଯାଉଛି । ଜିଓ ସିନ୍ଥେଟିକ ଟ୍ୟୁବ ଲଗାଯାଉଛି । ସହକାରୀ ପ୍ରଫେସର ଡ. ସେଠୀ ୬ ମାସ ଧରି ଓଡିଶାର ଉପକୂଳବର୍ତ୍ତୀ ଜିଲ୍ଲା ବୁଲି ତଥ୍ୟ ସଂଗ୍ରହ କରିଛନ୍ତି । ଆଇସିଜେଏମ୍ ପ୍ରକଳ୍ପରେ ରାଜ୍ୟ ସରକାର ଉପକୂଳବର୍ତ୍ତୀ ଅଞ୍ଚଳରେ ମାଟି ଉପରକୁ ଚେର କାଢି ବଢୁଥିବା ଗ୍ରୀଷ୍ମମଣ୍ଡଳୀୟ ଗଛ ଲଗାଉଛନ୍ତି । ଏହି ଗଛର ମୂଳ ଜୁଆର ଗତିକୁ ରୋକିବା ସହ ଏହାର ପତ୍ର ଦ୍ରୁତ ପବନ ଏବଂ ଘୂର୍ଣ୍ଣିବଳୟ ରୋକିବାର ସହାୟକ କରିଥାଏ ।

ଓଡ଼ିଶା ସରକାରଙ୍କ ପଦକ୍ଷେପ କେବଳ ଜଳବାୟୁ ପ୍ରଭାବକୁ ମୁକାବିଲା କରିବ ତାହା ନୁହେଁ ବରଂ ପ୍ରଦୂଷଣ ସ୍ତରକୁ ମଧ୍ୟ ହ୍ରାସ କରିବ ବୋଲି ରିପୋର୍ଟରେ ଦର୍ଶାଯାଇଛି ।