କରୋନା ପାଇଁ ଅଗ୍ରୀମ ମିଳିବ ୩ ମାସର ଭତ୍ତା ଓ ପିଡିଏସ୍‌ ସାମଗ୍ରୀ

1 min read

ଭୁବନେଶ୍ୱର: କରୋନା ପାଇଁ ସତର୍କତା ଓ ସଚେତନତା । ଭିଡ଼କୁ ନା, ସ୍ୱଚ୍ଛତା ଉପରେ ଗୁରୁତ୍ୱ । ସବୁ ସ୍ତରରେ ଏହି ନୀତି ଲାଗୁ ପାଇଁ ବିଭିନ୍ନ ବିଭାଗ ଗୁରୁତ୍ୱ ଦେଇଛନ୍ତି । ଲୋକସେବା ଭବନରୁ ସାରାରାଜ୍ୟକୁ ନିୟନ୍ତ୍ରଣ କରାଯାଉଛି । ବିଭିନ୍ନ ସାମାଜିକ ଭତ୍ତାଧାରୀଙ୍କୁ ଏପ୍ରିଲ, ମେ’, ଜୁନ୍‌ ଓ ଜୁଲାଇ ମାସର ଟଙ୍କା ଏକାସଂଗେ ଅଗ୍ରୀମ ଦିଆଯିବ । ଏଥିରେ ମଧୁବାବୁ ପେନସନ ଯୋଜନାର ୨୮ ଲକ୍ଷ ଏବଂ NSAPର ୨୦ଲକ୍ଷ, ଏପରି ମୋଟ୍‌ ୪୮ ଲକ୍ଷ ହିତାଧିକାରୀ ଉପକୃତ ହେବେ ।

ସେହିପରି ୩ମାସ ଆଗୁଆ ପିଡିଏସ ଚାଉଳ ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଏହାସହ ଅତ୍ୟାବଶ୍ୟକ ସାମଗ୍ରୀ ବଜାରରେ ମହଜୁଦ ଅଛି ବୋଲି ଯୋଗାଣ ମନ୍ତ୍ରୀ କହିଛନ୍ତି । ତେବେ ପରିବହନ ବିଭାଗକୁ ଘାରିଛି ଭିଡ଼ଚିନ୍ତା । ବସ୍‌ଷ୍ଟାଣ୍ଡରେ ଭିଡ଼ ନିୟନ୍ତ୍ରଣ ଓ ସ୍ୱଚ୍ଛତା ନେଇ ପରିବହନ ବିଭାଗ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛି । କୈାଣସି ଆର୍‌ଟିଓ ଅଫିସ୍‌ରେ ୫୦ରୁ ଅଧିକ ବ୍ୟକ୍ତି ଏକାଠି ହେବେ ନାହିଁ । ଏହାସହ ଅନ୍ତଃରାଜ୍ୟ ବସ୍‌ ଚଳାଚଳ ଉପରେ ନଜର ରଖାଯାଇଛି  ।

ସେହିପରି ଛୁଟି ଘୋଷଣା ସତ୍ତ୍ଵେ ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀମାନେ ହଷ୍ଟେଲରେ ରହିବେ । ସେମାନଙ୍କୁ ସଚେତନ କରାଯିବା ସହ ହାତଧୂଆ ଓ ସ୍ୱଚ୍ଛତାକୁ ଗୁରୁତ୍ୱ ଦିଆଯିବ । ଅନ୍ୟପଟେ ଭିଡ଼ କମାଇବା ପାଇଁ ସବୁ ଆହାର କେନ୍ଦ୍ରର ସମୟ ସରକାର ୨ଘଣ୍ଟା ବୃଦ୍ଧି କରିଛନ୍ତି ।

ଓଡ଼ିଶାରେ କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଆଗୁଆ ସତର୍କତା ଅବଲମ୍ବନ ସହ ସଚେତନାକୁ  ଫୋକସ କରିଛନ୍ତି ।

Leave a Reply