ପ୍ରବାସୀ ଭାରତୀୟ ସମ୍ମିଳନୀ ପାଇଁ ରାଜଧାନୀ ସଜେଇ ହେଉଥିବା ବେଳେ ମହାପୁରୁଷଙ୍କୁ ଅପମାନ
ଭୁବନେଶ୍ବର: ଆସନ୍ତା ୮ରୁ ୧୨ ତାରିଖ ପର୍ଯ୍ୟନ୍ତ ରାଜଧାନୀ ଭୁବନେଶ୍ବରରେ ହେବ ପ୍ରବାସୀ ଭାରତୀୟ ସମ୍ମିଳନୀ । ଏଥିପାଇଁ ସଜେଇ ହୋଇଛି ଭୁବନେଶ୍ବର । ଗଳିକନ୍ଦିରୁ ରାଜରାସ୍ତା, ସବୁଠି ରଙ୍ଗ ବେରଙ୍ଗର ଚିତ୍ର ଅଙ୍କାଯିବା ସହ ଝୋଟି, ଚିତା ପକାଯାଉଛି । ସହର ସାରା ଚାରିଆଡେ ଏବେ ଚକାଚକ । ହେଲେ ରାଜ୍ୟ ସରକାର ମହାପୁରୁଷଙ୍କୁ ଅପମାନିତ କରୁଥିବା ଦେଖିବାକୁ ମିଳିଛି । ରାଜଭବନ କାନ୍ଥରେ ପୂର୍ବରୁ ହକି ସମୟରେ ଅଙ୍କା ଯାଇଥିବା ମହାପୁରୁଷଙ୍କ ଚିତ୍ରଙ୍କୁ ଅପମାନ କରାଯାଇଛି । ଖରା ବର୍ଷାରେ ଚିତ୍ରର ରଙ୍ଗ ଉଡି ଯାଇଥିବା ବେଳେ ଶିଉଳି ପଡିଯାଇଛି । ସୌନ୍ଦର୍ଯକରଣ ଦାୟିତ୍ବ ନେଇଥିବା ବିଏମସି ଚିତ୍ର ଛାଡି ବୋଡରେ ରଙ୍ଗ ମାରି ଛାଡ଼ି ଦେଇଛି ।
ପ୍ରବାସୀ ଭାରତୀୟ ସମ୍ମିଳନୀ ପାଇଁ ଫୁଟପାଥରୁ ସହରର ପ୍ରମୁଖ କାନ୍ଥର ସୌନ୍ଦର୍ଯ୍ୟକରଣ କରାଯିବା ସହ ରଙ୍ଗୀନ ଆଲୋକମାଳରେ ସଜା ଯାଉଛି । ହେଲେ ଏହାରି ଭିତରେ ଓଡିଆ ଅସ୍ମିତାକୁ ଅସମ୍ମାନ କରାଯାଉଥିବା ଦେଖିବାକୁ ମିଳିଛି । ରାଜଭବନ ପାଚେରୀରେ ଅଙ୍କା ଯାଇଥିବା ମହାପୁରୁଷଙ୍କ ଚିତ୍ରରେ ରଙ୍ଗ ମାରିବାକୁ ସରକାର ଭୁଲି ଯାଇଛନ୍ତି ।
ସହର ସାରା ଚାଲିଛି ୱାଲ ପେଣ୍ଟିଙ୍ଗ । ରାଜଭବନର ପାଚେରୀ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଚିତ୍ରରେ ଶିଉଳି ଲାଗି ଯାଇଛି । ପୂର୍ବତନ ରାଷ୍ଟ୍ରପତି ଭେଙ୍କଟ ଗିରିଙ୍କ ନାଁ ଉପରେ ମଧ୍ୟ ଶିଉଳି ମାଡି ଯାଇଛି । କେବଳ ଏ ଦୁଇ ଜଣ ନୁହଁନ୍ତି, କାନ୍ଥରେ ଥିବା ଦେଶ ଓ ସମାଜ ଗଠନରେ ବଳିଷ୍ଠ ଭୂମିକା ଗ୍ରହଣ କରିଥିବା ଏକାଧିକ ମହାପୁରୁଷଙ୍କ ଚିତ୍ରର ସମାନ ଅବସ୍ଥା । କେଉଁଠି ପ୍ଲାଷ୍ଟର ଖସି ଯାଇଛି ତ ଆଉ କେଉଁଠି ଗଛର ଲତା ମାଡିଯାଇଛି । ହକି ବିଶ୍ବକପ ସମୟରେ ଚିତ୍ର ଅଙ୍କା ଯାଇଥିଲା । ଖରା, ବର୍ଷରେ ଏ ସବୁ ଚିତ୍ରର ରଙ୍ଗ ଉଡ଼ି ଯାଇଛି । ସୌନ୍ଦର୍ଯ୍ୟକରଣ ଦାୟିତ୍ବ ନେଇଥିବା ବିଏମସି ସହର ସାରା ଚିତ୍ର କରୁଥିବା ବେଳେ ଏଡା ଉପରେ ନଜର ପକାଉନି । କେବେଳ ସେତିକି ନୁହେଁ ଗୋପବନ୍ଧୁ ଛକରେ ଥିବା କିଛି ସାହିତ୍ୟିକ ଓ ବିଦ୍ୱାନ ବ୍ୟକ୍ତିଙ୍କ ଚିତ୍ରରେ ଅନ୍ୟ ଚିତ୍ର ଅଙ୍କା ହୋଇଥିବା ଦେଖିବାକୁ ମିଳିଛି ।
୩ ଦିନିଆ ପ୍ରବାସୀ ଭାରତୀୟ ଦିବସରେ ଯୋଗ ଦେବେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଓ ବୈଦେଶିକ ମନ୍ତ୍ରୀ । ରାଜଭବନକୁ ଯିବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ । ହେଲେ ଦେଖିଲା ବେଳେକୁ ସେଠି ଚିତ୍ର ଅଲଗା । ହଜାର ହଜାର ପ୍ରବାସୀ ଓଡିଶାକୁ ଆସିବେ । ଭୁବନେଶ୍ୱର ବୁଲିଳା ବେଳେ ସବୁ ଆଡେ ରଙ୍ଗ, ହେଲେ ରାଜଭବନ କାନ୍ଥ ପୂରା ବେରଙ୍ଗ । ଏହାକୁ ନେଇ ଭାଷାବିତ, ସମାଜସେବୀ ଓ ଛାତ୍ରଙ୍କ ମଧରେ ଅସନ୍ତୋଷ ଦେଖା ଦେଇଛି । ପ୍ରବାସୀ ଭାରତୀୟ ଦିବସକୁ ନେଇ ରାଜଧାନୀକୁ ସଜା ଯିବାକୁ ସମସ୍ତେ ସ୍ୱାଗତ କରିଛନ୍ତି । ହେଲେ ରାଜଭବନରେ କାନ୍ଥରେ ଥିବା ମହାପୁରୁଷଙ୍କ ଚିତ୍ରକୁ ଅପମାନିତ କରିବାର ଅଧିକାର କାହାର ନାହିଁ । ରାଜ୍ୟ ସରକାର ଓଡ଼ିଆ ଅସ୍ମିତା କଥା କହି ଚିତ୍କାର କରୁ ଥିବା ବେଳେ ଏଠି ମୁକ ଓ ଆଖିରେ କଳାପଟି ବାନ୍ଧିଛି କି ବୋଲି ପ୍ରଶ୍ନ ଉଠିବାରେ ଲାଗିଛି । ଯେଉଁ ମହାପୁରୁଷଙ୍କ ଚିତ୍ର ହୋଇଛି ସେହି ଚିତ୍ର ଉପରେ ପୁଣି ଥରେ ରଙ୍ଗ ଦେଇ ଅଙ୍କା ଯାଉ ବୋଲି ଦାବି ହୋଇଛି ।