ରାଜ୍ୟରେ ଦିଆଗଲାଣି କୋଟିଏରୁ ଅଧିକ ଡୋଜ୍ କୋଭିଡ୍ ଟିକା, ମୁଖ୍ୟମନ୍ତ୍ରୀ ଜଣାଇଲେ ଶୁଭେଚ୍ଛା

1 min read
Odisha Has Administered Morethan 1 Crore Vaccine Doses

ଭୁବନେଶ୍ୱର: ରାଜ୍ୟରେ ଜାନୁଆରୀ ୧୬ରୁ ଆରମ୍ଭ ହୋଇଥିବା କୋଭିଡ୍ ଟିକାକରଣ ଜାରି ରହିଛି । ଇତି ମଧ୍ୟରେ ରାଜ୍ୟରେ କୋଟିଏରୁ ଅଧିକ ଡୋଜ୍ କୋଭିଡ୍ ଟିକା ଦିଆଯାଇ ସାରିଲାଣି । ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି । ସ୍ୱାସ୍ଥ୍ୟକର୍ମୀ, ସମ୍ମୁଖଯୋଦ୍ଧା, ବରିଷ୍ଠ ନାଗରିକ ଓ ୧୮ ବର୍ଷରୁ ଅଧିକ ବୟସ୍କଙ୍କୁ ଟିକା ଦିଆଯାଉଛି । ଏଥିପାଇଁ ସ୍ୱାସ୍ଥ୍ୟ ବିଭାଗ ସମସ୍ତ ସ୍ୱାସ୍ଥ୍ୟ କର୍ମୀଙ୍କୁ ଶୁଭେଚ୍ଛା ଜଣାଇଛି ।

ରାଜ୍ୟରେ ଟିକାକରଣର ରେକର୍ଡକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି । କୋ-ୱିନ୍ ପୋର୍ଟଲରୁ ମିଳିଥିବା ତଥ୍ୟ ଅନୁସାରେ, ରାଜ୍ୟରେ ଏଯାବତ୍ ୧ କୋଟି ୧ ଲକ୍ଷ ୩ ହଜାର ୬୦୭ ଡୋଜ୍ କୋଭିଡ୍ ଟିକା ଦିଆଯାଇଛି । ପ୍ରଥମ ଡୋଜ୍ ଭାବେ ୮୨ ଲକ୍ଷ ୬୯ ହଜାର ୨୨୩ ଜଣଙ୍କୁ ଟିକା ଦିଆଯାଇଥିବା ବେଳେ ୧୮ ଲକ୍ଷ ୩୪ ହଜାର ୩୮୪ ଜଣଙ୍କୁ ଦ୍ୱିତୀୟ ଡୋଜ୍ ଟିକା ଦିଆଯାଇଛି । ରାଜ୍ୟର ୧୫୬୫ଟି ସରକାରୀ ଡାକ୍ତରଖାନା ସହ ୩୭ଟି ଘରୋଇ ମେଡିକାଲରେ ଟିକାକରଣ କରାଯାଉଛି ।

୪୪ ଲକ୍ଷ ୩୧ ହଜାର ୩୧୫ ଜଣ ପୁରୁଷ ଟିକା ନେଇଥିବା ବେଳେ ୩୮ ଲକ୍ଷ ୩୬ ହଜାର ୩୯୩ ଜଣ ମହିଳା କୋଭିଡ୍ ଟିକା ନେଇଛନ୍ତି । ସେହିଭଳି ୮୯ ଲକ୍ଷ ୨୭ ହଜାର ୨୪୯ ଡୋଜ୍ କୋଭିସିଲ୍ଡ ଦିଆଯାଇଥିବା ବେଳେ ୧୧ ଲକ୍ଷ ୭୬ ହଜାର ୩୫୮ ଡୋଜ୍ କୋଭାକ୍ସିନ୍ ଦିଆଯାଇଛି । ରାଜ୍ୟରେ ମୋଟ ଟିକାକରଣରୁ ମାତ୍ର ୦.୦୦୦୪ ପ୍ରତିଶତ ପାର୍ଶ୍ୱ ପ୍ରତିକ୍ରିୟା ଜନିତ ମାମଲା ଆସିଛି ।

Odisha Has Administered Morethan 1 Crore Vaccine Doses

ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୧୪ ଲକ୍ଷ ୧୦ ହଜାର ୯୨୨ ଡୋଜ୍ ଟିକା ଦିଆଯାଇଛି । ୯ ଲକ୍ଷ ୩୮ ହଜାର ୯୮୧ ଜଣ ପ୍ରଥମ ଡୋଜ୍ ଟିକା ନେଇଥିବା ବେଳେ ୪ ଲକ୍ଷ ୭୧ ହଜାର ୯୪୧ ଜଣ ଦ୍ୱିତୀୟ ଡୋଜ୍ ଟିକା ନେଇଥିବା ଜଣାପଡ଼ିଛି । ଏବେ ରାଜ୍ୟ ପାଖରେ ୨୦ ତାରିଖ ସୁଦ୍ଧା କେନ୍ଦ୍ର ଦେଇଥିବା କୋଭିସିଲ୍ଡ ଟିକାର ୬ ଲକ୍ଷ ୧୧ ହଜାର ୧୯୦ ଡୋଜ୍ ଥିବାବେଳେ କୋଭାକ୍ସିନର ୭୭ ହଜାର ୧୧୦ ଡୋଜ୍ ରହିଛି । ସେହିଭଳି ରାଜ୍ୟ କିଣିଥିବା ଟିକାରୁ କୋଭାକ୍ସିନର ୩ ଲକ୍ଷ ୫୨ ହଜାର ୨୩୦ ଡୋଜ୍ ଓ କୋଭିସିଲ୍ଡର ୩ ଲକ୍ଷ ୫୪ ହଜାର ୯୦ ଡୋଜ୍ ରହିଛି ।

Leave a Reply