ଆଳୁ ଦୋଷ ପରେ ରାଜ୍ୟ ସରକାରଙ୍କୁ ଘାରିଛି ପିଆଜ ଦୋଷ
1 min readନନ୍ଦିଘୋଷ ବ୍ୟୁରୋ: ଆଳୁ ଦୋଷ ପରେ ରାଜ୍ୟ ସରକାରଙ୍କୁ ଘାରିଛି ପିଆଜ ଦୋଷ। ଦୁଇ ମନ୍ତ୍ରୀ ପିଆଜ ଉତ୍ପାଦନ ଓ ଦର ନେଇ ଗୋଟେ ଦିନରେ ବିଧାନସଭାରେ ଦେଉଛନ୍ତି ଭିନ୍ନ ଭିନ୍ନ ଉତ୍ତର। କୃଷି ବିଭାଗ ଦାୟିତ୍ୱରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହୁଛନ୍ତି, ରାଜ୍ୟରେ ଆବଶ୍ୟକତା ଠାରୁ ଅଧିକ ପିଆଜ ଉତ୍ପାଦନ ହେଉଛି। ହେଲେ ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର କହୁଛନ୍ତି, ପିଆଜ ପାଇଁ ମହାରାଷ୍ଟ୍ର ଓ କର୍ଣ୍ଣାଟକ ଉପରେ ଓଡ଼ିଶା ନିର୍ଭରଶୀଳ। ପ୍ରଶ୍ନ ଉଠୁଛି, ଦୁଇ ମନ୍ତ୍ରୀଙ୍କ ବିବାଦୀୟ ଉତ୍ତର ଭିତରେ ପିଆଜ ଦର ଶତକ ମାରିବାକୁ ଯାଉଛି। ଦର ନିୟନ୍ତ୍ରଣ କରିବାରେ ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ ବର୍ଷିଛନ୍ତି ବିରୋଧୀ ଦଳ।
କୁଆଡ଼େ ଯାଉଛି ଓଡ଼ିଶା ପିଆଜ। ରାଜ୍ୟରେ ଆବଶ୍ୟକତାଠୁ ଅଧିକ ହେଉଛି ପିଆଜ ଉତ୍ପାଦନ। ବିଧାନସଭାରେ ତଥ୍ୟ ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ। ଉତ୍ତରରେ କହିଛନ୍ତି, ୨୦୨୩-୨୪ ରେ ପିଆଜର ଆବଶ୍ୟକତା ୩ ଲକ୍ଷ ୭୫ ହଜାର ମେଟ୍ରିକ ଟନ ଥିଲା। ଆଉ ଉତ୍ପାଦନ ହୋଇଥିଲା ୪ ଲକ୍ଷ ୨୦ ହଜାର ମେଟ୍ରିକ ଟନ। ଏତେ ଉତ୍ପାଦନ ସତ୍ୱେ ରାଜ୍ୟରେ କାହିଁକି ବଢୁଛି ପିଆଜ ଦର। ବଜାରରେ ପିଆଜ କେଜି ଛୁଇଁଲାଣି ୭୦ ଟଙ୍କା। ଆଗକୁ ମଧ୍ୟ ଆହୁରି ବଢ଼ିବାର ରହିଛି ସମ୍ଭାବନା। ଅନ୍ୟ ଏକ ପ୍ରଶ୍ନରେ ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର ଉତ୍ତର ରଖି କହିଛନ୍ତି ଯେ, ମହାରାଷ୍ଟ୍ର, କର୍ଣ୍ଣାଟକରେ ପୁରୁଣା ପିଆଜ ଗଚ୍ଛିତ କମ ଅଛି। ତା ସାଙ୍ଗକୁ ନୂଆ ପିଆଜ ଅମଳ ବିଳମ୍ବ ହେବାରୁ ରାଜ୍ୟରେ ବଢ଼ିଛି ପିଆଜ ଦର।
