ପାଣିରେ ଭାସୁଛି ପାଚିଲା ଧାନ: କ୍ଷୟକ୍ଷତି ରିପୋର୍ଟ ମାଗିଲେ ରାଜ୍ୟ ସରକାର

ଆସିକା,ବାଲେଶ୍ୱର,ଜଗତସିଂହପୁର,ପାଟକୁରା: ଯାଇଛି ବାତ୍ୟା ଜଓ୍ବାଦ । ରାଜ୍ୟ ଉପରୁ ଟଳିଛି ବିପଦ । ହେଲେ ଏହାର ପ୍ରଭାବରେ ହୋଇଥିବା ଲଗାଣ ବର୍ଷା କିନ୍ତୁ ଚାଷୀଙ୍କୁ ଦେଇଯାଇଛି ଦୁଃଖ । ଅମଳ ସମୟରେ ବର୍ଷା ଯୋଗୁଁ ପାଣିରେ ଲୋଟୁଛି ସୁନାର ଫସଲ । ଧାନ ପରିବା ଚାଷ ସବୁ ନଷ୍ଟ ହୋଇଛି । ସେପଟେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ ଆରମ୍ଭ ହୋଇଛି କ୍ଷୟକ୍ଷତିର ଆକଳନ ।

‘ଜଓ୍ବାଦ’ ଦେଇଯାଇଛି ଅସରନ୍ତି ଯନ୍ତ୍ରଣା । ପ୍ରକୃତିର କୋପ ଅନ୍ନଦାତାଙ୍କ ଉପରେ ଦାଉ ସାଧିଛି । ଅମଳ ଅପେକ୍ଷାରେ ଥିବା ଧାନବିଲରେ ଜମିଛି ଆଣ୍ଠୁଏ ଆଣ୍ଠୁଏ ପାଣି । କେଉଁଠି ବିଲରେ ପାଣି ଲହଡ଼ି ମାରୁଛି ତ ଆଉ କେଉଁଠି ମାଟିରେ ଶୋଇପଡିଛି ଧାନ । ପନିପରିବା ମଧ୍ୟ ପାଣି ତଳେ ଶଢିବାକୁ ବସିଲାଣି ।

ପାଟକୁରାର ତଳି ଅଞ୍ଚଳ ଡେରାବିଶ ଓ ଗରଦପୁର ବ୍ଲକରେ ଚାଷ ଜମି ଗୁଡିକର ଅଧିକ କ୍ଷୟ କ୍ଷତି କରିଦେଇଛି ଏହି ଅଦିନିଆ ବର୍ଷା । ବାତ୍ୟା ଜନିତ ବର୍ଷା ଅଧିକ କ୍ଷତି କରିଛି ଗଞ୍ଜାମ ଜିଲ୍ଲାରେ । ଆସିକାର ବିଭିନ୍ନ ଅଞ୍ଚଳରେ ପାଣିରେ ଲୋଟିଛି ସୁନାର ଫସଲ । ପ୍ରଥମେ ଗଜା ମରୁଡି ଆଉ ଏବେ ବାତ୍ୟା ଜଓ୍ବାଦ ପରେ ହିନ୍ଦୋଳ ଚାଷୀଙ୍କ ମେରୁଦଣ୍ଡ ଭୁଶୁଡ଼ି ପଡ଼ିଛି ।

ବାଲେଶ୍ବରରେ ଧାନ ଅମଳ ହୋଇ ନଥିବାରୁ ଚାଷୀ ହତାସ ହୋଇପଡ଼ିଛନ୍ତି। ନୀଳଗିରିରେ ଅଯୋଧ୍ୟା, ବାଡ଼ିଆ, କାଠପାଳ, ମାଟିଆଳି, ସଜନାଗଡ଼ ଏବଂ ଔପଦା ବ୍ଲକରେ ଶ୍ୟାମସୁନ୍ଦରପୁର, ଦକ୍ଷିଣ ନରସିଂହପୁର, ବାଉଁଶବଣିଆ, କାଣ୍ଡଗରଡି, ଈଶ୍ୱରପୁର ଆଦି ଅଞ୍ଚଳରେ ବ୍ୟାପକ କ୍ଷତି ହୋଇଛି । ଜଗତସିଂହପୁର ଜିଲ୍ଲାର ଆଠଟି ବ୍ଲକରେ ପାଖାପାଖି ୮୬ ହଜାର ହେକ୍ଟର ଜମିରେ ଧାନ ଚାଷ କରାଯାଇଥିଲା । ଲଗାଣ ବର୍ଷା ସବୁକିଛି ନଷ୍ଟ କରିଦେଇଛି ।

ଜିଲ୍ଲାର ଆଳିପିଙ୍ଗଳ ଦେବୀନଦୀ ପଠା, ଦଳେଇଘାଇ ପଠା, ମଧ୍ୟ ଶାସନ, ଉତ୍ତର ଶାସନ ଅଂଚଳ ଓ ତରପୁର ଠାରେ ମହାନଦୀ ପଠାରେ ସହ ସହ ଚାଷୀ କରିଥିବା ପନିପରିବା ସବୁ ନଷ୍ଟ ହୋଇଛି । ଚାନ୍ଦବାଲି, ଆରଡି, ଧାମରା ଅଞ୍ଚଳରେ ଲୁଣାଢେଉ ମାଡି ଆସିବାରୁ ଧାନତଳି ନଷ୍ଟ ହୋଇଥିଲା । ଏବେ ବାତ୍ୟା ଜନିତ ବର୍ଷାରେ କ୍ଷେତରେ ଲହଡି ଭାଙ୍ଗୁଛି ଅଣ୍ଟାଏ ଉଚ୍ଚରୁ ପାଣି ।

ଦୁଃଖ ଦେଇଛି ବାତ୍ୟା ଜନିତ ଲଗାଣ ବର୍ଷା । ସେପଟେ ବର୍ଷା ଛାଡିଥିବାରୁ ୭ ଦିନ ଭିତରେ ଜିଲ୍ଲାପାଳଙ୍କୁ କ୍ଷୟକ୍ଷତିର ରିପୋର୍ଟ ମାଗିଛନ୍ତି ରାଜ୍ୟ ସରକାର ।

ଏଥିସହିତ ପଢ଼ନ୍ତୁ: ବିରୋଧୀ ନାଟକବାଜି ଛାଡ଼ନ୍ତୁ, ଗୃହ କାର୍ଯ୍ୟରେ ଯୋଗଦିଅନ୍ତୁ: ପ୍ରମିଳା

Leave a Reply