ମାଗଣାରେ ଚିକିତ୍ସିତ ହେବେ ରାଜ୍ୟର ହୃଦରୋଗ ଆକ୍ରାନ୍ତ ଶିଶୁ
1 min readଭୁବନେଶ୍ୱର: ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ରାଜ୍ୟ ସରକାରଙ୍କର ବଡ଼ ପଦକ୍ଷେପ । ରାଜ୍ୟର ଗରିବ ଶିଶୁ ଶିଶୁଙ୍କ ଚିକିତ୍ସା ଲାଗି PMSRF ସହିତ ଚୁକ୍ତି ସ୍ଵାକ୍ଷର କଲେ ରାଜ୍ୟ ସରକାର । ଗରିବ ହୃଦରୋଗୀ ଶିଶୁଙ୍କ ମାଗଣା ଚିକିତ୍ସା ଲାଗି ଚୁକ୍ତି ସ୍ଵାକ୍ଷର । ଅହମଦାବାଦ ସତ୍ୟ ସାଇ ହସ୍ପିଟାଲରେ ଆସନ୍ତା ୨ ବର୍ଷ ଲାଗି ହେବ ମାଗଣା ଚିକିତ୍ସା । ଗରିବଙ୍କୁ ଉନ୍ନତମାନର ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଆଜି ବୁଝାମଣାପତ୍ର ଅବଧି ବୃଦ୍ଧି କାର୍ଯ୍ୟକ୍ରମରେ ସୁପ୍ରିମକୋର୍ଟ ଜଜ୍ ଭିନୀତ ସରନ, ମୁଖ୍ୟ ବିଚାରପତି ଓଡ଼ିଶା ହାଇକୋର୍ଟ ମହମ୍ମଦ ରଫିକ, ଓଡ଼ିଶା ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି କଳ୍ପେଶ ଜାଭେରୀ, ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।
ରାଜ୍ୟ ସରକାରଙ୍କ ଚୁକ୍ତି ଅନୁଯାୟୀ ସତ୍ୟ ସାଇ ହାର୍ଟ ହସ୍ପିଟାଲ ଅହମଦାବାଦ ଆସନ୍ତା ୨ ବର୍ଷ ଯାଏଁ ହୃଦରୋଗ ଆକ୍ରାନ୍ତ ଶିଶୁଙ୍କ ଚିକିତ୍ସା କରିବ । ଏହି ଚିକିତ୍ସା ସମ୍ପୂର୍ଣ୍ଣ ମାଗଣାରେ ହସ୍ପିଟାଲ କରିବାକୁ ଥିବାବେଳେ ରାଜ୍ୟ ସରକାର ଯାତାୟତ ଖର୍ଚ୍ଚ ବହନ କରିବେ । ସତ୍ୟ ସାଇ ହାର୍ଟ ହସ୍ପିଟାଲ ଏଯାବତ୍ ୧୦୧୯ ଜଣ ଶିଶୁଙ୍କ ମାଗଣା ହୃଦରୋଗ ଚିକିତ୍ସା କରିଛନ୍ତି । କୋଭିଡ୍ କଟକଣା ମଧ୍ୟରେ ଆଉ ଏକ ଶିଶୁଙ୍କ ବ୍ୟାଚକୁ ଚିକିତ୍ସା ଲାଗି ଖୁବଶୀଘ୍ର ପଠାଯିବ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେବା ପାଇଁ ସତ୍ୟ ସାଇ ହାର୍ଟ ହସ୍ପିଟାଲକୁ ପ୍ରଶଂସା କରିଛନ୍ତି । ଏଥିସହ ରାଜ୍ୟବାସୀଙ୍କ ସ୍ୱାସ୍ଥ୍ୟସେବାରେ କୌଣସି ଅସୁବିଧା ହେବ ନାହିଁ ବୋଲି କହିଛନ୍ତି । ସମାଜର ଦୁର୍ବଳ ଶ୍ରେଣୀଙ୍କ ସେବା ଲାଗି ସରକାର ପ୍ରତିଶ୍ରୁତିବଦ୍ଧ ଥିବା ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କହିଛନ୍ତି ।