ପ୍ରଶ୍ନ ଉଠୁଛି ଯଦି ରାଜ୍ୟରେ ଆବଶ୍ୟକତା ଠାରୁ ଅଧିକ ପିଆଜ ଉତ୍ପାଦନ ହେଉଛି, ତାହେଲେ କର୍ଣ୍ଣାଟକ ଓ ମହାରାଷ୍ଟ୍ର ଉପରେ କାହିଁକି ନିର୍ଭର କରୁଛି ଓଡ଼ିଶା ? ଗଣତନ୍ତ୍ରର ମନ୍ଦିର ବିଧାନସଭାରେ କିଏ କହୁଛନ୍ତି ସତ ? ଉପମୁଖ୍ୟମନ୍ତ୍ରୀ ନା ଯୋଗାଣ ମନ୍ତ୍ରୀ ? ନା ମୋହନ ସରକାରରେ ବିଭାଗ ଗୁଡିକ ମଧ୍ୟରେ ରହୁନି ସମନ୍ୱୟ। ଯେଉଁଥି ପାଇଁ କେହି ଜଣେ ମନ୍ତ୍ରୀଙ୍କୁ ମିଛ କହିବାକୁ ପଡୁଛି। ବଜାରରେ ସ୍ଥିତି ସାଂଘାତିକ ହେଉଥିବା ବେଳେ, ଦରଦାମ ନିୟନ୍ତ୍ରଣକୁ ଆଣି ତୁରନ୍ତ ସୁଲଭ ଦରରେ ଖାଦ୍ୟ ସାମଗ୍ରୀ ଯୋଗାଇବାକୁ ଦାବି କରିଛି ବିଜେଡି। ସେହିପରି କଂଗ୍ରେସ ମଧ୍ୟ ରାଜ୍ୟ ସରକାରଙ୍କ ପରିଚାଳନାଗତ ବିଫଳତାକୁ ସମାଲୋଚନା କରିଛି।
ସମନ୍ୱୟର ଅଭାବ ହିଁ ଏହି ୬ ମାସରେ ରାଜ୍ୟ ସରକାରଙ୍କ ବିଫଳତାର ବଡ଼ କାରଣ। ଏଥିରେ ଦରଦାମ ବୃଦ୍ଧି ରାଜ୍ୟ ସରକାରଙ୍କୁ ବ୍ୟାକଫୁଟକୁ ଠେଲି ଦେଇଛି। ଏମିତି ସ୍ଥିତିରେ ମନ୍ତ୍ରୀଙ୍କ ତ୍ରୁଟି କିପରି ଲୁଚାଯିବ, ସେଥିପାଇଁ ବିଜେପିର ଟେନସନ ବଢ଼ି ଯାଇଛି। କଣ କହିବେ କିଛି ଜାଣି ପାରୁନଥିବା ବେଳେ, ପିଆଜ ଦର ୪୦ ଟଙ୍କା ଥିବା କହି ବାହାସ୍ଫୋଟ ମାରୁଛନ୍ତି ବିଜେପି ବିଧାୟକ। ପିଆଜ ଦର ଠାରି ଆରମ୍ଭ କରି ମାଣ୍ଡିପଙ୍କା ପ୍ରସଙ୍ଗକୁ ନେଇ ଧରାପଡ଼ିଲାଣି ରାଜ୍ୟ ସରକାରଙ୍କ ଅନେକ ମିଛ। ଉପମୁଖ୍ୟମନ୍ତ୍ରୀ ପିଆଜକୁ ନେଇ ଗୋଟେ କଥା କହୁଥିବା ବେଳେ, ଯୋଗାଣ ମନ୍ତ୍ରୀ ଆଉ ଗୋଟେ କଥା କହୁଛନ୍ତି। ଯାହାକୁ ନେଇ ଦ୍ବନ୍ଦ୍ବରେ ପଡ଼ିଛନ୍ତି ଖାଉଟି।